ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଚିକିତ୍ସାଳୟ ପାଲଟିଲାଣି ଭୂତକୋଠି

ଗଣିଆ : ଗରିବ, ଅସହାୟ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ମାଗଣା ଔଷଧଠାରୁ ମାଗଣାରେ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ଅନେକ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମାସ ମାସ ଧରି ଚିକିତ୍ସାଳୟକୁ ଡାକ୍ତର ଆସୁନାହାନ୍ତି। ଘରେ ବସି ମୋଟାଅଙ୍କର ଦରମା ହାତଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ୍‌ ଛାମୁଣ୍ତିଆ ପଞ୍ଚାୟତ ରାଜିଙ୍ଗରେ ଥିବା ସରକାରୀ ହୋମିଓପାଥିକ୍ ଡାକ୍ତରଖାନାରେ।

୧୯୮୪ ମସିହାରେ ଉକ୍ତ ଦୁର୍ଗମ ଅଞ୍ଚଳରେ ସ୍ଥାପିତ ହୋଇଥିଲା ହୋମିଓପାଥିକ ଚିକିତ୍ସାଳୟ। ପ୍ରାୟ ୭ ହଜାରରୁ ଅଧିକ ଲୋକ ଏହି ମେଡିକାଲ ଉପରେ ନିର୍ଭର କରନ୍ତି। ତେବେ ଏଠାକୁ ମାସମାସ ଧରି ଡାକ୍ତର କିମ୍ବା କର୍ମଚାରୀ ଆସୁନାହାନ୍ତି। ଡାକ୍ତରଖାନା ପରିସର ଦେଖିଲେ ଏହା ବଣଜଙ୍ଗଲ ପରିବେଶ ପରି ଲାଗୁଛି। ଏହାର ଚାରିପଟେ ଅନାବନା ଗଛଲତା ଉଠିଗଲାଣି। ପାରିପାର୍ଶ୍ବିକ ଅବସ୍ଥାରୁ ମାସମାସ ଧରି ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇନଥିବା ଅନୁମାନ କରିହେଉଛି।

ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ଫରକ ପଡ଼ୁନାହିଁ। ଡାକ୍ତର ଜଣକ ଦରମା ନେଇ ଘରେ ବସିଛନ୍ତି। ହେଲେ ରୋଗୀମାନେ ସ୍ବାସ୍ଥ୍ୟସେବା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେବେ ଏହି ସମସ୍ୟା ଉପରେ ଦୃଷ୍ଟି ଦେବେ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର