ଫୋକସ୍‌ରେ ସ୍ବାସ୍ଥ୍ୟ ଓ ଶିକ୍ଷା: ଦୃଷ୍ଟିଭଙ୍ଗୀ ବଦଳିଲା, ପରିବର୍ତ୍ତନ ଆସିଲା

ବରଦାନ ହୋଇଛି ବିଜୁ ସ୍ବାସ୍ଥ୍ୟ କାର୍ଡ, ସ୍ମାର୍ଟ କ୍ଲାସ୍ ରୁମ୍‌ରୁ ବାହାରିବେ ସ୍ମାର୍ଟ ଛାତ୍ରଛାତ୍ରୀ

ସରକାରଙ୍କ ଦୃଷ୍ଟି ଭଙ୍ଗୀ ବଦଳିବା ସହିତ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି ଶିକ୍ଷା କ୍ଷେତ୍ରରେ। ଇତିମଧ୍ୟରେ ଗଣଶିକ୍ଷା, ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ର ବଜେଟ୍ ବଢ଼ିଛି। ଅନ୍ୟପଟେ ନିକଟରେ ଶେଷ ହୋଇଥିବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ବୟାନ କରୁଛି ଯେ ବ୍ୟବସ୍ଥାରେ ସମ୍ଭବତଃ ସୁଧାର ଆସୁଛି। ସ୍ମାର୍ଟ କ୍ଲାସ୍‌ ରୁମ୍‌ରୁ ସ୍ମାର୍ଟ ପିଲା ସୃଷ୍ଟି କରିବା ଲକ୍ଷ୍ୟରେ ଆଗଉଛି ଓଡ଼ିଶା। ତଥ୍ୟ କହୁଛି, ୨୦୨୧ ମାର୍ଚ୍ଚରୁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩୪୬୧ଟି ଓ ୩ୟ ପର୍ଯ୍ୟାୟରେ ୨୩୩୬ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି। ଏହି ଗୋଟିଏ କାର୍ଯ୍ୟକ୍ରମକୁ ଧରି ସରକାର ଶିକ୍ଷା ବ୍ୟବସ୍ଥାକୁ ଚର୍ଚ୍ଚାକୁ ଆଣିଛନ୍ତି। ସରକାର ଲକ୍ଷ୍ୟ ରଖିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା ସମସ୍ତ ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହେବ। ଅର୍ଥାତ୍ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରି, ଅତ୍ୟାଧୁନିକ ବିଜ୍ଞାନଗାର ନିର୍ମାଣ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି ଏବଂ ଅତି ସଂକ୍ଷେପରେ କହିଲେ ସ୍କୁଲ୍ କ୍ୟାମ୍ପସ୍‌ ସୌନ୍ଦର୍ଯ୍ୟୀକରଣ କରାଯାଇଛି।

ଇଂରାଜି ମାଧ୍ୟମ ବିଦ୍ୟାଳୟ ପ୍ରତି ବଢ଼ୁଥିବା ଆକର୍ଷଣରେ ରୋକ୍‌ ଲଗାଇଛନ୍ତି ସରକାର। ଏପରିକି କୋରାପୁଟ ବ୍ଲକର ପଟାଙ୍ଗି ବ୍ଲକର କୋଟିଆଠାରେ ଏକ ଅତିରିକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏଥିସହିତ ୩୧୩ ବ୍ଲକରେ ୩୧୫ ଓଡିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱର ଅନ୍ଧାରୁଆଠାରେ ଏକ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସରକାର ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ଲାଗି ୧୧ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦେଇଛନ୍ତି। ୮ ହଜାର ପଦବି ଲାଗି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୫୦ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’ ପ୍ରକଳ୍ପ କାର୍ଯ୍ୟ କରୁଛି। ଏବର୍ଷ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ ହେବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, ଗଙ୍ଗାଧର ମେହେର ଶିକ୍ଷା ମାନକ କୃଷି ଯୋଜନା କରାଯାଇଛି। ୧୦୬ଟି ହାଇସ୍କୁଲ୍‌କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ସାଇକେଲ୍‌ ବାବଦରେ ପିଲାଙ୍କୁ ୨୬୦୦ ଟଙ୍କା ଦିଆଯାଉଥିବା ବେଳେ ଏବେ ତାହା ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିଭଳି ମହାବିଦ୍ୟାଳୟ ସଂଖ୍ୟା ଏବେ ୧୦୨୪ରେ ପହଞ୍ଚିଛି। ସାଧାରଣ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୬କୁ ବଢ଼ିଛି। ସ୍ନାତକ ମେଧାବୃତ୍ତି ଅଧୀନରେ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର, ସ୍ନାତକୋତ୍ତର ମେଧାବୃତ୍ତି ଅଧୀନରେ ୫ ହଜାର ମେଧାବୀଙ୍କୁ ବାର୍ଷିକ ୧୫ ହଜାର, ଦେଶରେ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ମେଧାବୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ପାଇଁ ୨୦୧୬-୧୭ରୁ ୨୦ ହଜାର ଟଙ୍କା(ଏକକାଳୀନ) ୧୨ ଶହ ସ୍ନାତକ ଓ ୩୦୦ ସ୍ନାତକୋତ୍ତର ମେଧାବୀଙ୍କୁ ଦିଆଯାଉଛି। ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗୋପବନ୍ଧୁ ସହାୟତା ଯୋଜନା ସହ କଳିଙ୍ଗ ଶିକ୍ଷା ସହାୟତା ଯୋଜନା ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ସହାୟକ ହୋଇଛି। ଯୁକ୍ତ୨ ମେଧାବୀଙ୍କୁ ଲାପ୍‌ଟପ୍‌ ପ୍ରଦାନ ପାଇଁ ହୋଇଥିବା ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି। ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ନିମନ୍ତେ ଓଡ଼ିଶାର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ତାଲିମ ବ୍ୟବସ୍ଥା ଏବର୍ଷ ହୋଇଛି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୧୧ଟି ଉତ୍କର୍ଷ କେନ୍ଦ୍ର(ସିଓଇ) କାର୍ଯ୍ୟ କରୁଛି। ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରି ମହାବିଦ୍ୟାଳୟ ପ୍ରତିଷ୍ଠା ଲାଗି ପଦକ୍ଷେପ ନିଆଯାଇଛି।

ଦକ୍ଷତା ପ୍ରତିଷ୍ଠାନଗୁଡିକର ଭିତ୍ତିଭୂମି ସମ୍ପ୍ରସାରଣ ଓ ନବୀକରଣ ହୋଇଛି। ଏବେ ୩୪ଟି ସରକାରୀ ପଲିଟେକ୍‌ନିକ୍ସ, ୮୨ଟି ଦକ୍ଷତା ବିକାଶ କେନ୍ଦ୍ର, ୨ଟି ପରିଚାଳନା ପ୍ରତିଷ୍ଠାନ, ୫ଟି ଇଞ୍ଜିନିୟରିଂ କଲେଜ ଓ ୩ଟି ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ୬୦ଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ପ୍ରତିଷ୍ଠା ହୋଇଛି। ଦେଶର ଶ୍ରେଷ୍ଠ ୧୦୦ ଆଇଟିଆଇ ମଧ୍ୟରେ ଓଡ଼ିଶାର ୬ ସ୍ଥାନ ପାଇବାର ଗୌରବର ବିଷୟ। ଆଇଟିଆଇରେ ଝିଅମାନଙ୍କ ନାମଲେଖାକୁ ସୁଦୃଢ କରିବାକୁ ଆରମ୍ଭ ହୋଇଥିବା ‘ସୁଦକ୍ଷା’ ଯୋଜନା ଅତ୍ୟନ୍ତ ସଫଳ ହୋଇଛି। ୨୦୧୬-୧୭ରେ ଛାତ୍ରୀମାନଙ୍କ ଯୋଗଦାନ ୬% ଥିବା ବେଳେ ୨୦୨୩ରେ ତାହା ୨୨.୫%ରେ ପହଞ୍ଚିଛି। ପଲିଟେକ୍‌ନିକ୍‌ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଛାତ୍ରୀଙ୍କୁ ସୁଦକ୍ଷା ଯୋଜନାରେ ନାମ ଲେଖାଇବାକୁ ନିଷ୍ପତ୍ତି ହୋଇଛି। ୨୦୨୧ରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ୧୬ରୁ ଅଧିକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇଛି। ଓଡିଶା ସ୍କିଲ୍‌ କନକ୍ଲେଭ-୨୦୨୩ ମାଧ୍ୟମରେ ୨୪ରୁ ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କ୍ଲାଉଡ୍‌ କମ୍ପ୍ୟାଟିଂ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ଅଗମେଣ୍ଟେଡ୍‌ ରିଅଲିଟି-ଭର୍ଚୁଆଲ୍‌ ରିଅଲିଟି, ଡାଟା ସାଇନ୍ସ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏସବୁ ଏଇଥିପାଇଁ ହୋଇଛି, କାରଣ ୨୦୨୩-୨୪ରେ ବଜେଟ୍‌ ବଢ଼ିଛି। ଗଣଶିକ୍ଷା ବିଭାଗ ପାଇଁ ୨୨,୫୨୮କୋଟି, ଉଚ୍ଚଶିକ୍ଷା ବିଭାଗ ପାଇଁ ୩,୧୭୩ କୋଟି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବରଦାନ ହୋଇଛି ବିଜୁ ସ୍ବାସ୍ଥ୍ୟ କାର୍ଡ

ଉଚ୍ଚମାନର ସ୍ବାସ୍ଥ୍ୟସେବା ନାଗରିକଙ୍କର ଏକ ମୌଳିକ ଅଧିକାର। ଏହା ଏକ ସମାଜର ଅଗ୍ରଗତିକୁ ଚିହ୍ନିତ କରିବାରେ ବିଶେଷ ଭୂମିକା ନିର୍ବାହ କରିଥାଏ। ଓଡ଼ିଶାରେ ବିଜୁ ଜନତା ଦଳ ନେତୃତ୍ବାଧୀନ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛନ୍ତି। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ନୀତି, ଭିତ୍ତିଭୂମି ବିକାଶ ଓ ଅନ୍ତର୍ଭୁକ୍ତୀ ସ୍ବାସ୍ଥ୍ୟସେବା ନିଶ୍ଚିତ ଭାବେ ଜନସାଧାରଣଙ୍କ ଚିକିତ୍ସା ଉପଲବ୍ଧତା ଓ ସୁଲଭତାକୁ ସୁନିଶ୍ଚିତ କରିଛି ଏବଂ ଏଥିପାଇଁ ବିଗତ ଦଶନ୍ଧିମାନଙ୍କରେ ଓଡ଼ିଶାବାସୀଙ୍କ ସାମଗ୍ରିକ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି।
ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ଭିତ୍ତିଭୂମି ହେଉଛି ମେରୁଦଣ୍ଡ ସଦୃଶ। ଏହାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ସଂରଚନା ବିକଶିତ କରିବା ଦିଗରେ ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି। ନୂତନ ମେଡିକାଲ୍ କଲେଜ, ଅତ୍ୟାଧୁନିକ ହସ୍‌ପିଟାଲ୍, ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ସାଙ୍ଗକୁ ପୂର୍ବରୁ ଥିବା ଡାକ୍ତରଖାନାଗୁଡ଼ିକର ନବୀକରଣ ଦିଗରେ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ଫଳସ୍ବରୂପ ଉଭୟ ସହର ଓ ଗ୍ରାମାଞ୍ଚଳରେ ଚିକିତ୍ସା ଉପଲବ୍ଧତା ବୃଦ୍ଧି ପାଇଛି। ଅପରପକ୍ଷେ ଆଡଭାନ୍‌ସ୍‌ଡ ଟ୍ରମା ସେଣ୍ଟର୍‌, ସୁପର ସ୍ପେସାଲିଟି ହସ୍‌ପିଟାଲ୍ ଓ ଟେଲିମେଡିସିନ୍ ସେଣ୍ଟର୍ ଗୁଡ଼ିକର ପ୍ରତିଷ୍ଠା ହେବା ଫଳରେ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାର ମାନ ବୃଦ୍ଧି ପାଇଛି ଏବଂ ରାଜ୍ୟର ସୁଦୂର ଅଞ୍ଚଳଗୁଡ଼ିକୁ ମଧ୍ୟ ଉନ୍ନତ ସ୍ବାସ୍ଥ୍ୟସେବାର ସୁବିଧା ପହଞ୍ଚିପାରିଛି।
ନବୀନ ପଟ୍ଟନାୟକଙ୍କ ସରକାର ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ବ ଆରୋପ କରିଛନ୍ତି। ସୁଦୃଢ଼ ପ୍ରାଥମିକ ସ୍ବାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରତିଷେଧକ ବ୍ୟବସ୍ଥାକୁ ଅଗ୍ରାଧିକାର ମିଳିବା ଯୋଗୁଁ ବିଭିନ୍ନ ସାଧାରଣ ରୋଗକୁ ପ୍ରାଥମିକ ସ୍ତରରୁ ନିବାରଣ କରାଯିବା ଫଳରେ ଅନ୍ୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରୁ ଚାପ ହ୍ରାସ ପାଇଛି। ଅପରପକ୍ଷେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଅସ୍ବଚ୍ଛଳ ବର୍ଗର ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଯୋଜନାରେ ଲାଭାର୍ଥୀମାନେ ରୋଗ ନିରୂପଣ, ମେଡିସିନ୍, ଅସ୍ତ୍ରୋପଚାର ସେବା ସଂପୂର୍ଣ୍ଣ ମାଗଣାରେ ହାସଲ କରିପାରୁଛନ୍ତି। ଏହି ଯୋଜନା ଯୋଗୁଁ ଗରିବ ଲୋକମାନେ ଆର୍ଥିକ କାରଣରୁ ଅତ୍ୟାଧୁନିକ ଅସ୍ତ୍ରୋପଚାର ଭଳି ଚିକିତ୍ସା ସେବାରୁ ଆଉ ବଞ୍ଚିତ ହେଉନାହାନ୍ତି କି ଚିକିତ୍ସା ପାଇଁ ଘରବାଡ଼ି ବିକି ସର୍ବସ୍ବାନ୍ତ ହେବା ଭଳି କରୁଣ ଘଟଣା ଆଉ ଦେଖିବାକୁ ମିଳୁନାହିଁ।
ମାତୃ ଓ ଶିଶୁ ସ୍ବାସ୍ଥ୍ୟରେ ଉନ୍ନତି ଲାଗି ବିଜେଡି ସରକାର ବର୍ଷ ବର୍ଷ ଧରି ଯେଉଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହାର ସକାରାତ୍ମକ ଫଳ ମିଳିଛି। ‘ମମତା’ ଓ ‘ମିଶନ ଶକ୍ତି’ ଭଳି ଯୋଜନା ଦ୍ବାରା ଗର୍ଭବତୀ ମହିଳା ଓ ନବଜାତଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଖାଦ୍ୟ ଯୋଗାଣ, କାଉନ୍‌ସେଲିଂ ଆଦି ବହୁମୁଖୀ ସେବା ଯୋଗୁଁ ମାତୃ ଓ ନବଜାତ ମୃତ୍ୟୁ ହାରରେ ଉଲ୍ଲେଖନୀୟ ହ୍ରାସ ଘଟାଯିବା ସମ୍ଭବ ହୋଇଛି। ସେହିପରି ଠିକ୍ ସମୟରେ ଟିକା ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ଯୋଗୁଁ ସମଗ୍ର ରାଜ୍ୟର ଶିଶୁମାନଙ୍କ ସୁସ୍ଥ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାକୁ ଉଦ୍ୟମ କରାଯାଉଛି।
ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଜନଜୀ ଏକ୍‌ସପ୍ରେସ୍ ଆମ୍ବୁଲାନ୍‌ସ ଓ ମୋବାଇଲ୍ ହେଲ୍‌ଥ ୟୁନିଟ୍ ଭଳି ଅଭିନବ ସେବାର ପରିକଳ୍ପନା କରିଛନ୍ତି। ଏହା ଦ୍ବାରା ଅପହଞ୍ଚ ଇଲାକାକୁ ଠିକ୍ ସମୟରେ ତଥା ନିୟମିତ ଭାବେ ସ୍ବାସ୍ଥ୍ୟସେବା ସୁବିଧା ପହଞ୍ଚାଯିବା ସମ୍ଭବ ହୋଇଛି। ଅଧିକନ୍ତୁ ସରକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ-ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠାକୁ ଉତ୍ସାହିତ କରି ତୃଣମୂଳ ସ୍ତରକୁ କିଭଳି ସ୍ବାସ୍ଥ୍ୟସେବା ପହଞ୍ଚିପାରିବ ସେ ନେଇ ବିଶେଷ ତତ୍ପରତା ପ୍ରକାଶ କରିଆସିଛନ୍ତି। ଆଦିବାସୀ ଓ ଉପାନ୍ତ ଅଞ୍ଚଳର ଲୋକମାନେ ଏହା ଦ୍ବାରା ବିଶେଷ ରୂପେ ଉପକୃତ ହେଉଛନ୍ତି।

ସମ୍ବନ୍ଧିତ ଖବର