ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଜି ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଜନିନ୍ଦାପାଳରେ ଘଟିଛି। ମୃତକ ଦ୍ଵୟ ହେଲେ ନିତୁ ମାରାଣ୍ଡି (୩୨) ଏବଂ ଶ୍ୟାମସୁନ୍ଦର ମାରାଣ୍ଡି (୪୫)। ଖବର ପାଇ ଟମକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା କାରଣ ଜଣା ପଡ଼ି ନ ଥିଲେ ମଧ୍ୟ ଲୁଗା ଶୁଖାଉଥିବା ତାରଟିରେ କୌଣସି କାରଣବଶତଃ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଏଭଳି ଘଟଣା ଘଟିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିତୁ ରାଇଘାଟି ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାମ କରୁଥିବା ଜଣାପଡ଼ିଥିବା ବେଳେ ଶ୍ୟାମ ରେଲୱେ ପୁଲିସ କନେଷ୍ଟବଳ ଭାବେ କାମ କରୁଥିବା କୁହାଯାଉଛି। ନିତୁଙ୍କ ପ୍ରକୃତ ଗାଁ କେନ୍ଦୁଝର ଜିଲା ଦୈତାରୀ ଥାନା ଟାଙ୍ଗୀରିଆପାଳରେ ହୋଇଥିବାବେଳେ ସେ ଜନିନ୍ଦାପାଳରେ ଘର କରି ରହୁଥିଲା l ସେହିପରି ଶ୍ୟାମ ସୁନ୍ଦରଙ୍କ ଘର ମୟୁରଭଞ୍ଜ ଚକ୍ରଧରପୁରରେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ecb5701e-93c0-4505-bc62-0f24806a0027.jpg)