ତୁଷୁରା: ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ା ପଞ୍ଚାୟତ ତାଣ୍ତିଗାଁ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଅର୍ଜୁନ ଘଡ଼େଇ ମନମାନି କରି ସ୍କୁଲକୁ ମଦ ପିଇ ଆସୁଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଇ ଗୁଡ଼ଭେଲା ବିଡିଓ ଗୁରେଶ୍ବର ଭୋଇ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କହିଛନ୍ତି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଶିକ୍ଷକ ଶ୍ରୀ ଘଡ଼େଇ ମନମୁଖି ଭାବେ ଦିନ ୧୧-୧୨ ଟାରେ ସ୍କୁଲକୁ ମାତାଲ ଅବସ୍ଥାରେ ଆସୁଥିଲେ। ଗାଁର ଅଭିଭାବକମାନେ ତାଙ୍କୁ ଏମିତି ନକରିବାକୁ ବାରମ୍ବାର କହିଥିଲେ ମଧ୍ୟ ସେ ଶୁଣି ନଥିଲେ। କିଛିଦିନ ତଳେ ପୁଣି ଏଭଳି ଅଭିଯୋଗ ଆସିବାରୁ ଦୁଇଜଣ ଏବିଇଓଙ୍କ ସହ ବିଡିଓ ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରିଥିଲେ। ଅଭିଯୋଗରେ ସତ୍ୟତା ଥିବା ଅନୁଭବ କରି ପ୍ରଧାନଶିକ୍ଷକ ଶ୍ରୀ ଘଡ଼େଇଙ୍କ ଦରମା ବନ୍ଦ କରିବା ସହ କାର୍ଯ୍ୟରୁ ନିଲମ୍ବନ କରି ଗୁଡ଼ଭେଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଗଭାରସା ସ୍କୁଲକୁ ଦଣ୍ତଯୁକ୍ତ ବଦଳି କରାଯାଇଥିବା ଏବିଇଓ ସୁରେନ୍ଦ୍ର ସୁନା କହିଛନ୍ତି। ଅନ୍ୟପକ୍ଷରେ ଗୁଡ଼ଭେଲା ବ୍ଲକ୍‌ରେ ଆଉ ୫ଟି ସ୍କୁଲରେ ଏପରି ମଦପିଇ ସ୍କୁଲକୁ ୫ ଜଣ ଶିକ୍ଷକ ଆସୁଥିବାର ମଧ୍ୟ ଅଭିଯୋଗ ହୋଇଛି।

ଏନେଇ ବିଡିଓଙ୍କୁ ପଚାରିବାରୁ ମାତାଲ ଅବସ୍ଥାରେ ଶିକ୍ଷକମାନେ ସ୍କୁଲକୁ ଆସୁଥିବା ଖବର ରହିଛି, ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ ହେବ ବୋଲି ସେ କହିଥିଲେ। ନିଲମ୍ବିତ ପ୍ରଧାନଶିକ୍ଷକ ଶ୍ରୀ ଘଡ଼େଇଙ୍କୁ ପଚାରିବାରୁ ତାଙ୍କୁ ସହଶିକ୍ଷକମାନେ ଫସାଇ ଦେଇଛନ୍ତି, ସେ କେବେ ମଦପିଇ ସ୍କୁଲକୁ ଆସନ୍ତି ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ମଦପିଇ ସ୍କୁଲକୁ ଆସିବା ସହ ବିନା ଦରଖାସ୍ତରେ ଲଗାତାର ଛଅଦିନ ଧରି ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ଗୁନିମୁଣ୍ତା ସ୍କୁଲର ଜଣେ ଶିକ୍ଷକଙ୍କୁ ମଧ୍ୟ କିଛିଦିନ ତଳେ ନିଲମ୍ବନ କରାଯାଇଥିବା ଏବଇିଓ ଶ୍ରୀ ସୁନା ପ୍ରକାଶ କରିଛନ୍ତି।