୬ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା: ଚାକିରିରୁ ନିଲମ୍ବିତ ସହ କୋର୍ଟ ଚାଲାଣ ହେଲେ ପ୍ରଧାନଶିକ୍ଷକ

ଥୁଆମୂଳ ରାମପୁର: ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୂର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧିନ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ୬ ଜଣ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଶଶୀଧର ନାଏକ ଚାକିରିରୁ ନିଲମ୍ବିତ ହେବା ସହିତ କୋର୍ଟ ଚାଲାଣ ହୋଇଛନ୍ତି। ଛାତ୍ରୀମାନଙ୍କର ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ପୁଲିସର ତଦନ୍ତ ଜୋରଦାର କରି କାର୍ଯ୍ୟାନୁଷ୍ଠାନ ନେଇଛି।  ଆଇପିସି ଏବଂ ପୋକ୍ସୋ ସେକ୍ସନ ୧୨ ଧାରା ଅନୁଯାୟୀ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ରବିବାର କୋର୍ଟ ଚାଲାଣ କରିଛି ଥୁଆମୂଳ ରାମପୁର ପୁଲିସ।

ସୂଚନାଯୋଗ୍ୟ, ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଛାତ୍ରୀ ନିବାସରେ ଶଶିଧର ନାଏକ ସ୍କୁଲର ପ୍ରଧାନ ଶିକ୍ଷକ ରହିଥିବା ବେଳେ ଛାତ୍ରୀମାନଙ୍କୁ ଆସଦାଚରଣ କରିବା ସହ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି।

ଏନେଇ ନିଜ ବାପା-ମାଆଙ୍କୁ ଜଣାଇଲେ ସାର୍ଟିଫିକେଟ୍‌ ଦେଇ ବହିଷ୍କାର କରିଦେବାକୁ ଧମକ ଦେଉଥିଲେ। ଛାତ୍ରୀମାନେ ଭୟରେ କାନ୍ଦି କାନ୍ଦି ହଷ୍ଟେଲ ଛାଡି ଚାଲିଯାଉଥିବା ଦେଖି ଗୋପୀନାଥପୁର ଗ୍ରାମବାସୀ ଅଟକାଇ ଘଟଣା ବିଷୟରେ ଜାଣିବାକୁ ଚାହିଥିଲେ। ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମେଶ୍ବର ବେହେରା ପହଞ୍ଚି ଛାତ୍ରୀଙ୍କୁ ସୁରକ୍ଷା ସ୍ବରୂପ ଗ୍ରାମର ଓଏଲ୍ଏମ୍ ଗୃହରେ ରଖି ବିଦ୍ୟାଳୟରେ ପ୍ରଦତ୍ତ ଗଣଶିକ୍ଷା ବିଭାଗର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ ଜଣାଇଥିବା ପ୍ରକାଶ କରିଥିଲେ। ଏଭଳି ଅଭିଯୋଗ ପାଇଲା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଥିଲା। ଛାତ୍ରୀମାନେ ଅଭିଯୋଗ କରିବା ସହ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଦିଦିଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି।

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀ ରହୁଥିବା ବେଳେ ଏଥିରେ ଥିବା ହଷ୍ଟେଲକୁ କେବଳ ମହିଳା ୱାଡେନ୍ ହିଁ ଯାଇପାରିବେ। କିନ୍ତୁ ପ୍ରଧାନଶିକ୍ଷକ ବିନା ଅନୁମତିରେ ପ୍ରବେଶ କରି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରିଛନ୍ତି। ଏପରିକି ଛାତ୍ରୀମାନେ ଗାଧୋଉଥିବା ଓ ଡ୍ରେସ୍‌ ବଦଳାଉ ଥିବା ବେଳେ ଶିକ୍ଷକ ଲୁଚିଲୁଚି ଦେଖିବା ସହ ହଷ୍ଟେଲ ଭିତରେ ପଶି ଛାତ୍ରୀଙ୍କ ଦେହକୁ ସ୍ପର୍ଶ କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ ପାଇବା ପରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଏବଂ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବିଜୟ ବେହୁରା ପହଞ୍ଚି ଛାତ୍ରୀଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝିଥିଲେ। ୬ ଜଣ ଛାତ୍ରୀ ଏସବୁ ଅଭିଯୋଗ ନେଇ ପ୍ରଶାସନକୁ ଲିଖିତ ଜଣାଇବା ପରେ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଧାନ ଶିକ୍ଷକ ଶଶୀଧର ନାଏକଙ୍କ ଠାରୁ ଦାୟିତ୍ୱ ହଟାଇ ହଷ୍ଟେଲ ଦାୟିତ୍ୱ ଶିକ୍ଷୟିତ୍ରୀ ଆଲ୍ଲାଦିନୀ ମଣି ବାଗଙ୍କୁ ଦିଆଯାଇଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସୂଚନା ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ୍ ବିଭାଗ ପହଞ୍ଚି ଛାତ୍ରୀଙ୍କ ଅଭିଯୋଗ ଶୁଣିଥିଲେ।

ସମ୍ବନ୍ଧିତ ଖବର