ଭୁବନେଶ୍ବର: ମୋହନ ମାଝୀଙ୍କ ସରକାର ଓଡ଼ିଶାର ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇଛନ୍ତି। ଏଥି ପାଇଁ ସରକାର ୨୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଏହି ଯୋଜନାର ନାମ ଆୟୁଷ୍ମାନ ଯୋଜନା ରଖିଛନ୍ତି। ଆୟୁଷ୍ମାନ ଏଥିରେ ଆୟୁଷ୍ମାନ ଭାରତ ଯୋଜନାରେ ୫୦୦ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୫୪୫୦ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ଯୋଜନାରେ ୨୪୬୨ କୋଟି ଓ ଜାତୀୟ ସ୍ବାସ୍ଥ୍ୟ ମିସନ ସାମିଲ ରହିଛି। ବଜେଟ୍‌ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଚଳିତ ବର୍ଷର ଆର୍ଥିକ ବଜେଟ୍‌ ଗତବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ।

Advertisment

ମୋହନ ମାଝୀ କହିଛନ୍ତି, ନିର୍ବାଚନ ପୂର୍ବ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ କ୍ୟାସଲେସ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହା ଦ୍ବାରା ରାଜ୍ୟ ରାଜକୋଷ ଉପରେ ବୋଝ କମିବ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ କ୍ୟା‌ସଲେସ ଚିକିତ୍ସା ସୁବିଧା ପାଇପାରିବେ।

ଲୋକମାନଙ୍କୁ ମାଗଣା ଔଷଧ, ବ୍ୟାପକ ନିଦାନ‌ ସେବା ଓ ବିଶେଷଜ୍ଞ ଓ ସୁପର ସ୍ପେଶାଲିଟି ସେବା ତଥା ବ୍ୟାପକ ପ୍ରାଥମିକ ଚିକିତ୍ସା ସୁବିଧା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ମାନଦଣ୍ଡ ଅନୁଯାୟୀ ଆମ ସରକାର ସମସ୍ତ ଉପ‌ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ ସହଜ କରିବାକୁ ଯୋଜନା କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

ସରକାର ସମସ୍ତଙ୍କୁ ମାଗଣାରେ ସାର୍ବଚନୀନ ବ୍ୟାପକ ଚକ୍ଷୁ ଯତ୍ନସେବା  ଯୋଗାଇଦେବା ଉଦ୍ଦେଶ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମୋତିଆ ବିନ୍ଦୁ, ଗ୍ଲକୋମା ଓ କର୍ଣ୍ଣିଆ ଚିକିତ୍ସା ମିଳିପାରିବ। ଏହି ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି। ସେହିପରି ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଙ୍କ ନିକଟରେ ଚିକିତ୍ସା ସୁବିଧା ପହଞ୍ଚିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।