ସିବିଏସ୍‌ଇ ସ୍କୁଲରେ ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା ବାଧ୍ୟତାମୂଳକ

ଭୁବନେଶ୍ବର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟଗୁଡ଼ିକରେ ଏଣିକି ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା କ୍ଲାସ୍ ବାଧ୍ୟତାମୂଳକ କରାଯାଇଛି। ଗତ ୨୦୧୮-୧୯ ଶିକ୍ଷାବର୍ଷରେ ସ୍କୁଲଗୁଡ଼ିକର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ବାଧ୍ୟତାମୂଳକ ହୋଇଥିଲା। ମୂଲ୍ୟାୟନ ବ୍ୟବସ୍ଥା ବି କରାଯାଇଥିଲା। ତେବେ ୨୦୧୯-୨୦ ଶିକ୍ଷାବର୍ଷଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଏହାକୁ ଲାଗୁ କରାଯିବ। ସ୍କୁଲର ସବୁ ଶ୍ରେଣୀ ପାଇଁ ପ୍ରତିଦିନ ଏକ ସ୍ବତନ୍ତ୍ର ପରିୟଡ୍‌ ରହିବ। ଏହି ପିରିୟଡ୍‌ରେ ଛାତ୍ରଛାତ୍ରୀ ଖେଳ ପଡ଼ିଆକୁ ଯିବାକୁ ପଡ଼ିବ। ସେଠାରେ ସେମାନେ ଇଚ୍ଛା ଅନୁଯାୟୀ ଶାରୀରିକ ଶିକ୍ଷାକୁ ଗ୍ରହଣ କରିପାରିବେ। ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରିବା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେବେ। ପ୍ରତିଦିନ ଗୋଟିଏ ପିରିୟଡ୍‌ ସ୍ବାସ୍ଥ୍ୟ ଓ ଶାରୀରିକ ଶିକ୍ଷା ପାଇଁ ସଂରକ୍ଷିତ ରଖିବେ।

ସିବିଏସ୍‌ଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ମେଦବହୁଳତା ବଢ଼ୁଥିବା ଦେଖିବାକୁ ମିଳୁଛି। କମ୍‌ ବୟସରୁ ସେମାନେ ବିଭିନ୍ନ ସମସ୍ୟାରରେ ପଡ଼ୁଛନ୍ତି। ତେଣୁ ମେଦବହୁଳତା ହଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଆଗରୁ ସ୍କୁଲଗୁଡ଼ିକରେ ଉଚ୍ଚ ଶ୍ରେଣୀଗୁଡ଼ିକରେ ଶାରୀରିକ ଶିକ୍ଷା ରଖାଯାଉଥିଲା। ଏବେ ତାହାକୁ ସ୍ବାସ୍ଥ୍ୟ ଓ ଶାରୀରିକ ଶିକ୍ଷା ଶ୍ରେଣୀରେ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ଗୋଟାଏ ପିରିୟଡ୍ ରହିବ। ଏହାଦ୍ବାରା ପିଲାଙ୍କ ମଧ୍ୟରେ ଐକ୍ୟବୋଧତା ସୃଷ୍ଟି ହେବ। ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବେ। ତେବେ ଏଥିରେ କୌଣସି ପରୀକ୍ଷା ନିଆଯିବ ନାହିଁ। ପିରିୟଡ୍‌ରେ କେଉଁ ଭଳି କ୍ରୀଡ଼ା ରଖାଯିବ, ତାହା ସମ୍ପୃକ୍ତ ସ୍କୁଲ୍ କର୍ତୃପକ୍ଷ ଚୟନ କରିବେ। ଏହି ପିରିୟଡ୍ ପାଇଁ ସ୍କୁଲ୍ କୌଣସି ପିଇଟି ନିଯୁକ୍ତି କରିବେ ନାହିଁ। ସମ୍ପୃକ୍ତ ସ୍କୁଲର ଯେକୌଣସି ଶିକ୍ଷକ ଏହାକୁ ପରିଚାଳନା କରିବେ। ଏଥିପାଇଁ ୧୫୦ପୃଷ୍ଠା ସମ୍ବଳିତ ଗାଇଡଲାଇନ୍ ପ୍ରସ୍ତୁତ ସରିଛି। ଖୁବ୍‌ଶୀଘ୍ର ତାହାକୁ ଜାରି କରାଯିବ ବୋଲି ଅଧିକାରୀଜଣକ କହିଛନ୍ତି।

ସମ୍ବନ୍ଧିତ ଖବର