ସୋନପୁର/ତରଭା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ଉପନିବନ୍ଧକ (ସବରେଜିଷ୍ଟ୍ରାର) କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବପ୍ରସାଦ ଗୁରୁ ଏବଂ ଦଲାଲ ତରଭାର ହେମକାନ୍ତ ବିଶି। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁରର ଧନପତି ସରାଫ ତରଭା ସୁନାରିପଡ଼ାର ପ୍ରଦୀପ ସାହୁ ଏବଂ ଅନ୍ୟ ୫ ଜଣଙ୍କୁ ଜମି ବିକ୍ରି କରିବାର ଥିଲା। ଅଭିଯୁକ୍ତ ମୁଖ୍ୟ କିରାଣି ଶିବପ୍ରସାଦ ଜମି ବିକ୍ରି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ପ୍ରଦୀପ ଏବଂ ଅନ୍ୟ ୫ ଜଣଙ୍କଠାରୁ ୪ ହଜାର ଟଙ୍କା ଲେଖାଏଁ ୨୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଟଙ୍କା ନଦେଲେ କାମ ହେବ ନାହିଁ ବୋଲି କହିଥିଲେ।

Advertisment

ଏହାକୁ ନେଇ ପ୍ରଦୀପ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପ୍ରଦୀପଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଥିଲା। ମଙ୍ଗଳବାର ପ୍ରଦୀପ ମୁଖ୍ୟ କିରାଣି ଶିବପ୍ରସାଦଙ୍କୁ ତାଙ୍କ କାର୍ଯ୍ୟାଳୟରେ ୨୪ ହଜାର ଟଙ୍କା ଦେବାକୁ ଯାଇଥିଲେ। ତେବେ ଶିବପ୍ରସାଦ ନିଜେ ଟଙ୍କା ନରଖି ଦଲାଲ ହେମକାନ୍ତକୁ ଦେବାକୁ କହିଥିଲେ। ପ୍ରଦୀପ କାର୍ଯ୍ୟାଳୟ ପରିସରରେ ଅଭିଯୁକ୍ତ ହେମକାନ୍ତଙ୍କୁ ୨୪ ହଜାର ଟଙ୍କା ଦେଇଥିଲେ। ହେମକାନ୍ତ ଏହି ଟଙ୍କାକୁ ନିଜ ପ୍ୟାଣ୍ଟ ପକେଟରେ ରଖିଥିଲେ। ପରେ ଛପି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ଚଢ଼ଉ କରି ହେମକାନ୍ତଙ୍କଠାରୁ ଲାଞ୍ଚ ଟଙ୍କା ଜବତ୍ କରିଥିଲେ। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତ ମୁଖ୍ୟ କିରାଣି ଶିବପ୍ରସାଦ ଏବଂ ଦଲାଲ ହେମକାନ୍ତଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିବା ସୂଚନା ଦିଆଯାଇଛି। ଏହି ଚଢ଼ଉରେ ସୋନପୁର ଭିଜିଲାନ୍ସ ଇନ୍‌ସପେକ୍ଟର ତୁଷାରକାନ୍ତ ମହାପାତ୍ର, ବଲାଙ୍ଗୀର ଭିଜିଲାନ୍ସ ଇନ୍‌ସପେକ୍ଟର ରୀତାଞ୍ଜଳି ପ୍ରଧାନ, ଇନ୍‌ସପେକ୍ଟର ଟେରେସା ଖେସ ପ୍ରମୁଖ ସାମିଲ ଥିଲେ।