ସୁନ୍ଦରଗଡ: ଇଏସ୍‌ଆଇରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ; ନାହାନ୍ତି ଡାକ୍ତର, ମିଳୁନି ଔଷଧ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ଇଏସ୍‌ଆଇର ସମସ୍ତ ହସ୍ପିଟାଲ ଓ ଡିସ୍‌ପେନ୍‌ସରୀରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ବିଭିନ୍ନ ହସ୍ପିଟାଲ ଓ ଡିସ୍‌ପେନ୍‌ସାରୀରେ ଆବଶ୍ୟକ ଡାକ୍ତର ନାହାନ୍ତି। ଯେଉଁ କେତେକ ଡିସ୍‌ପେନ୍‌ସରୀରେ ଡାକ୍ତର ଅଛନ୍ତି, ସେମାନେ ନିୟମିତ ଡିସ୍‌ପେନ୍‌ସାରୀ ଆସୁନାହାନ୍ତି। ପ୍ରତ୍ୟେକ ଡିସ୍‌ପେନ୍‌ସରୀରେ ଔଷଧର ଘୋର ଅଭାବ ଦେଖାଦେଇଛି। କୁଆରମୁଣ୍ଡା, କଲୁଙ୍ଗା, ବାଲିଯୋଡି, ବିଶ୍ରା ଓ ରାଜଗାଙ୍ଗପୁରରେ ଡିସ୍‌ପେନ୍‌ସରୀରେ ଏଭଳି ସ୍ଥିତି ଉପୁଜିଛି। ରୋଗୀମାନେ ବାହାରୁ ଔଷଧ କିଣୁଥିଲେ ହେଁ ସେମାନଙ୍କ ବିଲ୍‌ ପରିଶୋଧ ହୋଇପାରୁ ନାହିଁ। ଏମିତି ଅଭିଯୋଗ କରିଛନ୍ତି ସୁନ୍ଦରଗଡ ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନ।

ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ କହିଛନ୍ତି, ଇଏସ୍‌ଆଇର ରାଜଗାଙ୍ଗପୁର ଠାରେ ଏକ ହସ୍ପିଟାଲ ରହିଛି। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି। ରାଜଗାଙ୍ଗପୁର ଡାକ୍ତରଖାନାରେ ୫ ଜଣ ଡାକ୍ତରରୁ ମାତ୍ର ୩ ଜଣ ଡାକ୍ତର ଅଛନ୍ତି। ବଣାଇଗଡରେ ଅନେକ ଶିଳ୍ପରେ ଶ୍ରମିକମାନେ ଇଏସ୍ଆଇ ପରିସର ଭୁକ୍ତ ଥିଲେ ମଧ୍ୟ ତାଙ୍କ ପାଇଁ ଇଏସ୍ଆଇ ଡାକ୍ତରଖାନା ଖୋଲାଯାଉ ନାହିଁ। ୬୦ କିଲୋମିଟର ରାଉରକେଲା ଆସିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାରେ ବିଭିନ୍ନ କଳକାରଖାନାର ଶ୍ରମିକ ଓ କର୍ତ୍ତୃପକ୍ଷଙ୍କ ଠାରୁ ଇଏସ୍ଆଇ କୋଟି କୋଟି ଟଙ୍କା ଜମା ହେଉଥିଲେ ବି ଇଏସ୍ଆଇ ସ୍ବାସ୍ଥ୍ୟ ବ୍ୟବସ୍ଥାର ଅବନତି କାହିଁକି ହେଉ ନି, ତାହା ବଡ ପ୍ରଶ୍ନବାଚୀ ଛିଡା କରିଛି। ଇଏସ୍‌ଆଇ ନାଁରେ ସରକାର କୋଟି କୋଟି ଟଙ୍କା ସଂଗ୍ରହ କରୁଛନ୍ତି। କିନ୍ତୁ ସେହି ଅର୍ଥକୁ ବିନିଯୋଗ ନ କରି ଶ୍ରମିକମାନଙ୍କୁ ଶୋଷଣ କରାଯାଉଛି। ସରକାର ଏହି ପ୍ରୟାସକୁ ବନ୍ଦ କରି ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥା ଇଏସ୍‌ଆଇ ଜରିଆରେ ଯୋଗାଇ ଦେବାକୁ ଦାବି କରିଛନ୍ତି।

ସମସ୍ୟାର ସମାଧାନ କରିବାକୁ ସୁନ୍ଦରଗଡ ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନ ପକ୍ଷରୁ ଇଏସ୍‌ଆଇ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଜିଲ୍ଲାରେ ସମସ୍ତ ହସ୍ପିଟାଲ ଓ ଡିସ୍‌ପେନ୍‌ସରୀକୁ ଉପଯୁକ୍ତ ଡାକ୍ତର, ନର୍ସ, କର୍ମଚାରୀ ନିଯୁକ୍ତି ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ହସ୍ପିଟାଲକୁ ତୁରନ୍ତ ଆବଶ୍ୟକ ଔଷଧ ଯୋଗାଣ ସହ ବଣାଇଗଡରେ ନୂଆ ଡିସ୍‌ପେନ୍‌ସରୀ ଖୋଲିବା। ଇଏସ୍ଆଇର ସମସ୍ତ ହସ୍ପିଟାଲ ଓ ଡିସ୍‌ପେନ୍‌ସରୀରେ ଶ୍ରମିକମାନଙ୍କୁ କରୋନା ଟିକା ଦେବା ଆଦି ମଧ୍ୟ ଚିଠିରେ ଦର୍ଶାଯାଇଛି। ଏଥିସହ ପୂର୍ବପରି ସ୍ଥାନୀୟ ହସ୍ପିଟାଲମାନଙ୍କୁ ଅଧିକ ଚିକିତ୍ସା ପାଇଁ ରେଫରାଲ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ନ ହେଲେ ଆଗାମି ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ମଜଦୁର ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର