ହଇଜା ପରେ ଡରାଇଲଣି ଜଣ୍ଡିସ୍‌: ୪ ମାସରେ ସହର ଓ ଏହାର ଆଖପାଖରେ ୨୧ ଆକ୍ରାନ୍ତ

ରାଉରକେଲା: ହଇଜା ପରେ ରାଉରକେଲାବାସୀଙ୍କୁ ଡରାଇଲାଣି ଜଣ୍ଡିସ୍‌। ଗତ ୪ ମାସ ମଧ୍ୟରେ ରାଉରକେଲା ସହର ଓ ଏହାର ଆଖପାଖରେ ୨୧ ଜଣ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ଜଣାପଡ଼ିଛି। ଗତ ଫେବ୍ରୁଆରି ଓ ମାର୍ଚ୍ଚ ୪ରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିଲେ। ଏପ୍ରିଲରେ ୮ ଜଣ ଓ ମେ ମାସରେ ୫ ଜଣ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କିଛି ଆକ୍ରାନ୍ତ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅନ୍ତର୍ଗତ ବେଦବ୍ୟାସ, ବ୍ରାହ୍ମଣୀତରଙ୍ଗ, ଏସ୍‌ଟିଆଇ ଏରିଆ, ଛେଣ୍ଡ କଲୋନିର। ଆଉ କିଛି ଆକ୍ରାନ୍ତ ଲାଠିକଟା, ରାଜଗାଙ୍ଗପୁର ଓ ବଣାଇ ଅଞ୍ଚଳର। ସମସ୍ତଙ୍କ ରକ୍ତନମୁନାର ଜଣ୍ଡିସ୍‌ ଲକ୍ଷଣ ଜଣାପଡିଛି। ବର୍ଷା ଆାରମ୍ଭରୁ ଜଣ୍ଡିସ୍‌ ଚିହ୍ନଟ ହେବା ପରେ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏବେ ସହରରେ ଅଧିକାଂଶ ବସ୍ତି ଓ କଲୋନିକୁ ଯୋଗାଣ ହେଉଥିବା ପାଇପ୍‌ ପାଣି ବିଶୁଦ୍ଧ ନୁହେଁ ବୋଲି ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି।

ଅଧିକାଂଶ ବସ୍ତିର ଡ୍ରେନ୍‌ ଭିତରେ ଏବେ ବି ପାଇପ୍‌ ପାଣି ଯୋଗାଣ ହେଉଛି। ମାସ ମାସ ଧରି ଏଭଳି ଅବସ୍ଥା ରହିଥିଲେ ହେଁ, ଏହା ସ୍ଥାୟୀ ସମାଧାନ ହେଉନି। ଗୋପବନ୍ଧୁପାଲି, ଗଙ୍ଗାଧରପାଲି, ମଧୂସୁଦନପାଲି, ମାଲଗୋଦାମ, ଟିମ୍ବରକଲୋନି, ଧାମରା ବସ୍ତି ସମେତ ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଣି ପାଇପ୍‌ ଯାଇଛି। ଲଗାଣ ବର୍ଷା ପୂର୍ବରୁ ଏସବୁ ପାଇପ୍‌ଗୁଡ଼ିକୁ ସ୍ଥାନାନ୍ତର କରାନଗଲେ ହଇଜା ପରି ଜଣ୍ଡିସ୍‌ ସ୍ଥିତି ସଙ୍ଗିନ ହୋଇପାରେ। ସେମିତି କିଛି ସ୍ଥାନକୁ ଅଧିକାଂଶ ସମୟରେ ଗୋଳିଆ ପାଣି ଯୋଗାଣ ହେଉଛି। ସମ୍ଭାବ୍ୟ ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସଜାଗ ରହିବାର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ଗତ ୬ ମାସ ତଳେ ଅର୍ଥାତ୍‌ ଜାନୁଆରି ମାସରେ ସହରରେ ହଇଜା ସ୍ଥିତି ଅସମ୍ଭାଳ ହୋଇଥିଲା। ପ୍ରାୟ ୧୭ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ୬୦୦ରୁ ଅଧିକ ଆକ୍ରାନ୍ତ ହୋଇ ସରକାରୀ ଡାକ୍ତରଖାନା ସମତେ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଟିମ୍‌ ନୁହେଁ କେନ୍ଦ୍ରୀୟ ଟିମ୍‌ ମଧ୍ୟ ରାଉରକେଲା ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟବିଭାଗର ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର