କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣକୁ ଆହୁରି ବଢ଼ାଇବାକୁ ହେବ: ପରିବାର ‌କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ନୂଆ ଭାରିଆଣ୍ଟ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ୫୦୦ତଳକୁ ଖସିଯାଇଥିବା ସଂଖ୍ୟା ଏବେ ୮ହଜାର ଟପିଲାଣି। ତେବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ରାଜ୍ୟରେ ଜାରି ରହିଛି ବୁଷ୍ଟର ଡୋଜ ଟିକାକରଣ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୬ହଜାର ୬୮୪ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇସାରିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର ‌କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ତାଙ୍କ କହିବା ମୁତାବକ, ଗତକାଲି ୪୬ହଜାର ୧୦୯ଜଣକୁ ବୁଷ୍ଟର ଡୋଜ ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯୬ହଜାର ୬୮୪ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇସାରିଲାଣି। ଏହା ଭିତରେ ସ୍ବାସ୍ଥ୍ୟସେବା କର୍ମଚାରୀ ୨୦ ହଜାର ୧୩୦ଜଣ, ଆଗଧାଡ଼ିର କରୋନା ଯୋଦ୍ଧା ୧୨ ହଜାର ୧୩୩ ଜଣ, ୬୦ବର୍ଷରୁ ଉର୍ଦ୍ଧ୍ବ ୧୩ହଜାର ୮୪୬ଜଣ ରହିଛନ୍ତି। ଏହା ସହ ୧୫ରୁ ୧୮ବର୍ଷ ବୟସ୍କଙ୍କୁ ମଧ୍ୟ ଟିକାକରଣ ଜାରି ରହିଛି। ଗତକାଲି ସୁଦ୍ଧା ୭୯ହଜାର ୫୨୭ଜଣ କିଶୋରଙ୍କୁ ଟିକା ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ୫ ହଜାର ୫୫୩ଜଣ ଟିକା ନେଇସାରିଛନ୍ତି, ଯାହା ଟାର୍ଗେଟର ୩୪% ଅଟେ। ଆଜି ସୁଦ୍ଧା ରାଜ୍ୟରେ ୫କୋଟି ୩୨ଲକ୍ଷ ୧୩ହଜାର ଟିକା ଦିଆଯାଇସାରିଲାଣି। ପ୍ରଥମ ଡୋଜ ୯୨ପ୍ରତିଶତ ଓ ଦ୍ୱିତୀୟ ଡୋଜ ୯୦ ପ୍ରତିଶତ ଲୋକେ ନେଇସାରିଲେଣି।

ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ନେଇ ସେ କହିଛନ୍ତି ଯେ, ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଟିକାକରଣକୁ ଆହୁରି ବଢ଼ାଇବାକୁ କୁହାଯାଇଛି। ସେଥିପାଇଁ ଯେଉଁମାନେ ପ୍ରଥମ ଡୋଜ ନେଇନାହାନ୍ତି ସେମାନଙ୍କୁ ଘରକୁ ଘର ବୁଲି ଚି଼ହ୍ନଟ କରାଯାଇ ଟିକା ଦିଆଯାଉଛି। ଏହି ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ ।

ସମ୍ବନ୍ଧିତ ଖବର