ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ କୁଡୁତୁଲି ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଶିକ୍ଷୟିତ୍ରୀ ସୁନିତା ପ୍ରଧାନଙ୍କୁ ନିର୍ଯାତନା ଦେବା ଘଟଣାରେ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ଆଜି ପୁଲିସ ଗିରଫ କରିଛି। ପୂର୍ବରୁ ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସହକାରୀ ଶିକ୍ଷକ ସଦାଶିବ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ଘଟଣାରେ ସଂପୃକ୍ତ ସହକାରୀ ଶିକ୍ଷକ ସଦାଶିବ ବେହେରା ଓ କ୍ରୀଡ଼ା ଶିକ୍ଷକ ସୁଶାନ୍ତ ବଳିଆରସିଂଙ୍କୁ ଗିରଫ କରିବାକୁ ପୁଲିସ୍ ଖୋଜୁଥିବା ଜଣାପଡ଼ିଛି। ଗିରଫ ଭୟରେ ଉଭୟ ଫେରାର୍ ରହିଛନ୍ତି।
ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକ ମିଶି ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେଉଥିବା ନେଇ ଗତ ମାସ ୨୫ ତାରିଖରେ କ.ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୋଗ ସମ୍ପର୍କରେ ସବୁ ପକ୍ଷକୁ ପଚାରି ବୁଝିବା ସହ ତଦନ୍ତ ଆରମ୍ଭ କରିଥିଲା। ହେଲେ ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଥିଲା କୁଇ ସମାଜ। କୁଇ ସମାଜ ପକ୍ଷରୁ ପ୍ରଧାନଶିକ୍ଷକ ଓ ଅନ୍ୟ ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ୧୨ ତାରିଖରେ ଶୋଭାଯାତ୍ରା ସହ ଥାନା ଘେରାଉ କର ଯାଇଥିଲା। ଏହାକୁ ନେଇ ପୁଣି ଆନ୍ଦୋଳନକୁ ବ୍ୟାପକ କରିବାକୁ କୁଇ ସମାଜ ସଜବାଜ ହେଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସେପଟେ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀ ସୁନିତା ପ୍ରଧାନଙ୍କୁ ଅନ୍ୟ ଏକ ସ୍କୁଲ୍କୁ ବଦଳି କରାଯାଇଛି।