ବାଲିଗୁଡ଼ା: କନ୍ଧମାଳରେ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଲୋକେ ବାରମ୍ବାର ଆଇନକୁ ହାତକୁ ନେଉଥିବା ଦେଖିବାକୁ ମିଳିଛି। ଗତ ୫ତାରିଖ ଦିନ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ଅଭିଯୋଗ ଆଣି ଊତ୍ତ୍ୟକ୍ତ ଜନତା ଅଧିକାରୀଙ୍କୁ ମାଡ଼ ସହ ଥାନା ପୋଡ଼ିଦେବା ଭଳି ଘଟଣା ଘଟିଗଲା। ଏହା ମନରୁ ନ ଲିଭୁଣୁ ପୁଣି ବାଲିଗୁଡ଼ାରେ ଜଣେ ସରକାରୀ କର୍ମଚାରୀଙ୍କୁ ରାତିରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯିବା ଘଟଣା ଏବେ ଚର୍ଚ୍ଚା ଓ ଉଦ୍‌ବେଗର କାରଣ ପାଲିଟିଛି। ଏହାର ଭିଡ଼ିଓ ଆଜି ଭାଇରାଲ୍‌ ହୋଇଥିବା ବେଳେ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ହେଲେ ଘଟଣାକୁ ୨୪ ଘଣ୍ଟା ବିତିବାକୁ ବସିଥିଲେ ମଧ୍ୟ କୌଣସି ମାମଲା ହୋଇ ନଥିବା ଜଣାପଡ଼ିଛି।

Advertisment

ସୂଚନା ପ୍ରକାରେ, ବାଲିଗୁଡ଼ା ଥାନା ସୁଡ୍ରା ଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଏକ ସରକାରୀ ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାତି ୯ଟାରେ ବିଦ୍ୟାଳୟର ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟ ପଛ ପାଖ ଗେଟ୍‌ରେ ଡାକିନେଇ ଦୀର୍ଘ ସମୟ ରଖିଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ କିଛି ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। ବହୁ ସମୟ ଧରି ଶିକ୍ଷକଙ୍କ କାର୍ଯ୍ୟକଳାପ ଅନୁଧ୍ୟାନ କଲାପରେ ସ୍ଥାନୀୟ ଲୋକେ ଶିକ୍ଷକଙ୍କୁ ଟାଣି ଆଣି ରାସ୍ତା ଉପରେ ବଜାରରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ପରେ ବାରଖମା ଫାଣ୍ଡିକୁ ନେଇ ପୁଲିସ ଜିମା ହସ୍ତାନ୍ତର କରିଥିଲେ।

ତେବେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ କିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ବିଭିନ୍ନ ସମୟରେ ମହିଳା ସିସିଏକୁ ଅଶ୍ଳୀଳ ବ୍ୟବହାର କରିବା ଓ ଚାଉଳ ବିକ୍ରି କରିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ମଧ୍ୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ପ୍ରଶାସନ ଗୌଣସି ପଦକ୍ଷେପ ନ ନେବାରୁ ଗତକାଲି ଶୁକ୍ରବାର ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ଆଇନକୁ ହାତକୁ ନେବାକୁ ବାଧ୍ୟ ହୋଇଛନ୍ତି। ବିଦ୍ୟାଳୟ ପରିସରରେ ଛାତ୍ରୀନିବାସ ରହିଥିବା ବେଳେ ପ୍ରଧାନଶିକ୍ଷକ ମହିଳା ରୋଷେୟାଙ୍କୁ ରାତିରେ ସ୍କୁଲକୁ ଡାକିବା ଓ ଗତକାଲି ରାତି ୯ଟାରେ ସେଠାରେ ଛପି ରହି ରହିବା ବିଦ୍ୟାଳୟ ପରିବେଶକୁ ଖରାପ କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ତେଣୁ ସେମାନେ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରୁ ଟାଣି ଆଣି ପୁଲିସ ଜିମା ଦେଇଥିବା କହିଛନ୍ତି।
ଏ ନେଇ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ହେଲା, ଦୀର୍ଘଦିନ ହେଲା କିଛି ଲୋକ ଯୋଜନାବଦ୍ଧ ଭାବେ ତାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର କରି ଆସୁଛନ୍ତି ଓ ଆକ୍ରମଣ ଉଦ୍ୟମ କରିଛନ୍ତି। ଗତକାଲି ରୋଷେୟା ମହିଳାଙ୍କୁ ଅଫିସ କାମ ପାଇଁ ଡାକିଥିବା ବେଳେ ଏଭଳି ବିଭ୍ରାନ୍ତିକର ଅଭିଯୋଗ ଆଣି ତାଙ୍କୁ ଆକ୍ରମଣ କରା ଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଏ ସଂପର୍କରେ ସେ ଥାନାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଲିଖିତ ଏତଲା ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ପ୍ରଧାନଶିକ୍ଷକ ଜଣକ ଏହି ବିଦ୍ୟାଳୟରେ ୭ବର୍ଷ ହେଲା ଥିବା ବେଳେ ତାଙ୍କ କାରନାମା ସମ୍ପର୍କରେ ବହୁବାର ସ୍ଥାନୀୟ ମଙ୍ଗଳ ଅଧିକାରୀ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଯାଇଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ଓ ସରପଞ୍ଚ ସରୋଜିନୀ ମଲ୍ଲିକ କହିଛନ୍ତି। ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ମଧ୍ୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ସିସିଏକୁ ଅଶ୍ଳୀଳ ବ୍ୟବହାର, ସ୍କୁଲ ଚାଉଳ ବିକ୍ରି କରିବା ଓ ବିଭିନ୍ନ ସମୟରେ ସ୍କୁଲ ପରିଚାଳନା କମିଟିକୁ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗ କରି ଏତଲା ଦେଇଥିବା ଜଣାପଡ଼ିଛି।