ରାୟଗଡା: ଜିଲ୍ଲାର କାଶୀପୁର ବିଭିନ୍ନ ବିଷୟକୁ ନେଇ ବେଶ ଚର୍ଚ୍ଚିତ। ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ହେଉ ବା ୭୦ ବର୍ଷରେ ୭୦ ବିଡିଓଙ୍କ ବଦଳି ହେଉ ସବୁଥିରେ ଚର୍ଚ୍ଚିତ। ବିଶେଷକରି ପ୍ରତିବର୍ଷ ଝାଡାବାନ୍ତିରେ କାଶୀପୁର ବ୍ଲକରେ ଅକାଳରେ ଜୀବନ ଯାଉଥିବା ଘଟଣା ମଧ୍ୟ ପ୍ରଶାସନ ଏବଂ ସରକାରଙ୍କୁ ଦୋହଲାଇ ଦେଉଛି। ଆଜିର ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ମାରାତ୍ମକ ରୋଗକୁ ଆୟତ୍ତ କରିବାରେ ସଫଳ ହେଉଥିବା ବେଳେ ଝାଡାବାନ୍ତି ଭଳି ସଂକ୍ରାମକ ରୋଗକୁ ରୋକିବାରେ ବିଫଳ ଦେଖାଦେଇଛି। କାଶୀପୁର ବ୍ଲକରେ  ରହିଥିବା ୨୪ଟି ପଞ୍ଚାୟତରେ ଆଜି ଲୋକେ ବହୁ ଦୁର୍ଦ୍ଦିନରେ ବସବାସ କରୁଛନ୍ତି। ଗାଁରେ ପିଇବା ପାଣିର ଘୋର ଅଭାବ ସାଂଗକୁ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି। ଝାଡାବନ୍ତିରେ ଗତବର୍ଷ ୧୩ ଜଣଙ୍କର ଜୀବନ ଯାଇଥିଲା। କିନ୍ତୁ ଏହା ପ୍ରକୃତ ରିପୋର୍ଟ ନୁହେଁ। ବାସ୍ତବରେ ଏହାଠାରୁ ମଧ୍ୟ ବହୁ ଜୀବନ ଯାଇଥିବା ଆଜି ବି ଲୋକେ ଯୁକ୍ତି ବାଢନ୍ତି।
Advertisment
ସରକାର ଏବଂ ପ୍ରଶାସନ ଝାଡାବାନ୍ତିରେ ମୃତ୍ୟୁକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଆଜି ବି ଚାଳିଶିରୁ ଊର୍ଦ୍ଧ୍ବ ଗ୍ରାମର ଲୋକେ ଶୁଦ୍ଧ ପାନୀୟ ଜଳ ନପାଇ ବାଧ୍ୟ ହୋଇ ପୂର୍ବରୁ ବ୍ୟବହାର କରିଆସୁଥିବା ନଦୀ ନାଳ ଏବଂ ଚୁଆ ପାଣି ଉପରେ ନିର୍ଭର କରୁଥିବାରୁ ବର୍ଷାଦିନ ଆସିଲେ କାଶୀପୁର ଅଂଚଳରେ ଝାଡାବାନ୍ତି ବ୍ୟାପିଥାଏ। କାଶୀପୁର ପଞ୍ଚାୟତର ଟିକିରି, ଆଡାଜୋର, ଡୁଡୁକାବାହାଲ, ସାଂକ୍ରଡା, ମାଇକଞ୍ଚ, ଗୋରଖପୁର ଭଳି ପଞ୍ଚାୟତର ଦୁର୍ଗମ ଗ୍ରାମରେ ଲୋକେ ଅତି ଦୟନୀୟ ଭାବେ ରହିଛନ୍ତି। ଏହି ପଞ୍ଚାୟତଗୁଡିକର ପ୍ରାୟ ଚାଳିଶିରୁ ଊର୍ଦ୍ଧ୍ବ ଗ୍ରାରେ ଲୋକେ ଶୁଦ୍ଧ ପିଇବା ପାଣି ପାଇପାରୁନଥିବା କୁହାଯାଇଛି। ଏପରିକି ଗୋଟିଏ ପରିବାରର ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରତିବର୍ଷ ହଇଜା ମୃତ୍ୟୁ ରୋକିବାରେ ପ୍ରଶାସନ ବିଫଳ ହେଉଥିବା ଦେଖିବାକୁ ମିଳିଛି।
publive-image
ଗତବର୍ଷ ମୃତ୍ୟୁର ତାଣ୍ଡବ ଦେଖିବା ପରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ, ସାଂସଦ ସମସ୍ତେ କାଶୀପୁର ଅଂଚଳ ଗସ୍ତ କରି ଲୋକଙ୍କୁ ବୁଝାସୁଝା କରିବା ସହ ଏହାର ପ୍ରତିକାର କରାୟିବା ନେଇ ପ୍ରତିଶ୍ରୁତି ଦେଇ ଫେରିଆସିଥିଲେ। ଯେଉଁ ପ୍ରତିଶ୍ରୁତି ଆଜି ବି ପାଣିର ଗାର ସଦୃଶ୍ୟ ହୋଇଛି। ଆଜି ବି ବହୁ ଗ୍ରାମରେ ନଳକୂପ ନାହିଁ। ଯେଉଁଠି ନଳକୂପ ରହିଛି ସେଠାରେ ପିଇବା ଯୁକ୍ତ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି ।ଗତ ଜୁଲାଇ ମାସରେ ହିଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ତାଣ୍ଡବ ଜୁଲାଇ ୯ ତାରିଖରେ ଆରମ୍ଭ ହୋଇ ମାସ ଶେଷର ୩୦ ତାରିଖରେ ଶେଷ ହୋଇଥିଲା। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଧୋବା ମାଝି(୪୦), ସବିତା ନାୟକ(୪୦), ରଜନୀ ଝୋଡିଆ(୧୪), ଅଞ୍ଜ ଝୋଡିଆ(୧୮), ସରୋଜିନୀ ଝୋଡିଆ(୩୦), କାନେଇ ଝୋଡିଆ(୫୯), ଅଗଧୁଆ ଗରଦା(୫୦), ଅର୍ଜୁନ ମାଝୀ(୫୦), ସୁନି ମାଝି(୫୬), ଡାଲମେ ମାଝି(୬୫), ଝାନୁ ମାଝୀ(୫୫), ବିଟା ମାଝି(୨୭), ଗୁରୁବାରୀ ଦୋରା(୫୫)। ଦୁର୍ଗମ ଗାଁରେ ଝାଡାବାନ୍ତି ଆରମ୍ଭ ହେଲେ ଗୁଣିଆଙ୍କର ଭିଡ ଜମେ। ଲୋକେ ଡାକ୍ତରଖାନା ବଦଳରେ ଗୁଣିଆ ନିକଟରେ ଚିକିତ୍ସା କରାଇବା ନେଇ ବିଶ୍ବାସ କରନ୍ତି। ମେଡିକାଲ ଗଲେ ମୃତ୍ୟୁର ଭୟ ରହିଥିବା ଗ୍ରାମବାସୀ ମଧ୍ୟରେ ଅନ୍ଧବିଶ୍ବାସ ଭରି ରହିଛି।
ଅନ୍ୟଦିଗରେ ପ୍ରଶାସନ ତରଫରୁ ଝାଡାବାନ୍ତିକୁ ରୋକିବା ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବା ସ୍ଥାନୀୟ ଡାକ୍ତର ନେତ୍ରାନନ୍ଦ ପାତ୍ର ପ୍ରକାଶ କରିଛନ୍ତି। ସମସ୍ତ ବିଭାଗକୁ ଏନେଇ ଚିଠି କରାଯିବା ସହ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ ରକାଇବା ସହ କୂପରେ ବ୍ଲିଚିଂ ପାଉଡର, ହେଲୋଜିନ ବଟିକା ଇତ୍ୟାଦି ପ୍ରଦାନ କରାଯାଉଛି। ପାଣିକୁ ଗରମ କରି ଛାଣି ପିଇବାକୁ ପ୍ରବର୍ତ୍ତାଯାଉଛି। ଗ୍ରାମବାସୀଙ୍କୁ ହାତ ଧୋଇ ଖାଇବା ପାଇଁ ସଚେତନ କରାଯାଉଥିବା ଡାକ୍ତର ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ପ୍ରତିବର୍ଷ ଏଭଳି ସଚେତନତା କରାଯାଉଛି ଏବଂ ଗାଁ ଗାଁକୁ ଟେଙ୍କର ସାହାଯ୍ୟରେ ପାଣି ମଧ୍ୟ ପହଞ୍ଚାୟାଉଛି। କିନ୍ତ ଫଳ ଶୂନ ଦେଖିବାକୁ ମିଳୁଛି।ପ୍ରଶାସନ ଯେତେ ତତ୍ପରତା ଦେଖାଉଥିଲେ ମଧ୍ୟ ଗାଁ ଗାଁରେ ବିଶୁଦ୍ଧ ଜଳ ନପହଞ୍ଚିବା ପର୍ଯ୍ୟନ୍ତ ଝାଡାବାନ୍ତି ଲାଗି ରହିଥିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ବର୍ଷା ଦିନ ଆରମ୍ଭ ହେଲେ କାଶୀପୁର ଅଂଚଳରେ ଝାଡାବାନ୍ତି ଆରମ୍ଭ ହୋଇଯାଏ। ଯାହାକୁ ନେଇ ସରକାର ଏବଂ ପ୍ରଶାସନ ଘନ ଘନ ବୈଠକ କରିବା ସହ ଏହାକୁ କିପରି ରୋକିବେ ସେନେଇ ପ୍ରସ୍ତୁତି ଆରମ୍ଭ କରନ୍ତି। କିନ୍ତୁ ସବୁବେଳେ ଫେଲ ମାରନ୍ତି। ଗତବର୍ଷ ମଧ୍ୟ ସବୁ ପ୍ରକାରର ସଚେତନ ସହ ଲୋକଙ୍କୁ ବୁଝା ଯାଇଥିଲା। କିନ୍ତୁ ବହୁ ଲୋକ ଏହି ସଂକ୍ରାମକ ରୋଗର ଶିକାର ହୋଇ ମୃତ୍ୟୁବରଣ କଲେ।ଏଥର ମଧ୍ୟ ଏହି ସଂକ୍ରାମକ ରୋଗକୁ ପ୍ରଶାସନ ରୋକିବାରେ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।