କେନ୍ଦୁଝର: ବିଦ୍ୟାଳୟ ରୂପି ମନ୍ଦିରରେ ଛାତ୍ରଛାତ୍ରୀ ଦେବତା ହେଲେ ଶିକ୍ଷକ ହେଉଛନ୍ତି ପୂଜାରୀ। ଶିକ୍ଷକଙ୍କ ମାର୍ଗଦର୍ଶନରେ ପିଲାମାନଙ୍କର ଭବିଷ୍ୟତ ଗଢ଼ିହେବ। କିନ୍ତୁ ଶିକ୍ଷକ ଯଦି ସକାଳୁ ସକାଳୁ ପେଟ ମଦପିଇ ସ୍କୁଲ ପହଞ୍ଚିବେ, ତାହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେମିତି ହେବ। ସେମାନଙ୍କ ଉପରେ କିଭଳି ପ୍ରଭାବ ପଡ଼ିବ। କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବଡ଼ପଳାସପାଳ ପଞ୍ଚାୟତ ଅନ୍ତର୍ଗତ ଗରଗଡ଼ବାହାଲ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଏଠାରେ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଉଥିବା ବସନ୍ତ କୁମାର ମୁଣ୍ଡା ମଦ୍ୟପାନ କରି ବାଉଳିଚାଉଳି ହେଉଥିବା ବେଳେ ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି। ପିଲାମାନେ କ୍ଲାସରୁମ ଭିତରକୁ ଯିବାକୁ ଡରିଛନ୍ତି।
ସୂଚନା ଅନୁସାରେ ପ୍ରଧାନଶିକ୍ଷକ ଶ୍ରୀ ମୁଣ୍ଡା ବୁଧବାର ପୂର୍ବାହ୍ନରେ ମଦ ପିଇଥିଲେ। ସେ ସାଢେ ୯ଟା ସମୟରେ ବିଦ୍ୟାଳୟରେ ପହଞ୍ଚିଥିଲେ। ନିଶାଗସ୍ତରେ ଥିବାରୁ ସେ ନିଜର ଭାରସାମ୍ୟ ହରାଇ ସେ ସ୍କୁଲ ପରିସରରେ ମାତାଲ ଅବସ୍ଥାରେ ଗଡୁଥିଲେ। ଅଳ୍ପ ସମୟ ପରେ ସ୍କୁଲର ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ବେଳକୁ ସେ ଗଡ଼ିଥିବା ଜାଗାରୁ ଉଠି ପାରି ନ ଥିଲେ। ବୁଧବାର ସ୍କୁଲ ଆରମ୍ଭ ହେବା ପୂର୍ବରୁ ଶ୍ରୀ ମୁଣ୍ଡା ମଦ ପିଇ ବାନ୍ତି କରି ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ପରିସରରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଜୁବ ହୋଇଥିଲେ। ପିଲାମାନେ ଭୟଭୀତ ହୋଇଯାଇଥିଲେ।
ବିଦ୍ୟାଳୟରେ ଶିକ୍ଷକଙ୍କ ମାତାଲ ଅବସ୍ଥା ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଂପୃକ୍ତ ଶିକ୍ଷକଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରି ଜଣେ ଶୃଙ୍ଖଳିତ ଶିକ୍ଷକଙ୍କୁ ସ୍କୁଲରେ ନିଯୁକ୍ତି ଦେବାକୁ ଦାବି ଜୋର ଧରିଛି। ଉକ୍ତ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଦ୍ୟାଳୟରେ ଶ୍ରୀ ମୁଣ୍ଡା ଦୁଇ ବର୍ଷ ହେବ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇ ଆସୁଛନ୍ତି । ତାଙ୍କ ବ୍ୟତୀତ ଜଣେ ସହକାରୀ ଶିକ୍ଷକ ରହିଛନ୍ତି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଶ୍ରୀ ମୁଣ୍ଡା ଅନେକ ସମୟରେ ମଦ୍ୟପାନ କରି ସ୍କୁଲକୁ ଆସନ୍ତି। ପିଲାଙ୍କୁ ପାଠ ପଢାଇବା ତ ଦୂରର କଥା ଛାତ୍ରଛାତ୍ରୀଙ୍କ କଥା ବୁଝିବାକୁ ମଧ୍ୟ ଗୁରୁତ୍ବ ଦେଇ ନ ଥାଆନ୍ତି । ଶିକ୍ଷକ ଜଣକ ମାତାଲ ହୋଇ ସ୍କୁଲକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ନକାରାତ୍ମକ ପ୍ରଭାବ ପଡି ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ାନହୂରୀମଦ.jpg)