ଗଞ୍ଜାମ: ଶନିବାରଠୁ ପୁଣି ସହରାଞ୍ଚଳରେ ସ୍ବାସ୍ଥ୍ୟ ଯାଞ୍ଚ, ଘରକୁ ଘର ବୁଲି ଲକ୍ଷଣଯୁକ୍ତଙ୍କୁ ଖୋଜିବ ପ୍ରଶାସନ

୪ଦିନ ଯାଞ୍ଚ‌ରେ ନିୟୋଜିତ ହେବେ ୨୦୩  ଟିମ୍‌, ଏଣିକି ପ୍ରତି ବ୍ଲକ୍‌ରେ ରହିବ ଗୋଟିଏ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ବ୍ରହ୍ମପୁର: ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ମିଳୁଛି ସଫଳତା। ସଂକ୍ରମଣରେ ବି ଆସୁଛି ସୁଧାର। ଏଥିଲାଗି ପୁଣି ଜିଲ୍ଲାର ସହରାଞ୍ଚଳ ଗୁଡ଼ିକରେ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କୁ ଖୋଜିବ ପ୍ରଶାସନ। ପୁଣି ୧୮ଟି ସହରାଞ୍ଚଳରେ ଆରମ୍ଭ ହେବ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ। ଆସନ୍ତା ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୪ଦିନ ବ୍ୟାପୀ ଏହି ସ୍ବାସ୍ଥ୍ୟ ଯାଞ୍ଚ ହେବ। ୨୦୩ଟି ସ୍ବାସ୍ଥ୍ୟ ଟିମ୍‌ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ। ଥର୍ମାଲ୍ ସ୍କ୍ରିନିଂ ଓ ଅକ୍ସିମିଟର ସହ ସ୍ବାସ୍ଥ୍ୟଟିମ୍‌ ଯାଞ୍ଚ କରିବେ। ପ୍ରତି ଟିମ୍‌ରେ ଜଣେ ଲେଖାଏଁ ଡାକ୍ତର ରହିବେ। ଲକ୍ଷଣଯୁକ୍ତ ବ୍ୟକ୍ତି ଜଣାପଡ଼ିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଜିଲ୍ଲାର କୋଭିଡ଼୍‌ ପରିଚାଳନା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଜି ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଗୋଟିଏ ବ୍ଲକ୍ ରେ କେବଳ ଗୋଟିଏ ବ୍ଲକ୍‌ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ରଖିବା ଲାଗି ସ୍ଥିର ହୋଇଛି। ଏ ଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।  ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ଚଢ଼ଉକୁ ଅଧିକ ଜୋରଦାର କରିବା ଲାଗି ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସଂକ୍ରାନ୍ତରେ ତହସିଲଦାର ମାନେ ହିଁ ଉତ୍ତରଦାୟୀ ରହିବେ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି। ଦୋକାନ ଗୁଡ଼ିକରେ ବାଉଁଶ ବଦଳରେ ଦଉଡ଼ି ବାନ୍ଧୁଥିବା ଦେଖାଯାଉଛି  । ଏହା ଗ୍ରହଣୀୟ ନୁହେଁ। ଦଉଡ଼ି ବଦଳରେ ବାଉଁଶ ବାନ୍ଧି ସାମାଜିକ ଦୂରତ୍ବ ବଜାୟ ରଖିବା ସହ ପଞ୍ଚ ସୂତ୍ରୀ ନିୟମାବଳୀ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ସମୟରେ ଦୋକାନ ଗୁଡ଼ିକରେ ଭିଡ଼ ଜମୁଥିବାରୁ ସେହି ସମୟରେ ହିଁ ଚଢ଼ଉ କରିବା ଲାଗି ବୈଠକରେ ଆଲୋଚନା ହୋଇଛି। ଅଟୋ ଗୁଡ଼ିକରେ ଅଧିକ ଲୋକଙ୍କ ନେବାକୁ ମନା କରାଯାଇଛି । ତଥାପି ଏହାକୁ ଅଟୋଚାଳକ ମାନେ ପାଳନ କରୁନାହାନ୍ତି। ସାମଗ୍ରୀ ନେବା ଆଣିବାରେ ଅଟୋ ବ୍ୟବହାର କରାଯାଇପାରିବ। ଲୋକଙ୍କୁ ନେବା ଆଣିବା ନ କରିବା ଲାଗି ଅଟୋଚାଳକଙ୍କୁ ସଚେତନ ସହ ଅବଗତ କରାଇବାକୁ ବୈଠକରେ ଆଲୋଚନା ହୋଇଛି।

ସମସ୍ତ ବ୍ଲକ୍‌ରେ ରହିଥିବା ଆମ୍ବୁଲାନ୍ସର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ  । ଏଯାବତ୍ ଆମ୍ବୁଲାନ୍ସ ପରିଚାଳନା ସେଲ୍‌କୁ ସମୁଦାୟ ୨୦୪ ଗୋଟି କଲ୍ ଆସିବା ବୈଠକରେ ସୂଚନା ଦିଆଯାଇଥିଲା। ଆମ୍ବୁଲାନ୍ସ ଆବଶ୍ୟକ କରୁଥିବା ବ୍ୟକ୍ତି ୦୬୮୧୧-୨୬୩୭୭୪ ନମ୍ବରକୁ ଟେଲିଫୋନ୍ କରି ୨୪ ଘଣ୍ଟିଆ ସେବା ପାଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ।

ପ୍ରତ୍ୟେକ ଦିନ ସରପଞ୍ଚ ମାନଙ୍କ ସହିତ ଆଲେଚନା କରି ନିଜ ଅଞ୍ଚଳରେ କୋଭିଡ୍ ପରିଚାଳନା କରିବାକୁ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ଦିନ ଚିକିତ୍ସିତ ହେଉଥିବା କୋଭିଡ୍ ଯୋଦ୍ଧା ମାନଙ୍କ ସହ ଫୋନ୍ ଯୋଗେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ କଥାବାର୍ତ୍ତା କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଭିଡ଼ିଓ କନଫରେନ୍ସିଂରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡ଼ୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର