ଭୁବନେଶ୍ବର: ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ୪ଟି ପଞ୍ଚାୟତ ଲୋକେ ପ୍ରଶାସନକୁ ଧମକ ଦେଇଛନ୍ତି, ମୋବାଇଲ୍ ନେଟଵର୍କ ନାହିଁ ତ ଭୋଟ୍ ନାହିଁ। ତିଲେଇବଣି ଗୋଟିଏ ଅଞ୍ଚଳ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକେ ଏବେ ଭିନ୍ନ ଭିନ୍ନ ପ୍ରସଙ୍ଗ ରଖି ପ୍ରଶାସନକୁ ଧମକାଇଲେଣି ଯେ ସେମାନଙ୍କ ଦାବି ପୂରଣ ହେବ ନାହିଁ ତ ଭୋଟ୍ ନାହିଁ। ସେହିଭଳି ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜ୍ୟର ହଜାର ହଜାର ଅନୁସୂଚିତ ଜନଜାତି ଲୋକେ ଖପା। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ସେମାନେ ରାଜରାସ୍ତାକୁ ଆସି ସରକାର ବିରୋଧରେ ଗର୍ଜନ କରିଛନ୍ତି। ଓବିସି ସଂରକ୍ଷଣକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ କୁହୁଳୁଛି। ବର୍ଷାଧିକ ଧରି ଯେଉଁମାନେ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିଲେ, ସେମାନେ ବଞ୍ଚିତ ହେବା ପରେ ଏବେ ଖଇ ଭଳି ଫୁଟୁଛନ୍ତି।
ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ଭାତହାଣ୍ଡିରୁ ଗୋଟିଏ ଦୁଇଟି ଚିପିବା ଭଳି ଏସବୁ ପ୍ରସଙ୍ଗ ଏବେ ନିର୍ବାଚନ ପ୍ରକ୍ରିୟାକୁ ତୃଣମୂଳସ୍ତରରେ ଆଚ୍ଛନ୍ନ କଲାଣି। ନିର୍ବାଚନ ରାଜନୀତିରେ ଯେତିକି ଗରମ ହେଉଛି, ଏସବୁ ପ୍ରସଙ୍ଗକୁ ନେଇ ତୃଣମୂଳସ୍ତରରେ ଅଶାନ୍ତି ସେତିକି ବଢ଼ିବାରେ ଲାଗିଲାଣି। ସେହିଭଳି ରାଜନୈତିକ ଦଳମଧ୍ୟରେ ଅନ୍ତଃକନ୍ଦଳ ଏବେ ତୃଣମୂଳସ୍ତରରେ ଶୀର୍ଷ ଛୁଇଁଥିଲା ବେଳେ ଗୃହ ନିର୍ମାଣ ଯୋଜନା, ମନରେଗା ଦୁର୍ନୀତି, ଭତ୍ତା ଆବଣ୍ଟନ ଠାରୁ ରାସନ ଆବଣ୍ଟନ, ଷ୍ଟ୍ରିଟ୍ ଲାଇଟ୍ କେଳେଙ୍କାରୀ, ବାତ୍ୟା ପରବର୍ତ୍ତୀ ସହାୟତା ପ୍ରଦାନ ଆଦିରେ ଯେଉଁ ଅନିୟମିତତା ହୋଇଛି ତାହା ନିର୍ବାଚନକୁ ପ୍ରଭାବିତ କରିବ ହିଁ କରିବ। ଏକଥା ସ୍ପଷ୍ଟ ହୋଇଗଲାଣି। ଭୁବନେଶ୍ବର ଉପକଣ୍ଠ ଅଞ୍ଚଳ ଠାରୁ ଆରମ୍ଭ କରି ପୁରୀ, କଟକ, ଖୋର୍ଧା, ଗଞ୍ଜାମ, କୋରାପୁଟ, ବାଲେଶ୍ବର, ମୟୂରଭଂଜ, କେନ୍ଦ୍ରାପଡା ଆଦି ଜିଲ୍ଲାମାନଙ୍କରେ ଦୁର୍ନୀତି ଗୋଟିଏ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହେବାକୁ ଯାଉଥିବା ପ୍ରାକ୍ ନିର୍ବାଚନୀ ରାଜନୈତିକ ଚିତ୍ରରୁ ଆଭାସ ମିଳିଲାଣି।
ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ବ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ଦିନରାତି ଏକାକାର କରିଦେଲେଣି। ପରସ୍ପର ପରସ୍ପରକୁ କିଭଳି ମାତ୍ ଦେବେ, େସ ନେଇ ଘନ ଘନ ରଣନୀତି ବୈଠକ ବସୁଛି। ବିଜୁ ଜନତା ଦଳ ଉଭୟ ପ୍ରଚାର ଓ ପ୍ରସ୍ତୁତିରେ ଆଗୁଆ ରହିଛି। ବିଜେଡି ନିଷ୍ପତ୍ତି ନେଇଛି ଯେ ସରକାରଙ୍କ ସବୁ ଭଲ କାମକୁ ନେଇ ଲୋକଙ୍କ ପାଖକୁ ଯିବ, କେନ୍ଦ୍ରୀୟ ଅବହେଳା ସଂପର୍କରେ ବି ଭୋଟରଙ୍କୁ ଜଣାଇବ। ବିଳମ୍ବରେ ହେଲେ ବି ଭାରତୀୟ ଜନତା ପାର୍ଟି ନେତାଙ୍କୁ ଦାୟିତ୍ବ ବାଣ୍ଟି ପଞ୍ଚାୟତ ନିର୍ବାଚନ ଦଖଲ ଅଭିଯାନ ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସବୁ ଦୁର୍ନୀତି ଓ ଅନିୟମିତତାର ପେଡ଼ି ଖୋଲିଦେବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ନେତାମାନଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅପରାଗତା ଜଣାଇବା ବେଳେ ମୋଦୀ ସରକାରଙ୍କ ଅବଦାନ ସଂପର୍କରେ ବି ଲୋକଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଇତିମଧ୍ୟରେ ଦଳର ବଚ୍ଛା ବଚ୍ଛା ନେତାଙ୍କୁ ସାମ୍ନାକୁ ଆଣିଛି ଓ ନିର୍ବାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଟାର୍ଗେଟ କରି ଦଳ ନିର୍ବାଚନୀ ମଇଦାନରେ ପ୍ରତିପକ୍ଷଙ୍କ ସହିତ ଯୁଝିବ। ଏହି ନିର୍ବାଚନରେ ଡିଜିଟାଲ ପ୍ରଚାର ବଡ ଅସ୍ତ୍ର; ଯେଉଁଥିରେ ଏସବୁର ପ୍ରତିଫଳନ ଘଟିଲାଣି।
ମୁଣ୍ଡବିନ୍ଧା କଲାଣି ସ୍ଥାନୀୟ ପ୍ରସଙ୍ଗ, କେଳେଙ୍କାରୀ
ଘର, ମନରେଗା, ରାସନ ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ
ମାମଲତକାର, ଠିକାଦାର ବିଗାଡ଼ିଛନ୍ତି ଭୋଟ୍ବ୍ୟାଙ୍କ
ଅନ୍ତଃକନ୍ଦଳକୁ ବଳିଲାଣି ପ୍ରଭାବୀ ଗୋଷ୍ଠୀର ତାଉ
ତେବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ବିକାଶ ଯେତେ ଅଧିକ ହେଉନା କାହିଁକି, କେନ୍ଦ୍ର କେତେ ବି କଥା କରିଥାଉ ନା କାହିଁକି, ତାହା ସାଧାରଣ ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନରେ ବିଶେଷ ପ୍ରଭାବ ରଖିବ ନାହିଁ। ବରଂ ସ୍ଥାନୀୟ ପ୍ରସଙ୍ଗ ଏବଂ ନେତାମାନଙ୍କ ଭୂମିକା ତଥା ଆଚରଣ - ଉଚ୍ଚାରଣ ନିର୍ଣ୍ଣାୟକ ହେବ। ସେହିଭଳି ପଞ୍ଚାୟତକୁ ଅର୍ଥ ପ୍ରଦାନ କ୍ଷେତ୍ରରେ ସରକାର ଆଦୌ କାର୍ପଣ୍ୟ ପ୍ରକାଶ କରୁନଥିଲେ ହେଁ, ଏହାର ବିନିଯୋଗ ସମୟରେ ଯେଉଁ ଅନିୟମିତତା ଆଦି ହୋଇଛି, ତାହା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବ। ଏଇଥିପାଇଁ ଯେ ଗତ ପାଞ୍ଚବର୍ଷ ଭିତରେ ଚତୁର୍ଥ ଓ ପଞ୍ଚମ ରାଜ୍ୟ ଅର୍ଥ କମିସନ ଏବଂ ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିସନଙ୍କ ସୂତ୍ରରୁ ପାଖାପାଖି ୧୨ ହଜାର କୋଟି ଟଙ୍କା ଗାଁ ଗଣ୍ଡାର ବିକାଶ ପାଇଁ ଦିଆଯାଇଛି। ରାଜ୍ୟ ସରକାରଙ୍କ ଅନ୍ୟ ଯୋଜନା, ବିଧାୟକ, ସାଂସଦ ପାଣ୍ଠି ଆଦିକୁ ମିଶାଇଲେ, ଏହାର ପରିମାଣ ଢେର ଗୁଣ ହେବ। ହେଲେ ଏସବୁ ଟଙ୍କା ଖର୍ଚ୍ଚ ହୋଇଛି ନା ସିଂହଭାଗ ବ୍ୟାଙ୍କରେ ଜମା ରହିଛି? ଯଦି ଖର୍ଚ୍ଚ ହୋଇଛି, ତେବେ ପଞ୍ଚାୟତରେ ଗତ ପାଞ୍ଚ ବର୍ଷ ଭିତରେ କି କି ବିକାଶ ହୋଇଛି? ବ୍ଲକ କେଉଁଠୁ ଆସି କେଉଁଠି ପହଞ୍ଚିଛି?
୨୦୧୭ରେ ଓଡ଼ିଶାର କେଉଁ ଗାଁର ଚିତ୍ର କିଭଳି ଥିଲା, ଏହି ସମୟ ମଧ୍ୟରେ ସେସବୁ ଅଞ୍ଚଳକୁ ବିକାଶ କେତେ ଛୁଇଁଛି, ସର୍ବୋପରି ପଞ୍ଚାୟତର ରାଜସ୍ବ କେତେ ପ୍ରତିଶତ ବଢ଼ିଛି; ତାହା ଉପରେ ମଧ୍ୟ ଗାଁ ଗଣ୍ଡାରେ ହିସାବନିକାଶ ଆରମ୍ଭ ହୋଇଯାଇଛି। ନିର୍ବାଚନରେ ତୃଣମୂଳସ୍ତରରେ ଭୋଟ କାହା ସପକ୍ଷରେ କେତେ ପରିମାଣରେ ଯିବ, ସେ କ୍ଷେତ୍ରରେ ଏସବୁ ଗଣିତ ବଡ଼ ଭୂମିକା ନିର୍ଣ୍ଣୟ କରିବ। ରାଜ୍ୟ ସରକାର ପଞ୍ଚାୟତକୁ ଅନୁଦାନ ବଢାଇବା ସହିତ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଯୋଡି ହୋଇରହିଛି, ତାହା ହେଲା ବିକାଶମୂଳକ କାର୍ଯ୍ୟର ଠିକାଦାରୀ। ନିର୍ବାଚନ କ୍ଷେତ୍ରରେ ଏମାନଙ୍କର ଗୋଟିଏ ସ୍ବତନ୍ତ୍ର ଭୂମିକା ରହିବ। ନିର୍ବାଚନ କମିସନ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ ଯେଉଁମାନେ ପଞ୍ଚାୟତରେ ଠିକାଦାରୀ କରିଥିବେ, ସେମାନେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ। ତେଣୁ ଏମାନେ ଆଶାୟୀଙ୍କ ଉପରେ ପ୍ରଭାବ ବିସ୍ତାର କରିବେ। ତେବେ ଏମାନେ ଯାହା ପାଇଁ ଯେତେ ଅଧିକ ମାତିବେ, ସେମାନେ ସେତିକି ଅଧିକ କ୍ଷତିଗ୍ରସ୍ତ ହୋଇପାରନ୍ତି। କାରଣ ଲକ୍ଷ ଲକ୍ଷ ଟଙ୍କାର ମାଳ ମାଳ ପ୍ରକଳ୍ପ ପରେ ବି ଗମନାଗମନ, ପାଣି ଆଦି ଯେତେସବୁ କ୍ଷେତ୍ରରେ କେଁ ପରିଲକ୍ଷିତ ହୋଇଛି, ତା ପଛରେ ଏମାନଙ୍କର ଗୋଟିଏ ଏକ ବଡ଼ ଭୂମିକା ରହିଛି। ସ୍ଥାନୀୟ ପ୍ରଶାସନକୁ ହାତବାରିସି କରି ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରତି ବିକାଶମୂଳକ କାର୍ଯ୍ୟର ଡଙ୍କ ମୋଡ଼ି ଦେଇଛନ୍ତି।
ଉଲ୍ଲେଖନୀୟ କଥା ହେଲା, ଘର ଆବଣ୍ଟନ ଠାରୁ ଆରମ୍ଭ କରି ରାସନ୍ କାର୍ଡ ପର୍ଯ୍ୟନ୍ତ ଅନିୟମିତତା କ୍ଷେତ୍ରରେ ଏହି କୁଜି ମାମଲତକାରମାନେ ସବୁକିଛି ନିୟନ୍ତ୍ରଣ କରିଛନ୍ତି। ଗାଁ ଗାଁରେ ନିଶାପାଣି ବଢ଼ିବା, ଗଣ୍ଡଗୋଳ, ମତ ବିଭାଜନ କ୍ଷେତ୍ରରେ ଏମାନଙ୍କର ଭୂମିକା ଅବଶ୍ୟ ରହିଛି। ଏଣୁ ଏମାନଙ୍କ ବିରୋଧରେ ଜନମତ କାହିଁରେ କେତେ। ନେତାମାନେ ଯଦି ଏମାନଙ୍କ ଠାରୁ ଦୂରେଇ ନ ପାରିବେ, ତେବେ ଲୋକଙ୍କ ଅସନ୍ତୋଷ ମୁଣ୍ଡାଇବେ ବୋଲି ରାଜନୈତିକ ମହଲ ଭବିଷ୍ୟବାଣୀ କରୁଛନ୍ତି। ଖୋଦ୍ ଶାସକ ଦଳର କିଛି ବିଧାୟକ ମଧ୍ୟ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇଛନ୍ତି। ସେମାନଙ୍କର କହିବା କଥା, ଏବେ ଗାଁ ଗଣ୍ଡା ବୁଲିବା ବେଳେ ଦେଖୁଛନ୍ତି ଯେ ସେମାନଙ୍କ ବିରୋଧରେ ରହିଥିବା ଅସନ୍ତୋଷ ପଛରେ ଏହି ଗୋଷ୍ଠୀ ବେଶି ଦାୟୀ। ଯେଉଁଠି ଯେତେ ବିକାଶମୂଳକ କାର୍ଯ୍ୟ ହୋଇଛି, ସେଠାରେ ଏହି ମାମଲତକାରଙ୍କ ଲାଗି ଭୋଟ ବ୍ୟାଙ୍କ ବିଗିଡିଯାଇଛି। ଟିକେଟ୍ ଚୟନ ପାଇଁ ମଧ୍ୟ ଏହି ଗୋଷ୍ଠୀ ଅନେକ ବ୍ୟକ୍ତିଙ୍କୁ ଆଶା ଦେଖାଇଥିବାରୁ ସ୍ଥିତି ଗମ୍ଭୀର ହେଲାଣି। ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରିଥିବା ବେଳେ ଏହାକୁ ଦିଗହରା କରିବାରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି। ଏବେ ସ୍ଥିତି ଏମିତି ଯେ ସେମାନଙ୍କୁ ପାଖରେ ରଖିଲେ ଜନମତ ବିରୋଧରେ ଯିବ, ଦୂରେଇ ଦେଲେ ଅସନ୍ତୁଷ୍ଟ ଗୋଷ୍ଠୀରେ ମିଶି ଏମାନେ ବିରୋଧୀ ସାଜିବେ। ଏମାନଙ୍କ ପାଇଁ ପଞ୍ଚାୟତ ଫଳ ଗୋଳମାଳିଆ ଧରିବା ବିଚିତ୍ର ନୁହେଁ।