ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ୱାସ୍ଥ୍ୟସେବା ଯାଞ୍ଚ

ତେଲକୋଇ : ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ନିଜ ଡ୍ୟୁଟି ସମୟରେ ନ ରହି ପ୍ରାଇଭେଟ୍ ପ୍ରାକ୍ଟିକ୍ସ କରୁଥିବା ନେଇ ହାଇକୋର୍ଟରେ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତି ଆବେଦନ କରିଥିଲେ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଶନିବାର ଦିନ ଅଚାନକ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୯ଟା ବେଳେ ଚଢାଉ କରିଥିଲେ।

କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଠିତ ଏହି ଦଳରେ ୨ଜଣ ପ୍ୟାନେଲ ଆଇନଜୀବୀ, ୨ଜଣ ପାରା ଲିଗାଲ ସ୍ବେଚ୍ଛାସେବୀ ଓ ଜଣେ ମହିଳା ଆଇନଜୀବୀ ଅଛନ୍ତି। ସେମାନେ ଶନିବାର ଦିନ ଡାକ୍ତରଖାନା ପରିସର ବୁଲି ଦେଖିବା ସହ ପାଇଖାନା, ଷ୍ଟୋର ରୁମ, ଓଟି, ଡ୍ରେସିଂ ରୁମ୍, ଆଟେଣ୍ଡାଣ୍ଟ ରେଜିଷ୍ଟର, ଔଷଧ ବିତରଣ କକ୍ଷ, ପାଥୋଲ୍ୟାବ, ରୋଗୀ ଶଯ୍ୟା ବୁଲି ଦେଖିଥିଲେ। କେତେକ କିରାଣି ଦାୟିତ୍ୱ ଠିକ୍ ଭାବରେ ତୁଲାଉ ନ ଥିବା ଅନୁଭବ କରିଥିଲେ। ଖାଲି ପଡିଥିବା ଡାକ୍ତର ପଦବି, ଟେକ୍ନିସିଆନ, ଆବଶ୍ୟକ ଗୃହ, ଡାକ୍ତରୀ ଯନ୍ତ୍ରପାତି, ପାନୀୟ ଜଳ, ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଆସନ୍ତା ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ସମସ୍ତ ଭିଡିଓ ପେନ୍ ଡ୍ରାଇଭର ସହିତ ରିପୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନିକଟରେ ଏହି ଟିମ୍ ଦାଖଲ କରିବେ। ସଚିବ ଡିସେମ୍ବର ୩ ତାରିଖ ସୁଦ୍ଧା ହାଇକୋର୍ଟଙ୍କ ନିକଟରେ ମୁଦା ଲଫାପାରେ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଆଇନଜୀବୀ ଜ୍ଞାନେନ୍ଦ୍ର ଜେନା, ମହିଳା ଆଇନଜୀବୀ ଅନନ୍ୟା ଐଶ୍ବର୍ଯ୍ୟା ଦାଶ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରୀତୀଶ କୁମାର ଆଚାର୍ଯ୍ୟ, ଡାକ୍ତର ସୁଧାକର ଖିଲାର, ବିପିଏମ ପପୁକୁମାର ସାହୁ, ନୀଳକଣ୍ଠ ପ୍ରଧାନ, ଶଦ୍ରୁଘ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର