ବୌଦ୍ଧ: ସ୍ବାଧୀନତାର ୭୭ବର୍ଷ ପରେ ବି ପିଇବା ପାଣି ପାଇଁ ଡହଳବିକଳ। ଯେଉଁ ପାଣି ପିଉଛନ୍ତି, ତାହା ପାଲଟିଛି ଜହର। ଆଉ ଏହାର ଭୟଙ୍କର ମୂଲ୍ୟ ଦେବାକୁ ପଡୁଛି ଗ୍ରାମବାସୀଙ୍କୁ। ଦୂଷିତ ପାଣି ବ୍ୟବହାର କରି ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଏଭଳି ଏକ ଗାଁ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ଜବଲପୁର। ୨୮ ପରିବାର ରହୁଥିବା ଏହି ଗାଁରେ ୩୧ ଜଣ କିଡ୍‌ନି ରୋଗରେ ପ୍ରାଣ ହରାଇ ସାରିଲେଣି। ପ୍ରକାଶଥାଉକି, ଜବଲପୁର ଗାଁ ଦାଣ୍ଡରେ ଦୁଇଟି ନଳକୂପ ସହ ଗୋଟିଏ କୂଅ ମଧ୍ୟ ଅଛି। କିନ୍ତୁ ସେଥିରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ନୁହେଁ। ଅନ୍ୟ କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ସେହି ପାଣି ରୋଷେଇ ଓ ପିଇବା ପାଇଁ ବ୍ୟବହାର କରୁଛନ୍ତି।

Advertisment

ପରିଣାମସ୍ବରୂପ ଜଣକ ପରେ ଜଣେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରିକି ଗୋଟିଏ ଗୋଟିଏ ପରିବାରର ସମସ୍ତ ସଦସ୍ୟ କିଡ୍‌ନି ରୋଗରେ ପ୍ରାଣ ହରାଇବା ପରେ କେବଳ ପରିତ୍ୟକ୍ତ ଘର ଅବା ଡିହ ଖଣ୍ଡେ ରହିଛି। ଆଉ କିଛି ପରିବାରର ଏକାଧିକ ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟମାନେ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଉଚିତ ମଣୁଛନ୍ତି। ନେତା ବଦଳିବା ସହିତ ସରକାର ମଧ୍ୟ ବଦଳୁଛି, ହେଲେ ଏହି ଗାଁ ର ଭାଗ୍ୟ ବଦଳୁନି। କେବଳ ଆଶ୍ବାସନା ମିଳୁଛି ସିନା, ଏପର୍ଯ୍ୟନ୍ତ ଏହି ଗାଁକୁ ବିଶୁଦ୍ଧ ପାନୀୟଜଳ ପହଞ୍ଚି ପାରିନାହିଁ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, କଙ୍କଲାର ସେମାନେ ମୂଳ ବାସିନ୍ଦା। ୧୯୮୨ ମସିହାରେ ମହାନଦୀରେ ଆସିଥିବା ବନ୍ୟାରେ ସେମାନଙ୍କ ଘର ଭାସିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ସେଠାରୁ ଚାଲିଆସି ଏଠି (ଜବଲପୁର) ଥିବା ଖୋଲା ସ୍ଥାନରେ ରହିଥିଲେ। ବନ୍ୟା ଭୟ ନଥିବାରୁ ଏହି ସ୍ଥାନରେ ସ୍ଥାୟୀ ବସତି ସ୍ଥାପନ କରିଥିଲେ। କିନ୍ତୁ ମହରଗରୁ ଆସି କାନ୍ତାରରେ ପଡ଼ିବା ଭଳି ଏବେ ସେମାନଙ୍କର ସ୍ଥିତି। ଏଠାରେ ଥିବା ଭୂତଳଜଳ ପାନୀୟ ଉପଯୋଗୀ ହେଉନି। ତେଣୁ ନଳକୂପ ଏବଂ କୂଅର ପାଣି ସେମାନଙ୍କ ପାଇଁ ଏକପ୍ରକାର ଜହର ପାଲଟିଛି। ଫଳରେ ଏହା କିଡ୍‌ନି ରୋଗୀଙ୍କ ଗାଁ ହେବାର ଦୁର୍ନାମ ମୁଣ୍ଡାଇଛି। ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଯେଉଁ ନଳକୂପରୁ ଗ୍ରାମବାସୀ ପାଣି ସଂଗ୍ରହ କରୁଛନ୍ତି, ତା’ର ପରିସର ପ୍ରଦୂଷିତ ହୋଇରହିଛି। ସେଠାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ସୋଲାର୍‌ ପମ୍ପ ସ୍ଥାପନ କରାଯାଇଛି। ତା’ର ପାଣି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ତାହା ପିଇବା ଉପଯୋଗୀ ନୁହେଁ ବୋଲି ଜାଣିବା ପରେ ସରକାରୀ ବାବୁମାନେ ଆସି ସେଠାରେ ନାଲିଛକ ପକାଇ ଚାଲିଯାଇଥିଲେ। କିନ୍ତୁ ବିକଳ୍ପ ସୁବିଧା ଉପଲବ୍ଧ କରାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସୂଚନା ମୁତାବକ, ପାଣିରେ ଅଧିକ ମାତ୍ରାରେ ଲୌହ ଏବଂ ଫ୍ଲୋରାଇଡ୍ ଭଳି ଭାରୀ ପଦାର୍ଥ ରହୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ ଆଉ କେତେ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ତଥା ଜନ ପ୍ରତିନିଧିଙ୍କ ଚେତା ପଶିବ ତାହା ଦେଖିବାକୁ ବାକି ରହିଛି।