କେନ୍ଦୁଝର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହରିଚନ୍ଦନପୁର ବ୍ଲକ୍‌ ରେବଣାପଳାଶପାଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପ୍ରଧାନଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ ନିଲମ୍ବିତ ହୋଇଛନ୍ତି। ଚିଠି ନମ୍ବର ୧୩୬୧୩ରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ରେବଣାପଳାଶପାଳ ସରକାରୀ ଉଚ୍ଚବିଦ୍ୟାଳୟର ଦୁଇଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ଗତ ୯ ତାରିଖରେ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ।

Advertisment

ହରିଚନ୍ଦନପୁର ବ୍ଲକ୍‌ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରାକେଶ ରଞ୍ଜନ ଦାସ ଏବଂ ମହିଳା ଶିଶୁ ବିକାଶ ବିଭାଗର ସୁପରଭାଇଜର ସନ୍ଧ୍ୟାରାଣୀ ମହାନ୍ତ ୧୦ ତାରିଖରେ ଅଭିଯୋଗର ତଦନ୍ତ କରିଥିଲେ। ଦୁଇ ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ବୟାନ ରେକର୍ଡ କରିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏନେଇ ବିଭାଗୀୟ କମିସନରଙ୍କୁ ଅବଗତ କରିଥିଲେ। ଏହାପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜିରା ଦେବାକୁ ନିର୍ଦେଶ ଦିଆଯାଇଛି।