ବ୍ରହ୍ମପୁର/କୁକୁଡାଖଣ୍ଡି: ପିଲାମାନେ ବାହାରେ ଖେଳୁଥିବା ବେଳେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୋଦାମ ଘରେ ଶୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଗୁରୁଣ୍ଠି ପଞ୍ଚାୟତ ଅର୍ନ୍ତଗତ ରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଅଭବାନୀୟ ଦୃଶ୍ୟ ପଦାକୁ ଆସିଛି। ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାହାରେ ବୁଲୁଥିବା ବେଳେ ବିଦ୍ୟାଳୟ ପ୍ରାଧନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷୟିତ୍ରୀ ଗୋଦାମରେ ଗୃହରେ ଶୋଇଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାପରେ ଶିକ୍ଷୟିତ୍ରୀ ସୁସ୍ମିତା ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରା ଯାଇଥିବା କୁକୁଡ଼ାଖଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍.ଗିରିଧର ସୂଚନା ଦେଇଛନ୍ତି। ଏହା ପରେ ତାଙ୍କୁ ହେଡ଼କ୍ୱାର୍ଟର କୁକୁଡ଼ାଖଣ୍ଡି ବେଲମାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଟାଚ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୨୦ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତ୍ୟହ ମାତ୍ର ୭ରୁ୮ ଜଣ ପିଲା ବିଦ୍ୟାଳୟ ଆସିଥାନ୍ତି। ଏହି ବିଦ୍ୟାଳୟରେ ୨ ଜଣ ଶିକ୍ଷୟିତ୍ରୀ ଥିବା ବେଳେ ପିଲାଙ୍କ ଉପସ୍ଥାନ କମ ଯୋଗୁଁ ଠିକ୍ ଭାବେ ବିଦ୍ୟାଳୟକୁ ଆସୁ ନ ଥିବା ସ୍ଥାନୀୟ ଅଭିଭାବକମାନେ ପ୍ରକାଶ କରିଛନ୍ତି।
ଗତକାଲି ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ବିଦ୍ୟାଳୟ ବାହାରେ ବୁଲୁଥିଲେ। ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟ ଗୋଦାମ ଗୃହରେ ଶୋଇଥିଲେ। ଆଜି ପିଲାମାନେ ବାହାରେ ବୁଲୁଥିବା ଓ ଶିକ୍ଷୟିତ୍ରୀ ଜଣକ ଶୋଇଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଭିଡ଼ିଓ ଦେଖି ପ୍ରାଥମିକ ଯାଞ୍ଚ ପରେ ଶିକ୍ଷା ବିଭାଗ ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।