ଚିତ୍ତଜ୍ଞାନୀ ଚାରିଟେବଲ୍‌ ଟ୍ରଷ୍ଟର ସ୍ବାସ୍ଥ୍ୟ ଚିକିତ୍ସା ଶିବିର : ଗୋଟିଏ ଦିନରେ ୨୨୯୩ ରୋଗୀଙ୍କ ଚିକିତ୍ସା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକରେ ରବିବାର କଟକର ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। କିର୍ମିରା ଶୋଭନ ସ୍ମାରକୀ କଲେଜ ପରିସରରେ ଆୟୋଜିତ ଏହି ମେଗା ଶିବିରରେ କୋଲାବିରା, ଲଇକେରା, କିର୍ମିରା ବ୍ଲକର ବିଭିନ୍ନ ଗ୍ରାମର ଲୋକ ଯୋଗ ଦେଇ ସ୍ବାସ୍ଥ୍ୟପରୀକ୍ଷା ଓ ଚିକିତ୍ସା ସେବା ପାଇଥିଲେ। ଗୋଟିଏ ଦିନରେ ମୋଟ୍‌ ୨୨୯୩ ଜଣ ରୋଗୀ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ। କିଛି ରୋଗୀଙ୍କ ଅସ୍ତ୍ରୋପଚାର ଆବଶ୍ୟକ ଥିବାରୁ ସେମାନଙ୍କୁ ବୁର୍ଲା, କଟକ ତଥା ଅନ୍ୟାନ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଟ୍ରଷ୍ଟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ଏ ପର୍ଯ୍ୟନ୍ତ ରାଜ୍ୟର ୨୬ଟି ଜିଲ୍ଲାର ୩୪ଟି ସ୍ଥାନରେ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କରାଯାଇ ସାରିଥିବା ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡା. ଦତ୍ତେଶ୍ବର ହୋତା ସୂଚନା ଦେଇ କହିଛନ୍ତି ଯେ ଟ୍ରଷ୍ଟ ପକ୍ଷରୁ ଭେଷଜ, ହୃଦ୍‌ରୋଗ, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ରରୋଗ, ଚକ୍ଷୁରୋଗ, ସ୍ତ୍ରୀ ଓ ପ୍ରସୂତି, ଗ୍ୟାଷ୍ଟ୍ରିକ୍‌, ଶ୍ବାସ ରୋଗ, ସ୍ନାୟୁରୋଗ, ସ୍ନାୟୁ ଶଲ୍ୟ, ଚର୍ମ ଓ ଯୌନ, କର୍ଣ୍ଣ, ନାସା, ଗଳା, ଦନ୍ତରୋଗ ପ୍ରଭୃତି ବିଭିନ୍ନ ବିଭାଗର ପୃଥକ କକ୍ଷ ଖୋଲାଯାଇ ସେଠାରେ କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ବୁର୍ଲାରୁ ଆସିଥିବା ବିଶେଷଜ୍ଞ ଡାକ୍ତର ମାନେ ସ୍ବାସ୍ଥ୍ୟ ଚିକିତ୍ସା କରିବା ସହିତ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା, ଇସିଜି, ଏଣ୍ଡୋସ୍କୋପିର ସୁବିଧା କରାଯାଇଛି।

ରବିବାରର ଶିବିରକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିବା ସହ ଟ୍ରଷ୍ଟ୍‌ର ଏକ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଥିଲେ। ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଡା. ହୋତା ଶିବିର ପରିଚାଳନା କରିଥିଲେ। ଏଥିରେ ଡା. ସୁଜାତା ପୂଜାରୀ, ଡା. ବିଶ୍ବଜିତ ଦାସ, ଡା. ଜୀବନଜ୍ୟୋତି ମିଶ୍ର, ଡା. ରାଜେଶ ସାହୁ, ଡା. ବିଦ୍ୟାପତି ଆଚାର୍ଯ୍ୟ, ଡା. ସୁବ୍ରତ ବେହରା, ଡା. ସିଦ୍ଧାର୍ଥ ଦାସ, ଡା. ସନାତନ ବେହେରା, ଡା. ପ୍ରସନଜିତ ମହାନ୍ତି, ଡା. ସିଦ୍ଧାନ୍ତ କର, ଡା. ପତି, ଡା. ଚିତ୍ତରଂଜନ କର, ଡା. ଆର୍.କେ.ମହାପାତ୍ର, ଡା. ଶିଶିର ରଥ, ଡା. ଲିଙ୍ଗରାଜ ପ୍ରଧାନ, ସମ୍‌ରୁ ଆସିଥିବା ଡା. ଲୁଲୁପ ସାହୁ, ଡା. କାଶିନାଥ ସ୍ବାଇଁ, ଡା. ଅମିତ କିରଣ ରଥ, ସମ୍ବଲପୁରରୁ ଆସିଥିବା ଡା. କମଲିତ ବର୍ମା, ଡା. ଦେବାଶିଷ ବେହେରା, ଡା. ଦେବାଶିଷ ବେହେରା(୨), ଡା. ଓଜସ୍ବିନୀ ପଟେଲ, ଡା. ହରପ୍ରିତ ସିଂହ, ନୟନ ପଟେଲ ପ୍ରମୁଖ ବିଶେଷଜ୍ଞ ଡାକ୍ତର ଦିନ ତମାମ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ ସହିତ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର