ଜଗତସିଂହପୁର ଟାଉନ୍ : ମା ସାମ୍ନାରେ ଝିଅକୁ ଉଠାଇ ନେଇ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌ ରଖିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ‌ଜଗତସିଂହପୁର ଅଞ୍ଚଳରେ। ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ମା ଓ ଝିଅଙ୍କୁ ବଂଧୁକ, ଭୁଜାଲି ଦେଖାଇ ଏଭଳି କାଣ୍ଡ କରିଛନ୍ତି। ଝିଅକୁ ଅପହରଣ କରିନେବା ପରେ ୨୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଏଭଳି ଘଟଣାକୁ ନେଇ ମା ଥାନାର ଦ୍ବାରସ୍ଥ ହୋଇଛନ୍ତି।

Advertisment

ସୂଚନା ଅନୁଯାୟୀ ଅପହୃତ ଯୁବତୀଙ୍କ ଘର ବିରିଡି ଥାନା ଗୋଠିଣା ଶଙ୍କରପୁର ଅଞ୍ଚଳରେ। ଗତକାଲି ସେ ତାଙ୍କ ମାଙ୍କ ସହ ସ୍କୁଟିରେ ଜଗତସିଂହପୁର ଆସି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ। ନୂଆପୋଲ ନିକଟରେ ଏକ ବୋଲେରୋ (ଓଆର୨୧-ସି-୭୮୨୯)ରେ ୫ ଜଣ ଦୁର୍ବୃତ୍ତ ତାଙ୍କ ସ୍କୁଟିକୁ ସାଇଡ୍ ମାରିବାରୁ ମା, ଝିଅ ତଳେ ପଡ଼ିଯାଇଥିଲେ। ବୋଲେରୋରେ ଜଗତସିଂହପୁର ଥାନା ଯଶୋବନ୍ତପୁର ଅଞ୍ଚଳର ଜଣେ ଯୁବକ ବନ୍ଧୁକ ଦେଖାଇ ସହଯୋଗୀଙ୍କ ସହ ମିଶି ଯୁବତୀଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଗାଡ଼ିରେ ପୂରାଇ ଦେଇଥିଲେ। ପ୍ରତିରୋଧ କରୁଥିବା ମାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ହତ୍ୟା ଧମକ ଦେଇ ଯୁବତୀଙ୍କୁ କଟକ ଆଡ଼କୁ ନେଇଯିବା ପରେ ୨୦ ଲକ୍ଷ ଟଙ୍କା ଦେଲେ ଝିଅକୁ ଛାଡିବେ ବୋଲି କହିଥିଲେ। ଏହା ପରଠାରୁ ଯୁବତୀଙ୍କର ଆଉ କୌଣସି ପତ୍ତା ମିଳୁନି। ଯୁବତୀଙ୍କ ମାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଆଇପିସିର ଦଫା ୩୪୧, ୨୯୪, ୩୬୩, ୩୯୫, ୩୮୭ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ- ୨୫ ଓ ୨୭ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।