ଭଦ୍ରକ/ବନ୍ତ : ଭଦ୍ରକ ଜିଲ୍ଲା ଅଧୀନ ବନ୍ତ ବ୍ଲକ୍‌ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ବ୍ଲକ୍‌ରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା କେହି ଡାକ୍ତର ନାହାନ୍ତି। ଫଳରେ ଲୋକଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ମିଳୁନି। ବିନା ଡାକ୍ତରରେ ଏଠାରେ ରାଜ୍ୟ ସରକାର କେଉଁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

Advertisment

ଗତ ୨୨ ତାରିଖରେ ବନ୍ତ ଗସ୍ତରେ ଆସିଥିବା ବେଳେ ଏଠାକାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ‌ସେବା ବାବଦରେ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ପରେ ଶ୍ରୀ ପଟ୍ଟନାୟକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସନ୍ତୋଷ କୁମାର ପାତ୍ରଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ କହିଥିଲେ। ମାତ୍ର ଆଜି ସୁଦ୍ଧା ଡାକ୍ତର ନିଯୁକ୍ତ ହୋଇ ନଥିବା ଜାଣି ଶ୍ରୀ ପଟ୍ଟନାୟକ ଆଜି ପୁଣି ଭଦ୍ରକ ସିଡିଏମଓଙ୍କ ସହ ଏ ବିଷୟରେ ଫୋନ୍‌ରେ କଥା ହୋଇଥିଲେ। ଆଜି ଏ ନେଇ ନିର୍ଦ୍ଦେଶ ଜାରି ହୋଇଛି ଓ ଆସନ୍ତାକାଲି ଜଣେ ଡାକ୍ତର ବନ୍ତ ଡାକ୍ତରଖାନାରେ ନିଯୁକ୍ତ ହେବେ ବୋଲି କହିଥିଲେ ସିଡିଏମଓ ଡାକ୍ତର ପାତ୍ର।

ତେବେ, ଆସନ୍ତାକାଲି ସୁଦ୍ଧା ବନ୍ତ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତ ନହେଲେ କଂଗ୍ରେସ ପକ୍ଷରୁ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।