ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କୋଟିପଦର ପିୟୁପି ସ୍କୁଲରେ ଆଜି ଶନିବାର ଯୋଗୁଁ ସକାଳୁଆ ପାଠପଢ଼ା ଚାଲିଥିଲା। ​ପ୍ରଧାନଶିକ୍ଷୟିତ୍ରୀ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଛାତ୍ରଛାତ୍ରୀ ଗେଟ୍ ବାହାରେ ଅପେକ୍ଷା କରି ନିରାଶ ହୋଇଥିଲେ। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍କୁଲ ଚାବି ସେ ନିଜେ ରଖିଥିଲେ ମଧ୍ୟ ଠିକ୍ ସମୟରେ ପହଞ୍ଚି ନଥିବାରୁ ଛାତ୍ରଛାତ୍ରୀ ଏଣେତେଣେ ବୁଲାବୁଲି କରୁଥିଲେ। ଏପରିକି ଅନେକ ଛାତ୍ରଛାତ୍ରୀ ସ୍କୁଲ ଲୁହା କଣ୍ଟା ଗେଟ୍ ଓ ପାଚେରିକୁ ଚଢ଼ି ବିପଦପୂର୍ଣ୍ଣ ଭାବରେ ବିଦ୍ୟାଳୟ ଭିତରକୁ ଯିବାଆସିବା କରୁଥିବା ଦେଖାଯାଇଥିଲା।
ଏହି ସମୟରେ ଖଡ଼ିଆଳ ବିଡିଓ ବୀରସେନ ବେହେରା ସେହି ବିଦ୍ୟାଳୟ ଦେଇ କୌଣସି କାର୍ଯ୍ୟ ପାଇଁ ଯାଉଥିବା ବେଳେ ଏହି ଦୃଶ୍ୟକୁ ଦେଖିଥିଲେ। ପରେ ସେଠାରେ ଅଟକି ଛାତ୍ରଛାତ୍ରୀ ଓ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଡିଓ ଶ୍ରୀ ବେହେରା ଫୋନ ଯୋଗେ ପ୍ରଧାନଶିକ୍ଷୟିତ୍ରୀ ପୂର୍ବାହ୍ନ ସାତ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟକୁ ପହଞ୍ଚି ନଥିବା ନେଇ ଖଡ଼ିଆଳ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରିବା ସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର କିଛି ସମୟ ପରେ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ସକାଳ ୭.୧୫ରେ ପହଞ୍ଚିଥିଲେ। ବିଳମ୍ବ ସମ୍ପର୍କରେ ବିଡିଓ ପଚାରିବାରୁ ପ୍ରଧାନଶିକ୍ଷୟିତ୍ରୀ ଜଣକ ଘରୋଇ କାମରେ ବ୍ୟସ୍ତ ଥିବାରୁ ବିଳମ୍ବ ହୋଇଥିବା ସଫେଇ ଦେଇଥିଲେ। ପରେ ବିଡିଓଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷୟିତ୍ରୀ ଗେଟର ତାଲା ଖୋଲିବା ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ। ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/14-6.jpg)