ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସରକାରଙ୍କ ସର୍ବାଧିକ ଗୁରୁତ୍ବ

ଭୁବନେଶ୍ବର : ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ସରକାର ଭୁଲିନାହାନ୍ତି। ‘୫ଟି’ (ସ୍ବଚ୍ଛତା, ବୈଷୟିକ କୌଶଳ, ସାମୂହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ) ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇରହିଛି। ହେଲେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ପଞ୍ଚମପାଳି ସରକାରର ବର୍ଷପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମନ୍ତ୍ରୀମାନଙ୍କୁ ଏଭଳି ସଙ୍କେତ ଦେଇଛନ୍ତି। କହିଛନ୍ତି ଯେ ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସରକାରଙ୍କର ସବୁବେଳେ ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି। ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରାଯାଇଛି। ୩୫୦୦ କୋଟି ଟଙ୍କା ବ୍ୟୟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ। କେବଳ ସେତିକି ନୁହେଁ, ଗତ ବର୍ଷକ ମଧ୍ୟରେ ସରକାର ୭୮୬ ଜଣ ଡାକ୍ତର ଓ ୫୧୩୭ ଜଣ ପାରା ମେଡିକାଲ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ଅନ୍ୟପକ୍ଷରେ ପିଲାମାନଙ୍କର ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ହାଇସ୍କୁଲ ମାନଙ୍କର ରୂପାନ୍ତର ସରକାରଙ୍କର ଏବେ ମୁଖ୍ୟ କାର୍ଯ୍ୟକ୍ରମ। ଏଥିପାଇଁ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧୦୦୦ରୁ ଅଧିକ ସ୍କୁଲର ରୂପାନ୍ତର ପାଇଁ ପଦକ୍ଷେପ ନିଆଯାଉଛି। ସେହିଭଳି ଆମର ଯୁବ ସମାଜକୁ ବିଶ୍ବର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଶ୍ବ ଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି। ଓଡ଼ିଶାର ଯୁବକମାନେ ଯେପରି ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ବନ୍ଦିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସରକାରଙ୍କ ବର୍ଷକର ସମସ୍ତ ସଫଳ କାର୍ଯ୍ୟର ତାଲିକା ରଖିଥିଲେ। ପରେ ଅତି ଭୀଷଣ ବାତ୍ୟା ‘ୟାସ୍’ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଉନ୍ନୟନ କମିସନର ତଥା ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଉପସ୍ଥାପନା ରଖିଥିଲେ। ସେହିଭଳି କୋଭିଡ୍ ମୁକାବିଲା ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବିଶଦ ତଥ୍ୟ ରଖିଥିଲେ। ସରକାରଙ୍କର କେଉଁ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ବିସ୍ତୃତ ବିବରଣୀ ଦେଇଥିଲେ। ସନ୍ଧ୍ୟା ପାଞ୍ଚଟାରୁ ଆରମ୍ଭ ହୋଇ ସାତଟା ପର୍ଯ୍ୟନ୍ତ ଏହି ମନ୍ତ୍ରୀ ପରିଷଦ ବୈଠକ ଚାଲିଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଓ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା। ପଞ୍ଚମ ପାଳିର ସରକାର ଆରମ୍ଭ ପୂର୍ବରୁ ମେ’ ୨୦୧୯ ଓଡ଼ିଶା ଫନି ବାତ୍ୟାର ସମ୍ମୁଖୀନ କଲା। ସେବେଠାରୁ ଗତ ଦୁଇ ବର୍ଷ ହେଲା ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକୁ ରାଜ୍ୟ ସାମ୍ନା କରିଆସୁଛି। ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛନ୍ତି। ଓଡିଶାରେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ। ୨୦୨୦ ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି। କରୋନା ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ, ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍‌ର କେତେ ଅଧିକ ଭାରିଏଣ୍ଟ୍‌ର ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ । ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଠିକ୍‌ ଭାବେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି । ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍‌ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଅନ୍ୟ ରାଜ୍ୟଙ୍କୁ ଅକ୍‌ସିଜେନ ଯୋଗାଇବାରେ ସଫଳ ହୋଇଛି ଓ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଛି। ସରକାର ବର୍ତ୍ତମାନ ଟିକାକରଣ ଉପରେ ଫୋକସ ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କୋଭିଡ୍ ମହାମାରୀ ସତ୍ତ୍ବେ ଓଡ଼ିଶା ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ପାଲଟିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କ୍ରୀଡାର ବିକାଶ ପାଇଁ ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।

ବର୍ଷେ ମଧ୍ୟରେ କାଳିଆ ଯୋଜନାରେ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରାଯାଇପାରିଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ ହୋଇଛି। ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିସନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି। ମିସନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରିଶଙ୍କର–ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ପାଇଁ ଅର୍ଥ କମିସନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି।

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ ପାଇଁ ସରକାର କଠିନ ପରିଶ୍ରମ କରୁଛନ୍ତି। ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ବାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି। ଏସବୁ ଆହ୍ବାନ ସତ୍ତ୍ବେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏସବୁ ସଙ୍କଟ ମୁକାବିଲାରେ ରାଜ୍ୟ ବିଜୟୀ ହେବ ତଥା ଓଡିଶାର ରୂପାନ୍ତର (ନୂଆ ଓଡ଼ିଶା ଗଠନ) ନିମନ୍ତେ ଭଲ କାମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର