ତେଲକୋଇ: ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ସଲେଇକେନା ପଞ୍ଚାୟତ ଡିମିରିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ନିଲମ୍ବିତ ହୋଇଛନ୍ତି। ତେଲକୋଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୦୨୯ରେ ତାଙ୍କୁ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ, ଡିମିରିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସେନାପତି ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କୁ ଅଫିସକୁ ଡାକି ଅସଦାଚରଣ କରୁଥିଲେ। ଏହାକୁ କେନ୍ଦ୍ରକରି ଗତ ୨୯ ତାରିଖରେ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକମାନେ ତାଙ୍କୁ ଘେରାଉ କରିଥିଲେ। ଖବର ପାଇ ଏବିଇଓ ସୁବାସ ଚନ୍ଦ୍ର ମହାନ୍ତି, ଥାନା ଅଧିକାରୀ ସାଇପ୍ରଭା ରାଉତ, ସରପଞ୍ଚ ପାଙ୍ଗେଲା ମୁଣ୍ଡା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଅଭିଯୋଗକୁ ଆଧାର କରି ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୋଧରେ ସଂଗିନ ଅଭିଯୋଗ ଆସିଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ବୋଲି ବିଇଓ ଦୁଃଶାସନ ସିଂ କହିଛନ୍ତି।