ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଫେରାର୍ ଥିବା ପ୍ରଧାନ ଶିକ୍ଷକ ପଶ୍ଚିମବଙ୍ଗରୁ ଗିରଫ

ବସ୍ତା: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନସ୍ଥ ନହଞ୍ଜରା ଅଞ୍ଚଳରୁ ଯୌନ ନିର୍ଯାତନା ଦେଇଥିବା ଫେରାର ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁଙ୍କୁ ପଶ୍ଚିମବଙ୍ଗରୁ ସିଂଲା ପୁଲିସ ଗିରଫ କରିଥିବା ଜଣାଯାଇଛି। ଏନେଇ ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁ ସ୍କୁଲ ଭିତରକୁ ଡାକି ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
ପୀଡ଼ିତା ପିତାଙ୍କ ଅଭିଯୋଗ ମୁତାବକ, ଗତକାଲି ନାବାଳିକା ଝିଅ ନିକଟରେ ଥିବା ଗ୍ରାମର ଅପର୍ତ୍ତି ପ୍ରଧାନ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରକୁ ପାଣି ଆଣିବାକୁ ଯାଇଥିଲା। ସେଠାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁ ଝିଅକୁ ଏକୁଟିଆ ଦେଖି ଅଫିସ୍‌ ଭିତରକୁ ଡାକିଥିଲେ। ଝିଅ ବି ପ୍ରଧାନ ଶିକ୍ଷକଙ୍କ କଥା ମାନି ତାଙ୍କ ଅଫିସ ଭିତରକୁ ଯାଇଥିଲା। ଅଫିସ ଭିତରେ ଝିଅ ପଶି ଯିବା ପରେ ପ୍ରଧାନଶିକ୍ଷକ ଝିଅକୁ ତାର ପୋଷାକ ଖୋଲିବାକୁ କହିବା ସହ ଯୌନ ନିର୍ଯାତନା ଦେଇଥିଲେ।
ଏହାପରେ ଝିଅକୁ ଚକୋଲେଟର ପ୍ରଲୋଭନ ଦେଖାଇ ଏ କଥା କାହାରିକୁ ନକହିବାକୁ କହିଥିଲେ। ଯଦି ସେ ଏ ବିଷୟରେ କାହାକୁ କୁହେଁ ତେବେ ସ୍କୁଲରୁ ତାର ନାମ କାଟି ଦେବେ ବୋଲି ପ୍ରଧାନ ଶିକ୍ଷକ ଧମକ ବି ଦେଇଥିଲେ।
କଳେବଳେ କୌଶଳେ ନାବାଳିକା ଶିକ୍ଷକଙ୍କ କବଳରୁ ମୁକୁଳି ଘରକୁ କାନ୍ଦିକାନ୍ଦି ଆସି ତା’ ମାଆ ପାଖରେ ସବୁକଥା କହିଥିଲା। ଶିକ୍ଷକଙ୍କ ଏଭଳି କାମରେ ଝିଅ ଚାପଗ୍ରସ୍ତ ହୋଇପଡ଼ିଛି। ଦୟାକରି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୀଡିତା ପିତା ଥାନାରେ ଅଭିଯୋଗ କରି ଗୁହାରି କରିଥିଲେ।
ଏହି ଘଟଣା ପରେ ପ୍ରଧାନ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର