ସରକାରୀ ଜମି ଜବରଦଖଲ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ପୂର୍ବତନ ପ୍ରଧାନଶିକ୍ଷକ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ବ୍ରଜମୋହନପୁର ପଂଚାୟତ ଅଧୀନ ଶରଧାପୁର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁରେ ଥିବା ସରକାରୀ ଜମିକୁ ନେଇ ପୂର୍ବରୁ ଚାଲିଆସିଥିବା ବିବାଦରେ ଆଜି ଜଣେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରବୀନ୍ଦ୍ର ବଳିଆରସିଂହ।

ମୃତ ରବୀନ୍ଦ୍ର ନାଥ ବଳିଆରସିଂହଙ୍କ ପୁଅ ରଶ୍ମିରଂଜନ ବଳିଆରସିଂହଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ଗାଁର ୧୦ଜଣ ଯୁବକଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ତାଙ୍କ ଘର ନିକଟକୁ ଆସି ଗାଳିଗୁଲଜ କରିଥିଲେ । ସେ ଓ ତାଙ୍କ ବାପା ଘରୁ ବାହାରକୁ ବାହାରି ଏହାର ପ୍ରତିବାଦ କରିବାରୁ ସେମାନେ ଅତର୍କିତ ଭାବେ ଖଣ୍ଡା, ଲୁହାଛଡ଼ ଆଦିରେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ଡାହଣ ଆଖିରେ ଗଭୀର ଆଘାତ ଲାଗିଥିଲା ଓ ସେ ତଳେ ପଡ଼ିଯାଇଥିଲେ । ଏହାପରେ ସେମାନେ ତାଙ୍କ ବାପା ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ରବୀନ୍ଦ୍ର ଅଚେତ ହୋଇ ପଡ଼ିଯିବା ପରେ ସେମାନେ ତାଙ୍କୁ ଛାଡ଼ି ପଳାଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିିତ୍ସାଳୟ ଅଣାଯାଇଥିଲା । ସେଠାରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।

ଏନେଇ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏତଲା ଭିତ୍ତିରେ ୧୦ଜଣଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୨ ଓ ୩୪ରେ ୨୨୯/୨୦୨୨ରେ ସଦରଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ଡିପିଓ ଦିଲିପ କୁମାର ଦାସ ଜଣାଇଛନ୍ତି । ରଶ୍ମିରଂଜନ ପଂଚାୟତ ନିର୍ବାଚନରେ ସରପଂଚ ପଦବୀରେ ଲଢ଼ି ପରାଜିତ ହୋଇଥିଲେ । ଏହାକୁ ନେଇ ଆଜିର ଆକ୍ରମଣ ହୋଇଥାଇପାରେ ବୋଲି କେତେକ ଅନୁମାନ କରୁଥିବା ବେଳେ ଗାଁରେ ଥିବା ଏକ ସରକାରୀ ଜମି ଉପରେ କବ୍ଜା କରିବାକୁ ନେଇ ନାରାୟଣ ବରାଳ ଓ ମୃତ ରବୀନ୍ଦ୍ରଙ୍କ ପରିବାର ମଧ୍ୟରେ ଗତ କିଛି ମାସ ଧରି ବିବାଦ ଚାଲିଥିଲା । ଉଭୟ ପକ୍ଷ ଏନେଇ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଆକ୍ରମଣ ପଛରେ ଏହା ପ୍ରମୁଖ କାରଣ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରେ ଜାଣିପାରିଛି । ତେବେ ପୁଲିସ କେତେକ ଲୋକଙ୍କୁ ଥାନାକୁ ଆଣି ପଚରାଉଚୁରା ଚଳାଇଥିବା ଓ ଖବର ଲେଖାଯିବା ବେଳକୁ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର