ନିର୍ବାଚନ କାମ ସାରି ଫେରୁଥିଲେ, ବାଟରେ ଜୀବନ ଗଲା: ୨ ପ୍ରିଜାଇଡିଂ, ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ

ସିନାପାଲି କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ପ୍ରସନ୍ନ, ଘରୋଇ ବସ୍ ନେଲା ଇନ୍ଦ୍ରଜିତ୍‌ଙ୍କ ଜୀବନ

ନୂଆପଡ଼ା/କୋମନା: ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଦାୟିତ୍ବ ତୁଲାଇ ଘରକୁ ଫେରୁଥିଲା ବେଳେ ୩ଜଣ ପ୍ରିଜାଇଡିଂ ଅଫିସରଙ୍କ ଜୀବନ ଭିନ୍ନଭିନ୍ନ କାରଣ ପାଇଁ ଚାଲିଯାଇଛି। ନିଷ୍ଠାର ସହ କର୍ତ୍ତବ୍ୟ ସାରି ଘରକୁ ଫେରୁଥିଲା ବେଳେ ଏମାନଙ୍କ ଜୀବନ ଚାଲିଯାଇଛି। ଦୁଇଟି ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲାରୁ ଆସିଥିଲା ବେଳେ ଆଉ ଗୋଟିଏ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ସିନାପାଲି ସମବାୟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ପ୍ରସନ୍ନ ନାୟକ (୫୬) ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀ ରାନିମୁଣ୍ଡା ବୁଥ ନଂ ୧୮୪ ରେ ପ୍ରିଜାଇଡିଂ ଅଫିସର୍‌ ଦାୟିତ୍ବରେ ଥିଲେ। ସୋମବାର ଭୋଟ୍‌ଗ୍ରହଣ ଶେଷ ହେବା ପରେ ଇଭିଏମ୍‌ ନେଇ ପୋଲିଂ ଦଳ ସହ ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ପହଞ୍ଚି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ଏହାକୁ ଜମା କରିଥିଲେ। ମଙ୍ଗଳବାର ସକାଳେ ନିଜ ବାଇକ୍‌ (ଓଆର୍‌ ୦୮ ଡି ୩୯୪୧)ରେ ସିନାପାଲି ଫେରୁଥିଲା ବେଳେ  ୩୫୩ ନଂ ଜାତୀୟ ରାଜପଥ ତରବୋଡ଼ଠାରେ ଏକ କାର୍‌ (ଓଡି-୦୨ ସିଏଫ୍‌ ୩୬୦୭) ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି। ମୃତ ପ୍ରିଜାଇଡିଂ ଅଫିସର୍‌ ଶ୍ରୀ ନାୟକଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ବୋଲି ଜଣାପଡ଼ିଛି। ଏହି ଖବର ଜାଣିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ନାୟକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମାବେଦନା ଜଣାଇଛନ୍ତି। ସେହିଭଳି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହ ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ କାମ ସାରି ଫେରୁଥିଲେ, ବାଟରେ ଜୀବନ ଗଲା
ସିନାପାଲି କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ପ୍ରସନ୍ନ
ଘରୋଇ ବସ୍ ନେଲା ଇନ୍ଦ୍ରଜିତ୍‌ଙ୍କ ଜୀବନ
ଜୁନାଗଡ଼ ଡାକ୍ତରଖାନାରେ ଆଖି ବୁଜିଲେ ମକରଧ୍ବଜ

ସେହିଭଳି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନମଣ୍ଡଳୀର ପିଲକିଆ ବୁଥ ନଂ–୧୫୦ର ପୁଲିଂ ଅଧିକାରୀ ମକରଧ୍ବଜ ନାଗଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୨ଟାରେ ଧର୍ମଗଡ଼ରେ ନିର୍ବାଚନ ସାମଗ୍ରୀ ଫେରାଇବା ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପୁଲିସ ପକ୍ଷରୁ ତୁରନ୍ତ ତାଙ୍କୁ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ସାମାନ୍ୟ ସୁସ୍ଥ ହେବା ପରେ ଧର୍ମଗଡ଼ରେ ନିର୍ବାଚନ ସାମଗ୍ରୀ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ କାଉଣ୍ଟର ନମ୍ବର ୧୬ରେ ଫେରସ୍ତ ପରେ ପୁଣିଥରେ ଅସୁସ୍ଥ ହେବା ପରେ ଜୁନାଗଡ଼ଠାରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସନ୍ଧ୍ୟାରେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଜୁନାଗଡ଼ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହକୁ ଡାକ୍ତରଖାନାରେ ରଖା ଯାଇଛି ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ମକରଧ୍ବଜ ନାଗ ନିର୍ବାଚନ ସାମଗ୍ରୀ ଫେରସ୍ତ କରି ନୋ ଡିଉଜ ସାର୍ଟିଫିକେଟ୍‌ ପାଇବା ପରେ ସେଠାରେ ହଠାତ୍‌ ଗୁରୁତର ହେବା ପରେ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କୁ ସହଯୋଗ କରି ନଥିବା ଅଭିଯୋଗ ହୋଇଛି। କିଛି ପୁଲିସ କର୍ମଚାରୀ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିଲେ ମଧ୍ୟ ଅଂଶୁଘାତ କିମ୍ବା ହୃଦ୍‌ଘାତ ଯୋଗୁ ଏଭଳି ହୋଇଥିବା ପରିବାର ଲୋକେ ଅନୁମାନ କରୁଛନ୍ତି। ତୁରନ୍ତ ଜିଲ୍ଲାପାଳ ଏନେଇ ପଦକ୍ଷେପ ନେବା ସହିତ ନିର୍ବାଚନ କାର୍ଯ୍ୟରେ ମୃତ୍ୟୁ ହୋଇଥିବା ଯୋଗୁଁ ତୁରନ୍ତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ସୂଚନାଯୋଗ୍ୟ ଯେ, ମକରଧ୍ବଜ ନାଗଙ୍କ ଘର ମଦନପୁର ରାମପୁର ହୋଇଥିବା ବେଳେ ସେ କର୍ଲାମୁଣ୍ଡା ବ୍ଲକ୍‌ ରେଗଡା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ।

ଅନ୍ୟପକ୍ଷରେ ନବରଙ୍ଗପୁର ପରେ ମାଲକାନଗିରିରେ ଦୁଃଖଦ ଘଟଣା। ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ବସ୍‌ ଧକ୍କାରେ ଚାଲିଯାଇଛି ପ୍ରିଜାଇଡିଂ ଅଫିସରଙ୍କ ଜୀବନ। ସେ ହେଲେ ଶିକ୍ଷକ ଇନ୍ଦ୍ରଜିତ କିର୍ସାନୀ। ତାଙ୍କ ଘର ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତ ଖୁରିଗୁଡ଼ା ଗାଁରେ। କୋତାମେଟା ବଜାର ତମଗୁଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଇନ୍ଦ୍ରଜିତ ନିଜ ଘରକୁ ମୋଟର ସାଇକେଲ୍‌ରେ ଫେରୁଥିଲେ। କୋତାମେଟା ବଜାର ତମଗୁଡ଼ା ଛକ ନିକଟରେ ତାଙ୍କ ବାଇକ୍‌କୁ ଏକ ଘରୋଇ ବସ୍‌ ଧକ୍କା ଦେଇଥିଲା। ବାଇକ୍‌ ସହ ଇନ୍ଦ୍ରଜିତ୍‌ ରାସ୍ତାରେ ଛିଟିକି ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଓ ସାଥୀ ଶିକ୍ଷକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଇରପୁଟ ବ୍ଲକ୍‌ର ସମସ୍ତ ଶିକ୍ଷକ ଓ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡମ୍ବରୁ ଶିଶା ଓ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ସାନୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟାଇଥିବା ଘରୋଇ ବସ୍‌କୁ ମାଲକାନଗିରି ପୁଲିସ ଅଟକ ରଖିବା ସହ ଡ୍ରାଇଭର ବିଜ୍ଞାନ ସ୍ବାଇଁଙ୍କୁ ପଚରାଉଚରା କରୁଥିବା ଜଣାପଡିଛି। ଶିକ୍ଷକ ଇନ୍ଦ୍ରଜିତ ତାଙ୍କ ଘରର ଜଣେ ମାତ୍ର ରୋଜଗାରିଆ ଥିଲେ ଓ ନିର୍ବାଚନ ଡ୍ୟୁଟି ବେଳେ ତାଙ୍କର ମୃତ୍ୟୁ ହୋଇଥିବାରୁ ସରକାର ତାଙ୍କ ପରିବାରକୁ କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି ହୋଇଛି। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନମଣ୍ଡଳୀରେ ଗତ ୧୧ରେ ବସ୍‌ରୁ ଓଲ୍ଲାଇ ବୁଥ୍‌କୁ ଯିବାବେଳେ ବାଇକ ଧକ୍କାରେ ଜଣେ ପୁଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର