ବିଶ୍ବଜିତ ଦାଶ
ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରି କହିଲେ, ପ୍ରବାସୀ ଭାରତୀୟମାନେ ଯେଉଁ ଦେଶରେ ରହିଲେ ବି ନିଜ ଗାଁକୁ ଭୁଲନ୍ତୁନି। ନିଜ ଗାଁକୁ ପରିବାରର ଛୋଟ ପିଲାଙ୍କୁ ଆଣିକି ଆସନ୍ତୁ। ସେମାନଙ୍କୁ ଆମ ଭାଷା, ସଂସ୍କୃତି, ପରମ୍ପରା ବିଷୟରେ ଜଣାନ୍ତୁ। ବିଦେଶ‌ରୁ ୫ରୁ ୬ଜଣ ବନ୍ଧୁଙ୍କୁ ଆଣି ଆମ ଭାରତୀୟ ସଂସ୍କୃତି ବିଷୟରେ ଜଣାନ୍ତୁ। ହେଲେ ବିଡ଼ମ୍ବନାର ବିଷୟ ଓଡ଼ିଶାରେ ରହୁଥିବା ନିଜ ପୂର୍ବଜ, ପରିବାର ବିଷୟରେ ଜାଣିପାରୁନଥିବାରୁ ମରିସସ୍‌ରେ ରହୁଥିବା ପ୍ରାୟ ୫ହଜାରରୁ ଅଧିକ ପ୍ରବାସୀ ଅଭିମାନରେ ପ୍ରବାସୀ ଭାରତୀୟ ଦିବସକୁ ଆସିନାହାନ୍ତି। କ୍ଷୋଭର ସହ ଜଣାଇଛନ୍ତି, ଯଦି ଆମେ ଆମ ଗାଁ କେଉଁଠି, ପରିବାରର ସଦସ୍ୟ କିଏ କିଏ ଅଛନ୍ତି, ଆମ ପରମ୍ପରା କ’ଣ ଜାଣିନୁ; ତେବେ ପ୍ରବାସୀ ଭାରତୀୟ ଦିବସକୁ ଯିବୁ କାହିଁକି? ଆମ ଗାଁ ପାଇଁ କିଛି କରିପାରୁନୁ, ରାଜ୍ୟ ପାଇଁ କ’ଣ କରିବୁ? ସରକାର କ’ଣ ଆମକୁ ଆମ ପରିବାର ସହ ମିଶାଇପାରିବେ? ଆମକୁ ଆମ ଗାଁକୁ ନେଇପାରି‌ବେ? 

Advertisment

ପ୍ରବାସୀ ଭାରତୀୟ ଦିବସରେ ୫୦ଟି ଦେଶରୁ ପ୍ରାୟ ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଯୋଗଦେଇଛନ୍ତି। ଏଥିରେ ମରିସସ୍‌ରୁ ପ୍ରାୟ ୩୦୦ରୁ ଅଧିକ ଅଛନ୍ତି ହେଲେ ଅଧିକାଂଶ ଭୋଜପୁରୀ ଓ ହିନ୍ଦୀରେ କଥା ହେଉଛନ୍ତି। ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ‌ ହେଉଥିଲେ ବି ଏହି କାର୍ଯ୍ୟକ୍ରମରେ ଓଡ଼ିଆ କହୁଥିବା କି ଓଡ଼ିଶା ସହ ସଂଯୋଗ ଥିବା ପ୍ରବାସୀଙ୍କୁ ଆମେ ପାଇନଥିଲୁ। ମରିସସ୍‌ରେ ଥିବା ଓଡ଼ିଆ ଅନୁଷ୍ଠାନର ସମ୍ପାଦକ ରାମରୂପ ଜୁଗୁରନଥଙ୍କ ମତ ହୃଦୟ ବିଦାରକ। ରାମରୂପଙ୍କ କହିବାନୁଯାୟୀ, ଓଡ଼ିଶାରେ ଦୁର୍ଭିକ୍ଷ ଦେଖାଦେବାରୁ ଖାଇବାକୁ ନପାଇ ବହୁ ‌େଲାକ କାମ ସନ୍ଧାନରେ କୋଲକାତା ଯାଇଥିଲେ। ସେଠାରୁ ୧୮୪୨ରୁ ୧୮୭୧ ମଧ୍ୟରେ ପ୍ରାୟ ୩୧୧୬ ଜଣ ଓଡ଼ିଆ ମରିସସ୍‌କୁ ଆସିଥିଲେ। ୧୮୭୪ ମସିହାରେ ବ୍ରିଟିସ ପାର୍ଲିଆମେଣ୍ଟରେ ଜେ ଜିଓଘୋଗାନ ଉପସ୍ଥାପନ କରିଥିବା ରିପୋର୍ଟରେ ଏହା ଉଲ୍ଲେଖ ଅଛି। ହେଲେ ମରିସସ୍‌ରେ ପହଞ୍ଚିବା ପରେ ସେମାନେ ଜାଣିନଥିଲେ ଯେ ଆଉ ସେମାନେ ଓଡ଼ିଶା ଫେରିପାରିବେନି କି ତାଙ୍କ ବଂଶଜମାନେ ଭିଟାମାଟିକୁ ଫେରିବାକୁ ଚାହିଁଲେ ବି ତାଙ୍କ ପୈତୃକ ଜନ୍ମସ୍ଥାନ ଖୋଜି ପାଇବେନି।

ରାମରୂପଙ୍କ କହିବାନୁଯାୟୀ, ରେକର୍ଡ ଅନୁଯାୟୀ ତାଙ୍କ ଘର କଟକ ଜିଲ୍ଲାର ଯାଜପୁରରେ। ସେ ଯାଜପୁରର ଐତିହାସିକ କାଶୀ ପାଢ଼ୀଙ୍କୁ ଯୋଗାଯୋଗ କରିଥିଲେ। ଜାଣିବାକୁ ପାଇଥିଲେ ଯେ ଯାଜପୁର ମ୍ୟୁନିସପାଲଟି ହେବାବେଳେ ୩୦ଟି ଗାଁ ଥିଲା। ଏବେ ୨୦ଟି ଗାଁ ଅଛି। ଏହି ଗାଁଗୁଡ଼ିକ ମା’ ବିରଜାଙ୍କ ମନ୍ଦିର ଓ ବୈତରଣୀ ନଦୀ ମଧ୍ୟରେ ଥିବା ଅଞ୍ଚଳ। ସେ ଜାତିରେ ବ୍ରାହ୍ମଣ ହୋଇଥିବାରୁ ଏହି ତଥ୍ୟକୁ ନେଇ ସେ ନିଜର ପୂର୍ବଜଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ତାଙ୍କର କିଛି ବନ୍ଧୁଙ୍କ ସହ ୨୦୧୨, ୨୦୧୫ ଓ ୨୦୧୯ରେ ତିନି ଥର ଓଡ଼ିଶା ଆସିଥିଲେ। ଏପରିକି ପୂର୍ବତନ ମନ୍ତ୍ରୀ କଳ୍ପତରୁ ଦାସଙ୍କ ସମେତ ବିଜେଡି ସରକାରର ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ କେହି ବି ଗାଁ ପାଇନଥିଲେ, ଘର ତ ଦୂରର କଥା। ଏବେ ପରିବାର, ଗାଁର ସନ୍ଧାନ ନାହିଁ। ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶା‌ ଯାଇ କ’ଣ କରିବୁ ?

ରାମରୂପ କହିଛନ୍ତି ଯେ ମରିସସ୍‌ରେ କଟକ, ପୁରୀ ଓ ଗଞ୍ଜାମର ହଜାର ହଜାର ଲୋକ ଅଛନ୍ତି। କେହି ନିଜ ଗାଁ, ପରିବାର ବିଷୟରେ ଜାଣିନାହାନ୍ତି। ରାଜ୍ୟ ସରକାର ଯଦି ତାଙ୍କ ଗାଁ ଓ ପରିବାରକୁ ଖୋଜିକି ଦେଇପାରିବେ ତେବେ ସେମାନେ ନିଶ୍ଚିତ ବିକଶିତ ଓଡ଼ିଶା ସ୍ବପ୍ନରେ ଭାଗୀଦାର ହେବେ। ସେ କହିଛନ୍ତି ଯେ ମୋର ପୂର୍ବଜଙ୍କ ନାମ ଜଗନ୍ନାଥ ଥିଲା। କିନ୍ତୁ ବ୍ରିଟିସମାନେ ତାଙ୍କ ନାମ ପଞ୍ଜୀକରଣ କରିବାବେଳେ ‘ଜୁଗୁରନଥ’ ଲେଖିଦେଇଥିଲେ। ଏହାପରେ ଆମ ନାମ ପରେ ସାଙ୍ଗିଆ ସ୍ଥାନରେ ଜୁଗୁରନଥ ଲେଖୁଛୁ। ଜଗନ୍ନାଥ ଜାଣିକି ବି ଜୁଗୁରନଥ ଲେଖୁଛୁ ଓ କହୁଛୁ। କିନ୍ତୁ ଦାଶ ସାଙ୍ଗିଆ ଥିବା ଜାଣିବା ପରେ ଅନୌପଚାରିକ ଭାବେ ରାମରୂପ ଜଗନ୍ନାଥ ଦାଶ ଲେଖୁଛି। ସେହିପରି ଯାହା ନାମ ବୁଦ୍ଧିଆ ଥିଲା ତା’ନାମକୁ ବୁଦିଆ, ପ୍ରଧାନ ସାଙ୍ଗିଆ ଲୋକକୁ ପୋଦନ ଲେଖିଛନ୍ତି। ଯାହା ସେମାନଙ୍କ ପରିବାରର ନାମ ହୋଇଯାଇଛି। ଏହି ଲୋକମାନେ ଗଞ୍ଜାମ ଜିଲ୍ଲାର ହୋଇଥିଲେ ବି ସେମାନେ ନିଜର ଗାଁ କି ପରିବାର ବିଷୟରେ କିଛି ଖୋଜ ଖବର ପାଉନାହାନ୍ତି। ଅଧିକାଂଶ ଘରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା ହେଉଛନ୍ତି। ବିଦେଶରେ ଓଡ଼ିଆଙ୍କ ସଂସ୍କୃତି ବଞ୍ଚାଇ ରଖିବାକୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଜୁଗୁରନଥରୁ ଉଦ୍ଧାର କରିବାକୁ ହେଲେ ମରିସସ୍‌ରେ ଜଗନ୍ନାଥଙ୍କର ଏକ ମନ୍ଦିର କରାଯାଉ। ଏହା ହିଁ ବିଦେଶରେ ଓଡ଼ିଆଙ୍କୁ ବାନ୍ଧି ରଖିପାରିବ।