ଭୁବନେଶ୍ବର: ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘ ଭିତରେ ଗତ ୪ଦିନ ଧରି ଟଣାଓଟରା ଚାଲିଥିଲା। ଆଜି ଏଥିରେ ପୂର୍ଣ୍ଣଛେଦ ପଡ଼ିଛି। ସଂଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ସଂଘର ଯେଉଁ ଆଲୋଚନା ହୋଇଥିଲା ତାହା ସକାରାତ୍ମକ ରହିଛି। ତେଣୁ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବା ଲାଗି ସଂଘ ରାଜି ହୋଇଛି। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନରୁ ଓହରିବା ନିଷ୍ପତ୍ତି ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ପାଇଁ ଆଶ୍ବସ୍ତି ଆଣିଛି। ଏହାସହ ରାଜ୍ୟର ସରକାରୀ ଡାକ୍ତରଖାନାରେ ରୋଗୀ ସେବାକୁ ନେଇ ଯେଉଁ ବିକଳ ଚିତ୍ର ଆସୁଥିଲା ଆସନ୍ତାକାଲିଠାରୁ ଏଥିରେ ସୁଧାର ଆସିବ ବୋଲି ସ୍ପଷ୍ଟ ହୋଇଛି। 

Advertisment

ବୈଠକ‌ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଛନ୍ତି, ନର୍ସିଂ କର୍ମଚାରୀ ସଂଘକୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରିଛି। ଅନ୍ତଃବିଭାଗୀୟ କମିଟି ଗଠନ ହେବା ସହ ସଂଘର ଦାବି ଉପରେ ଆଲୋଚନା କରାଯିବ। ସଂଘ ମଧ୍ୟ ଆନ୍ଦୋଳନରୁ ଓହରିଯିବାକୁ ରାଜି ହୋଇଛି। ଆଜିଠାରୁ ଆଉ ଆନ୍ଦୋଳନ ହେବ ‌ନାହିଁ ବୋଲି ସଂଘ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ଅପରପକ୍ଷରେ ଆନ୍ଦୋଳନରୁ ଓହରିଯିବା ପ୍ରସଙ୍ଗରେ ସଂଘ ସମୟ ନେଇଛି। ସଂଘର କର୍ମକର୍ତ୍ତା କହିଛନ୍ତି, ମନ୍ତ୍ରୀଙ୍କ ସହ ‌ହୋଇଥିବା ଆଲୋଚନା ସକାରାତ୍ମକ ରହିଛି। ସଂଘ ଯେଉଁ ଅନ୍ତଃବିଭାଗୀୟ କମିଟି ଗଠନ କରିବା ଦାବି ରଖିଥିଲା ତାହାକୁ ଖୁବ୍‌ଶୀଘ୍ର ଗଠନ କରାଯାଇ ଆଲୋଚନା କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ତେଣୁ ରାଜ୍ୟବ୍ୟାପୀ ସଂଘର କର୍ମକର୍ତ୍ତାଙ୍କ ସହ ଆଜି ସଂଧ୍ୟାରେ ଅନ୍‌ଲାଇନ୍‌ ଜରିଆରେ ଆଲୋଚନା କରାଯାଇଛି। ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛି। ଆଜି ରାତିରୁ ନର୍ସିଂ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। 

୧୦ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଚାଲିଥିବା ସିରିଞ୍ଜ ଛାଡ଼ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଜିଠାରୁ ଅହୋରାତ୍ର ଧାରଣା ପାଇଁ ସଂଘ ଘୋଷଣା କରିଥିଲା। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲ ହେଉ ବା କଟକ ଏସ୍‌ସିବି କିମ୍ବା ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ଓ ଭିମ୍‌ସାର ବୁର୍ଲା, ସବୁଠାରେ ସ୍ଥିତି ସମାନ। ଟ୍ରେନି ନର୍ସ, ଫାର୍ମାସିଷ୍ଟ ଓ ଆନ୍ଦୋଳନରେ ନ ଥିବା କିଛି ନର୍ସଙ୍କ ସହାୟତାରେ ରୋଗୀ ସେବା ଚାଲିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରୁଛନ୍ତି। ମାତ୍ର ବାସ୍ତବରେ ରୋଗୀ ସେବାର ସ୍ଥିତି ସଂପୂର୍ଣ୍ଣ ଅଲଗା। ରେଗୁଲାର ଓଟି ବନ୍ଦ ହୋଇ ଯାଇଥିବା ବେଳେ ସାଲାଇନ୍ ଚଢ଼ାଇବା ପାଇଁ କେହି ନାହାନ୍ତି। ବାଧ୍ୟହୋଇ କିଛି ରୋଗୀ ଘରୋଇ ହସ୍ପିଟାଲକୁ ଯାଉଥିବା ନଜରକୁ ଆସିଥିଲା।

ନର୍ସିଂ କର୍ମଚାରୀଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ ପାଇଁ ଘୋଷଣା କରିଥିଲେ। ମାତ୍ର ସଂଘ ରାଜ୍ୟ ସରକାରଙ୍କ ଏହି ଘୋଷଣା ଉପରେ ଭରସା କରିବାକୁ ପ୍ରସ୍ତୁତ ନ ଥିଲା। ଏସ୍‌ମା ଲାଗୁ ହୋଇଥିବା ସତ୍ତ୍ବେ ‌ସେମାନେ ଆନ୍ଦୋଳନ ଜାରି ରଖିଥିଲେ। ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବା ଲାଗି ଚେତାବନୀ ମଧ୍ୟ ଦେଇଥିଲେ। ଦିନକୁ ଦିନ ସ୍ଥିତି ବିଗିଡ଼ି ଯାଉଥିବାରୁ ଆଜି ସଂଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟ ଅତିଥି ଭବନରେ ସଂଘକୁ ଆଲୋଚନା ପାଇଁ ଡାକିଥିଲେ।