ଋଷିକୂଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ଘଟଣା: ଚାଞ୍ଚଲ୍ୟ କର ଖୁଲସା, ଶାଶୁ-ଶଶୁର ସହ ସ୍ତ୍ରୀ କରିଛନ୍ତି ହତ୍ୟା

ଭଞ୍ଜନଗର/ସୋରଡ଼ା: ଗତ ୨୨ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ପଠାରୁ ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ବର୍ବର ହତ୍ୟାକାଣ୍ଡର ଅଭିଯୁକ୍ତ ମାନେ ହେଲେ ମୃତକଙ୍କ ସ୍ତ୍ରୀ, ଶାଶୁ, ଶଶୁର। ସମସ୍ତଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲଣ କରିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ଗଞ୍ଜାମ ସୋରଡ଼ା ଥାନା ପୁଷ୍ପନଗର ଗ୍ରାମରେ। ଗିରଫ ଅଭିଯୁକ୍ତ ମାନେ ହେଲେ ମୃତ ଭଗବାନ ନାଇକଙ୍କ ସ୍ତ୍ରୀ ଝିଲି ନାଇକ, ଶାଶୁ କିଶୋରୀ ନାଇକ ଓ ଶଶୁର କବିରାଜ ନାଇକ। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ କାତି ମଧ୍ୟ ପୋଲିସ ଜବତ କରିଛି।

ସୂଚନା ଅନୁଯାୟୀ ଗୁଡିଢେପ ଗ୍ରାମର ଭଗବାନ ନାଇକ ସୁରମଣି ଗ୍ରାମର ଝିଲି ନାୟକଙ୍କୁ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା। କିଛି ଦିନ ପୂର୍ବରୁ ସ୍ୱାମୀଠାରୁ ଅଲଗା ହୋଇ ସ୍ତ୍ରୀ ଝିଲି ନାଇକ ତାର ଦୁଇ ଛୁଆକୁ ଧରି ପୁଷ୍ପନଗର ଗ୍ରାମରେ ଭଡାକୁ ରହୁଥିଲେ। ଗତ ୧୮ ତାରିଖରେ ସ୍ୱାମୀ ଭଗବାନ ନାଇକ ନିଜ ଦୁଇ ଛୁଆକୁ ଦେଖିବାକୁ ପୁଷ୍ପନଗର ଆସିଥିଲେ । ସେଠାରେ କୌଣସି କାରଣକ ନେଇ ସ୍ତ୍ରୀ ସହିତ ଝଗଡା ହୋଇଥିଲା। ଝିଲି ଝଗଡା ବିଷୟରେ ନିଜ ବାପା ଓ ମା ଙ୍କୁ ଖବର ଦେବା ପରେ ବାପା ମା ମଧ୍ୟ ପୁଷ୍ପନଗରରେ ଆସି ପହଞ୍ଚିଥିଲେ। ସ୍ୱାମୀର ଅକଥନୀୟ ନିଯ୍ୟାତନା ସହିନପାରି ସବୁଦିନ ପାଇଁ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ଯୋଜନା କରିଥିଲା।

ଠିକ ସେହିଦିନ ରାତି ୧୦ ଟା ସମୟରେ ଶାଶୁ ଶଶୁର ଓ ସ୍ତ୍ରୀ ମିଶି ଭଗବାନ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶ୍ଵଶୁର ଏକ ଧାରୁଆ କାତିରେ ଭଗବାନଙ୍କ ବେକକୁ ପ୍ରହାର କରିବା ପରେ ଶରୀରରୁ ମୁଣ୍ଡଟି ସମ୍ପୂର୍ଣ ଅଲଗା ହୋଇଯାଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଶାଶୁ ଶଶୁର ଓ ସ୍ତ୍ରୀ ମିଶି ଋଷିକୂଲ୍ୟା ନଦୀ ପଠା ବାଲିରେ ମୃତ ଦେହକୁ ନେଇ ଅଲଗା ଅଲଗା ସ୍ଥାନରେ ନେଇ ପୋତି ଦେଇଥିଲେ। ଚାରିଦିନ ପରେ ସେହି ସ୍ଥାନରୁ ଦୁର୍ଗନ୍ଧ ବହାରିବାରୁ ନଦୀକୁ ଗାଧୋଇ ଯାଇଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର, ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ମୁଣ୍ଡକୁ ମଧ୍ୟ ଖୋଜି ବାହାର କରିଥିଲା। ମୃତ ଭଗବାନଙ୍କ ଭାଇର ଅଭିଯୋଗକୁ ଭିତି କରି ପୋଲିସ ଅଧିକା ତଦନ୍ତ କରି ଶେଷରେ ହତ୍ୟାକାରୀଙ୍କ ନିକଟରେ ପହଂଚି ସମସ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଛି ।ଏହି ଚାଂଚଲ୍ୟକର ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମାଶଙ୍କର ସିଂ।

ସମ୍ବନ୍ଧିତ ଖବର