ଜଙ୍ଗଲକୁ କାଠ ପାଇଁ ଯାଇ ଫେରିଲେନି,ସମୁଦ୍ର କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ, ଜଙ୍ଗଲ ବିଭାଗ ଉପରେ ବଢିଲା ସନ୍ଦେହ

ଅସ୍ତରଙ୍ଗ: ଜଙ୍ଗଲକୁ କାଠ କାଟିବାକୁ ଯାଇ ଛୁରିଆନା ପଞ୍ଚାୟତ ଆଇଁଷିଣିଆର ରାଧୁ ସ୍ବାଇଁ(୬୨) ଆଉ ଘରକୁ ଫେରିନାହାନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଣ୍ଡଳବା ନିକଟସ୍ଥ ସମୁଦ୍ରକୂଳରୁ ବୁଧବାର ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅସ୍ତରଙ୍ଗ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ଆଇଁସିଣିଆର ରାଧୁ ସ୍ୱାଇଁ ଏକ କୁରାଢ଼ୀ ନେଇ ଗତକାଲି ରାତି ୯ଟାରେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ।

ସେ ଆଉ ଘରକୁ ଫେରି ନଥିଲା ବେଳେ ଗୁଣ୍ଡଳବା ନିକଟସ୍ଥ ସମୁଦ୍ରକୂଳରେ ତାଙ୍କର ମୃତଦେହ ମିଳିବା ଖବର ମିଳିଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦେଖନ୍ତେ ମୃତକଙ୍କ ଶରୀର ବେକ, କାନମୁଣ୍ଡା, ଆଖିପତା ଆଦି ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ଏହା ସହିତ  ତାଙ୍କ ମୃତଦେହରେ ଆଘାତ ଯୋଗୁ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା । ପାରିପାଶ୍ଵିକ ସ୍ଥିତି ଦେଖିଲେ ଜଣାପଡୁଛି ଯେ କାଠ କାଟିବାକୁ ଯାଇଥିବା ଏହି ବ୍ୟକ୍ତି ଜଣକକୁ କିଏ ସାଙ୍ଘାତିକ ଆକ୍ରମଣ କରି ମାରିଦେବା ପରେ ସମୁଦ୍ରକୂଳରେ ଫିଙ୍ଗି ଦେଇଥିବା ଜଣାପଡୁଛି ।

ତେବେ ମୃତ ରାଧୁ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ମୃତକଙ୍କ ପରିବାର ପକ୍ଷରୁ ତାଙ୍କ ବଡ ଭାଇ ମଧୁ ସ୍ୱାଇଁ ଅସ୍ତରଙ୍ଗ ଥାନରେ ଏକ ଅଭିଯୋଗ କରିଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀ ତାଙ୍କ ଭାଇଙ୍କ ଉପରେ ଆକ୍ରମଣକରି ମାରିଦେଇଥିବା ଅନୁମାନ କରି ବଡ ଭାଇ ତାଙ୍କ ଅଭିଯୋଗରେ ଏଭଳି ଉଲେଖ କରିଛନ୍ତି। ଅଭିଯୋଗ ପରେ ଜଙ୍ଗଲ ବିଭାଗ ଉପରେ ସନ୍ଦେହ ବଢୁଛି । ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ରାଜେଶ ବଳିଆରସିଂହ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର