ଟିସି ଦେଇ ବିଦାକଲେ, ପୁଣି ନାଁ ଲେଖାଇଲେ, ହଟହଟା ହେଲେ ପ୍ରଧାନଶିକ୍ଷୟିତ୍ରୀ

ଫୁଲବାଣୀ : ୩ ଜଣ ଛାତ୍ରଙ୍କୁ ସ୍କୁଲରୁ ଟିସି ଦେଇ ବିଦା କରି ଦେଇଥିଲେ। ହେଲେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ପୁନର୍ବାର ସେମାନଙ୍କୁ ସ୍କୁଲରେ ନାଁ ଲେଖାଇ ଖୁବ୍‌ ହଟହଟା ହୋଇଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ବନ୍ଧଗଡ଼ ମଣିପଦର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ। ପ୍ରଧାନଶିକ୍ଷୟିତ୍ରୀ ଲିଲିମା ପାଣିଗ୍ରାହୀ କୌଣସି କାରଣରୁ ଅଷ୍ଟମ ଶ୍ରେଣୀର ୩ ଜଣ ଛାତ୍ରଙ୍କୁ ସେମାନଙ୍କ ଅଭିଭାବକଙ୍କ ବିନା ପରାମର୍ଶରେ ଟିସି ଦେଇ ସ୍କୁଲରୁ ବାହାର କରି ଦେଇଥିଲେ।

ସୂଚନାଯୋଗ୍ୟ, ମଣିପଦର ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ୪୦ ଶଯ୍ୟାବିଶିଷ୍ଟ ଛାତ୍ରାବାସ ରହିଛି। ତେବେ ଫିରିଙ୍ଗିଆ ବ୍ଲକ୍‌ର ଉପାନ୍ତ ଅଞ୍ଚଳ କୁହାଯାଉଥିବା ସୁମରବନ୍ଧ ପଞ୍ଚାୟତର ସାଉଲିପଡ଼ା ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ୟାମ କହଁର, ରତାମାସ୍କା ଗ୍ରାମର ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳୁ କହଁର ଓ ରାଜୀବ କହଁର ନାମକ ୩ ଜଣ ଆଦିବାସୀ ଛାତ୍ର ଛାତ୍ରାବାସରେ ରହି ପ୍ରଥମ ଶ୍ରେଣୀରୁ ପାଠ ପଢ଼ି ଆସୁଥିଲେ। ଚଳିତ ବର୍ଷ ଏହି ୩ ଜଣ ଛାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିଲେ।

ତେବେ ଗତକାଲି କୌଣସି କାରଣ ନଥାଇ ହଠାତ୍‌ ପ୍ରଧାନଶିକ୍ଷୟିତ୍ରୀ ଏହି ୩ ଜଣ ଛାତ୍ରଙ୍କୁ ଟିସି ଦେଇ ସ୍କୁଲରୁ ବାହାର କରି ଦେଇଥିଲେ। ଛାତ୍ରମାନେ ନିରୁପାୟ ହୋଇ ୧୩ କିଲୋମିଟର ଚାଲି ଚାଲି ଫିରିଙ୍ଗିଆ ବ୍ଲକ୍‌ ସଦର ମହକୁମାକୁ ଆସୁଥିବା ବେଳେ ବ୍ଲକ୍‌ ଛକ ନିକଟରେ ଫିରିଙ୍ଗିଆର କିଛି ସ୍ବେଚ୍ଛାସେବୀ ଉତ୍ତମ ଖମାରୀ, ସୁବ୍ରତ କୁମାର ମହାନ୍ତ, ସଞ୍ଜୟ କୁମାର ସାହୁ ସେମାନଙ୍କୁ ଭେଟିଥିଲେ। ଏହି ୩ ଜଣ ଛାତ୍ରଙ୍କ କହିବା ଅନୁସ‌ାରେ, ପ୍ରଧାନଶିକ୍ଷୟିତ୍ରୀ ସେମାନଙ୍କୁ ବିନା କାରଣରେ ଟିସି ଦେଇ ବାହାର କରି ଦେଇଛନ୍ତି। ଏହା ଜାଣିବା ପରେ ସମ୍ପୃକ୍ତ ସ୍ବେଚ୍ଛାସେବୀମାନେ ଜିଲ୍ଲାପାଳ ଡ. ବୃନ୍ଦା ଡି.ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ଜିଲ୍ଲାପାଳ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀ ଏହି ୩ ଜଣ ଛାତ୍ରଙ୍କୁ ନିଜ ସାଙ୍ଗରେ ନେଇ ପୁନର୍ବାର ନାମ ଲେଖାଇଛନ୍ତି।

ସବୁଠୁ ବଡ଼ କଥା ହେଉଛି, ଏହି ୩ ଛାତ୍ରଙ୍କୁ ଟିସି ଦେଇ ସ୍କୁଲରୁ ବାହାର କରିବା ଏବଂ ପ୍ରଶାସନର ହସ୍ତକ୍ଷେପ ପରେ ପୁନର୍ବାର ନାମ ଲେଖାଇବା ବାବଦରେ ଛାତ୍ରଙ୍କ ଅଭିଭାବକମାନେ କିଛି ଜାଣି ନାହାନ୍ତି। ଅଭିଭାବକଙ୍କ ବିନା ପରାମର୍ଶରେ ପ୍ରଧାନଶିକ୍ଷୟିତ୍ରୀ କାହିଁକି ୩ ଜଣ ଛାତ୍ରଙ୍କୁ ଟିସି ଦେଇ ବାହାର କରି ଦେଇଥିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଲିଲିମା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ନିଜର ଭୁଲ୍‌ ସ୍ବୀକାର କରିଛନ୍ତି। ଅପରପକ୍ଷେ, ଏହି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର