ଭୁବନେଶ୍ବର: କଟକ ବଡ଼ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ଦ୍ବାରା ଘଟିଥିବା ଦୁଷ୍କର୍ମ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏହା ଏକ ସ୍ପର୍ଶକାତର ଘଟଣା। ଘଟଣାର କ୍ଲିନିକାଲ ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଯେଉଁ ଡାକ୍ତରଙ୍କ ନାମରେ ଅଭିଯୋଗ ଆସିଥିଲା ତାଙ୍କୁ ଗିରଫ କରାଯାଇଛି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଫାଇଣ୍ଡିଙ୍ଗ କମିଟି ରିପୋର୍ଟ ଦେବା ପରେ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗତକାଲି ତଦନ୍ତ ନିର୍ଦ୍ଦେଶ ପରେ ଆଜି ଏସସିବିରେ ତିନିଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି। ଏହି ଟିମ ମେଡିକାଲ କଲେଜରେ ପହଁଚି ତଦନ୍ତ କରିବା ସହ ଏସସିବି ସୁପରିଟେଣ୍ଡେଣ୍ଟ ଓ ଏସସିବି ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛନ୍ତି।
ତଦନ୍ତ କମିଟିର ସୂଚନା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ନିଲମ୍ବନ କରାଯିବ କି ନାହିଁ ସୂଚନା ଦିଆଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି। ପ୍ରିଲିମିନାରି ରିପୋର୍ଟ୍ ସରକାରଙ୍କୁ ପ୍ରଦାନ କରାଯିବ। କାର୍ଡିଓଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ପଚାର ଉଚରା କରାଯିବ। ଏସ ଓ ପି ପାଳନ ହୋଇଥିଲା ନା ନାହିଁ ତାହାର ଅନୁଧ୍ୟାନ କରାଯିବ। ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ ହେବା ନେଇ ସୂଚନା ଦେଇଛନ୍ତି ଡିଏମଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର।
କଟକ ବଡ଼ଡାକ୍ତରଖାନା ହୃଦରୋଗ ବିଭାଗକୁ ଗତ ରବିବାର ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ଉଭୟ ହୃଦ୍ରୋଗରେ ଆକ୍ରାନ୍ତ ଥିଲେ। ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା। ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ଇକୋ ରୁମକୁ ନେଇ ଯାଇଥିଲେ। ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏସସିବି ମେଡିକାଲ କଲେଜ ପରିସରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଡାକ୍ତର ଦିଲବର ସିଂହ ଠାକୁରଙ୍କୁ ଗିରଫ କରାଯାଇଛି। ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି।