କାଶୀପୁରରେ ଡେପଥେରିଆ ଲକ୍ଷଣ; ତେନ୍ତୁଳିଖୁଣ୍ଟି ସୀମାନ୍ତ ଗାଁରେ ସଚେତନତା ଅଭିଯାନ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସୀମାନ୍ତ କାଶୀପୁର ଅଂଚଳରେ ଡେପଥେରିଆ ଲକ୍ଷଣ ଦେଖାଦେଇଛି। କିଛି ଲୋକଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଦେଖାଦେଇଥିବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି ସୀମାନ୍ତ ଗାଁ ଗୁଡିକରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ଥିବା ଟାଙ୍ଗନି କୋଟ ଗୁରୁମାଇଁ ଗୁଡା, ବାଗ୍ରା, ତଳଙ୍ଗ ଏବଂ ଝଲାଗୁଡା ଗାଁ କାଶୀପୁର ସୀମାନ୍ତକୁ ଲାଗିରହିଛି। ଏଣୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଳୟ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ଉପରକ୍ତ ଗାଁ ଗୁଡ଼ିକରେ ବ୍ୟାପକ ସଚେତନ କରାଯାଇଛି।

ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସମ୍ପୃକ୍ତ ଗ୍ରାମରେ ପହଂଚି ଜନ ସଚେତନ କରିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଭିବିଡି କଂଶୁଲେଟେଡ ଦିନେଶ କୁମାର ପ୍ରହରାଜ, ଡିଭିଏଲଏମ ମଳୟ ରଞ୍ଜନ ପାଣିଗ୍ରାହୀ, ପ୍ରଦୀପ କୁମାର ବିଷୋୟୀ ଗ୍ରାମବାସୀଙ୍କ ମଧ୍ୟରେ ଏହି ରୋଗର ଲକ୍ଷଣ ସମ୍ପର୍କରେ ସଚେତନ କରିଥିଲେ। କାଶୀପୁର ଅଂଚଳରୁ ଲୋକେ ଏହି ଗ୍ରାମ ଗୁଡିକୁ ଚଳପ୍ରଚଳ କରୁଥିବା ଯୋଗୁଁ ଆଗୁଆ ସଚେତନତା କରାଯାଇଛି। ସାମାନ୍ୟ ଜ୍ୱର, ଦୁର୍ବଳତା ଅନୁଭବ, ଗଳା ଦରଦ ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶା ଅଙ୍ଗନବାଡି ତଥା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଯୋଗାଯୋଗ କରି ଡାକ୍ତରୀ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ବର୍ତ୍ତମାନ ସୁଦ୍ଧା ଏହି ପାଞ୍ଚ ଗ୍ରାମରେ କୌଣସି ଲକ୍ଷଣ ଦେଖାଯାଇନି। ସେହିପରି ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ, ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କୁ ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଏହି ଗ୍ରାମ ଗୁଡିକ କପୁର ସବସେଣ୍ଟର ଅଧୀନରେ ଥିବା ଯୋଗୁଁ ଏଠାକାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ତୃଷ୍ଣାମୋୟୀ ବେହେରା, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ ଦାସ ଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର