ଭୁବନେଶ୍ବର: କୌଣସି ବିଷୟକୁ ବୁଝିବା ଓ ନିଜେ ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ। ରାଜ୍ୟରେ ‘ଭଲ ମୌସୁମୀ ବର୍ଷା ହୋଇଛି’ ଅର୍ଥ କ’ଣ ତାହା ବି ବୁଝିବାରେ ଅସମର୍ଥ ଥିଲେ। ଏପରିକି ନିଜ ନିର୍ବାଚନମଣ୍ଡଳୀକୁ ଯାଇଥିବା ବେଳେ ‘ବିଧାୟକଙ୍କୁ ଡାକ’ ବୋଲି କହି ନିଜ ପାଖ ଲୋକଙ୍କ ଆଗରେ ଲଜ୍ଜିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନ ନେଇ ଅଥଚ ତାଙ୍କୁ ଲକ୍ଷ୍ୟ କରି ଏଭଳି ଅନେକ ଅକୁହା କାହାଣୀ ନିଜ ପୁସ୍ତକ ‘କମେଡି ଇନ୍ ଖାକି’ରେ ସ୍ଥାନ ଦେଇଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ପୁସ୍ତକର ‘ଦ ଅନ୍କାନି ବସ୍’ ଚାପ୍ଟରରେ ଭେଟିବା ସମୟର ଓ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକଙ୍କଠାରୁ ଶୁଣିଥିବା ଅନେକ ଛୋଟମୋଟ ଘଟଣା ବର୍ଣ୍ଣନା କରି ତାଚ୍ଛଲ୍ୟ କରିଛନ୍ତି ଶ୍ରୀ ମିଶ୍ର। ଏକଦା ପକେଟ ଖର୍ଚ୍ଚ ଉପରେ ନିର୍ଭର କରୁଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଜଣେ ଜନନେତା ପାଲଟିବାର ରୂପାନ୍ତର କୌଣସି ପରୀରାଇଜର କାହାଣୀଠାରୁ କମ୍ ନୁହେଁ।
ସେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଏହି ବ୍ୟକ୍ତି ନିଜେ କୌଣସି ନିଷ୍ପତ୍ତି ନେଇପାରୁ ନ ଥିଲେ। ସବୁକିଛି ଅନ୍ୟ ଉପରେ ନିର୍ଭର କରୁଥିଲେ। ଲମ୍ବା କୁର୍ତ୍ତା, ପାଇଜାମା ଓ ଚପଲ ପିନ୍ଧୁଥିଲେ ହେଁ ଅନ୍ୟ ପୋଷାକ ଉପରେ ଯଥେଷ୍ଟ ରୁଚି ରଖୁଥିଲେ। ନିଜେ ଗୋଇଠିରୁ ଛୋଟ ପାଇଜାମା ପିନ୍ଧୁଥିଲେ ହେଁ ରାଜ୍ୟର ଜଣେ ଡିଆଇଜି ଗଲ୍ଫ ଟୋପି ପିନ୍ଧି ଟିଭିରେ ସାମ୍ବାଦିକ ସମ୍ମିଳନୀ କରିବାକୁ ନାପସନ୍ଦ କରିଥିଲେ। ଏହି ସମୟରେ ତାଙ୍କୁ ଫୋନ୍ କରି ସଂପୃକ୍ତ ଡିଆଇଜି ଯେପରି ଆଗକୁ ଏଭଳି ଟୋପି ନ ପିନ୍ଧନ୍ତି ସେଥିପାଇଁ ତାଗିଦ୍ କରିଥିଲେ। ନିଜର ସମର୍ଥକଙ୍କ ସହ ହାତ ମିଳାଇବା କିମ୍ବା ତାଙ୍କ ପାଖକୁ ଯିବା ପାଇଁ ଏହି ବ୍ୟକ୍ତି ପସନ୍ଦ କରୁ ନ ଥିଲେ ବୋଲି ଠାରିଛନ୍ତି ଶ୍ରୀ ମିଶ୍ର। ସେ ଆହୁରି ଲେଖିଛନ୍ତି, ରାଜନେତାମାନେ ନିଜ ସମର୍ଥକଙ୍କ ଗହଣରେ ସମୟ ବିତାଇବାକୁ ଚାହୁଁଥିବା ବେଳେ ଏହି ବ୍ୟକ୍ତି କିନ୍ତୁ ବିପରୀତ ଥିଲେ। କେନ୍ଦ୍ରରେ ମନ୍ତ୍ରୀ ଥିବା ସମୟରେ ରାଜଭବନର ରାଜ୍ୟପାଳଙ୍କ ଜଣେ ସଚିବ ତାଙ୍କୁ କୁଣ୍ଢାଇ ପକାଇଥିଲେ। ପରେ ଓଡ଼ିଶା ଆସିବା ସମୟରେ ଶସ୍ତା ମଦ ପିଉଥିବା ସଂପୃକ୍ତ ବ୍ୟକ୍ତି ଜଣକ ଯେପରି ତାଙ୍କ ପାଖ ନ ମାଡ଼ନ୍ତି ସେଥିପାଇଁ ନିଜ ସହକର୍ମୀଙ୍କୁ ତାଗିଦ୍ କରିଥିଲେ।
ପ୍ରକାଶ ମିଶ୍ରଙ୍କ ପୁସ୍ତକରେ ଅନେକ ଅକୁହା କାହାଣୀ
ସମର୍ଥକଙ୍କ ସହ ହାତ ମିଳେଇବାକୁ ଘୃଣା କରୁଥିଲେ
ନକ୍ସଲ ବୈଠକରେ ସ୍ବାଦିଷ୍ଟ ଖାଇବା ନେଇ ଚର୍ଚ୍ଚା କରୁଥିଲେ
ମନ୍ତ୍ରୀମାନଙ୍କୁ ଚିଡ଼େଇବା ଭଳି କଦର୍ଯ୍ୟ ଡାକ ନାମ ଦେଇଥିଲେ
ନିର୍ବାଚନମଣ୍ଡଳୀ ସଂପର୍କରେ ବି ଏଥିରେ ବୁଲେଇ ବଙ୍କେଇ କୁହାଯାଇଛି। ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଥରେ ନିଜ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଥିଲେ ଏହି ବ୍ୟକ୍ତି। ଏହି ସମୟରେ ବହୁ ସଂଖ୍ୟାରେ ତାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକ ବିଭିନ୍ନ ସମସ୍ୟା ନେଇ ତାଙ୍କ ପାଖକୁ ଆସିଥିଲେ। ତାଙ୍କର ଉପସ୍ଥିତି ଯଥେଷ୍ଟ ଥିଲା ବୋଲି ଭାବି କାହା ସହିତ କିଛି ମିଶି ନ ଥିଲେ। ବରଂ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ମନ ଭିତରେ ବିରକ୍ତ ହୋଇ ହିନ୍ଦୀରେ ନିଜ ପାଖ ଲୋକଙ୍କୁ ଏମ୍ଏଲଏ କୋ ବୁଲାଓ ବା ବିଧାୟକଙ୍କୁ ଡାକ ବୋଲି କହିଥିଲେ। ମାତ୍ର ସେ ନିଜେ ସ୍ଥାନୀୟ ବିଧାୟକ ଥିବାରୁ ପାଖରେ ଥିବା ଲୋକ ଜଣକ ଜାଣିଶୁଣି ଚୁପ୍ ରହିଥିଲେ। ପାଖ ଲୋକଠାରୁ କୌଣସି ଉତ୍ତର ନ ପାଇବାରୁ ବିରକ୍ତ ହୋଇ ଏମ୍ଏଲ୍ଏ କୋ ଜଲ୍ଦି ବୁଲାଓ ବା ବିଧାୟକଙ୍କୁ ଶୀଘ୍ର ଡାକ ବୋଲି କହିଥିଲେ। ବାଧ୍ୟ ହୋଇ ପାଖରେ ବସିଥିବା ଜଣେ କର୍ମଚାରୀ ତାଙ୍କୁ ସ୍ଥାନୀୟ ବିଧାୟକ ବୋଲି କହିବା ପରେ ତାଙ୍କ ମୁହଁ ଶୁଖି ଯାଇଥିଲା। ଲୋକମାନେ ତାଙ୍କଠାରୁ ଉତ୍ତର ପାଇବା ଲାଗି ଅପେକ୍ଷା କରିଥିବା ବେଳେ ସେ ସେଠାରୁ ପଳାଇଥିଲେ।
ଆଉ ଏକ ମଜାଦାର କାହାଣୀ ସଂପର୍କରେ ଶ୍ରୀ ମିଶ୍ର ଲେଖିଛନ୍ତି ଯେ ଥରେ ଗଞ୍ଜାମ ଓ କନ୍ଧମାଳ ସୀମାରେ ନକ୍ସଲଙ୍କ ଗତିବିଧି ଲକ୍ଷ୍ୟ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେବାକୁ ଯାଇଥିଲେ। ରାଜ୍ୟ ସରକାରଙ୍କ ସ୍ପେଶାଲ ଗ୍ରୁପ୍ ମଧ୍ୟରାତ୍ର ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିଯିବେ ବୋଲି ତାଙ୍କୁ କହିଥିଲେ। ମାତ୍ର ଏହାକୁ ଶୁଣିବା ବଦଳରେ ଗତକାଲି ଭେକ୍ଟି ମାଛ ସହ ଖଣ୍ଡ ଖଣ୍ଡ ମାଂସର ଆଇଟମ୍ କେତେ ସ୍ବାଦିଷ୍ଟ ଥିଲା ତାହା ସଂପର୍କରେ ନିଜ ଉପଦେଷ୍ଟାଙ୍କ ସହ କଥା ହୋଇଥିଲେ। ଏଭଳି ବ୍ୟକ୍ତି ସହ ନକ୍ସଲ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରିବା ବ୍ୟର୍ଥ ବୋଲି ତାଙ୍କର ଅନୁଭବ ହୋଇଥିଲା। ଥରେ ଆଉ ଏକ ବୈଠକରେ ଆଳୁ ଚିପ୍ସ ଖାଇବା ପାଇଁ ମୁଖ୍ୟମନ୍ତ୍ରୀ ଚାହିଁଥିଲେ। ଚିପ୍ସ ଆସିବା ପରେ ପ୍ଲେଟ୍ ତଳେ ଥିବା ଗୋଲାପୀ ନାପ୍କିନ୍କୁ ତନ୍ନ ତନ୍ନ କରି ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ। ନାପ୍କିନ୍ରେ ହାର୍ଟର ଛୋଟ ଛୋଟ ଚିତ୍ର ଥିବାରୁ ଏହାକୁ ଦେଖି ଆହୁରି ବିରକ୍ତ ହୋଇ କହିଥିଲେ, ଏବେ କ’ଣ ଭାଲେଣ୍ଟାଇନ୍ ଡେ’। ଧଳା ରଙ୍ଗର ନାପ୍କିନ୍ କୁଆଡ଼େ ଗଲା ? ଏସବୁକୁ ଫୋପାଡ଼ି ଦିଅ। ପରେ ତାଙ୍କୁ ଧଳା ନାପ୍କିନ୍ ଦିଆଯାଇଥିଲା। ନିରଙ୍କୁଶ କ୍ଷମତା ହାତେଇବା ପରେ ତାଙ୍କର କାହାରିକୁ ଖାତିର ନ କରିବା ସ୍ବଭାବ ଜାଗ୍ରତ ହୋଇଥିଲା। ଏଥିପାଇଁ କିଛି ମନ୍ତ୍ରୀ ଓ ଅନ୍ୟମାନଙ୍କୁ ଅତି କଦର୍ଯ୍ୟ ଡାକ ନାମରେ ଡାକୁଥିଲେ। କଳା ରଙ୍ଗ ପାଇଁ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ‘ନିଗର’(ସାଧାରଣତଃ କୃଷ୍ଣକାୟ ଲୋକଙ୍କୁ ଏ ଭାଷାରେ ଚିଡ଼ାଯାଏ) ବୋଲି ଡାକୁଥିଲେ। ଏପରିକି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ରଙ୍ଗ କଳା ସହ ଗୋଲ ମୁହଁ ଥିବାରୁ ତାଙ୍କୁ ବ୍ଲାକ୍ ଫୁଟ୍ବଲ ଡାକିବାକୁ ପଛାଉ ନ ଥିଲେ। ଏଭଳି ଅନେକ ଲୋକଙ୍କୁ ଭିନ୍ନ ଭିନ୍ନ ନାମରେ ଡାକୁଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି।