ରାୟଗଡ଼ା: କୋଲନରା ବ୍ଲକ୍ ଝୋରଡ଼ି ସେବାଶ୍ରମରେ ସହପାଠୀଙ୍କ ମାଡ଼ରେ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ। ସେବାଶ୍ରମ ପ୍ରଧାନଶିକ୍ଷକ ପ୍ରତାପ ମିଶାଲ୍ ଓ ସହକାରୀ ଶିକ୍ଷକ ଅଶୋକ ପାଣିଗ୍ରାହୀଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଦୁଇ ଶିକ୍ଷକଙ୍କୁ ଜିଲ୍ଲା ମଙ୍ଗଳ ବିଭାଗରେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦେଶ ହୋଇଛି।

Advertisment

ସୂଚନାଯୋଗ୍ୟ, ଝୋରଡି ସେବାଶ୍ରମରେ ପଢ଼ୁଥିବା ଝିଲେଇଗୁଡା ଗ୍ରାମର ପ୍ରଥମ ଶ୍ରେଣୀର ଛାତ୍ର ଗୋବିନ୍ଦା ହୁଇକା (୬) ଓ ଚେଙ୍ଗିଲି ଗ୍ରାମର ବାବୁସାନ କଣ୍ଡାଗରି (୧୧) ଙ୍କ ମଧ୍ୟରେ ଅଗଷ୍ଟ ୧୫ ତାରିଖ ସଂଧ୍ୟାରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଷଷ୍ଠ ଶ୍ରେଣୀର ଛାତ୍ର ବାବୁସାନ ଗୋବିନ୍ଦାକୁ ଆକ୍ରମଣ କରିଥିଲେ। ଫଳରେ ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଗୁରୁତର ଗୋବିନ୍ଦାକୁ ପ୍ରଥମେ ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ଡାକ୍ତର ଗୋବିନ୍ଦାକୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁରରେ ଗୋବିନ୍ଦାର ମୃତ୍ୟୁ ହୋଇଛି। ପରିବାରରେ ଏକ ମାତ୍ର ପୁଅକୁ ହରାଇ ବାପା, ମାଆ ଭାଙ୍ଗି ପଡିଥିବା ବେଳେ ଝିଲେଇଗୁଡା ଗ୍ରାମରେ ଶୋକରଛାୟା ଖେଳିଯାଇଛି।

ଅନ୍ୟପକ୍ଷରେ ଏହି ଖବର ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ପ୍ରକାଶ କରି ପ୍ରଧାନଶିକ୍ଷକ ମିଶାଲ୍, ସହକାରୀ ଶିକ୍ଷକ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି। ଘଟଣାକୁ ନେଇ ସୋମବାର ସ୍କୁଲ୍ କର୍ତ୍ତୃପକ୍ଷ-ଗ୍ରାମବାସୀ-ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ବୈଠକ ଝୋରଡ଼ିରେ ଅନୁଷ୍ଠିତ ହୋଇଛି। ବୈଠକରେ ଏପରି ଅଭାବନୀୟ ଘଟଣାକୁ ସମସ୍ତେ ନିନ୍ଦା କରିଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।