ସ୍ୱାସ୍ଥ୍ୟ ବିଭାଗ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ରାଜିନାମା : ୪ .୭୪ କୋଟିରେ କ୍ୟାପିଟାଲ ହସ୍ପିଟାଲରେ ହେବ ୩ଟି ଅସ୍ତ୍ରୋପଚାର ଗୃହ

ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିକାଶ ପାଇଁ ୬.୭୪ କୋଟି

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଆଜି ଏକ ରାଜିନାମା ସ୍ବାକ୍ଷର ହୋଇଛି। ଆଜି ଲୋକସେବା ଭବନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଡାକ୍ତର ହର ପ୍ରସାଦ ପଟ୍ଟନାୟକ ଓ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ରାଜିନାମା ସ୍ବାକ୍ଷର କରିଛନ୍ତି। ରାଜିନାମା ଅନୁଯାୟୀ, ଜାତୀୟ ବିମାନବନ୍ଦର ପ୍ରାଧୀକରଣ ଓ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ସାମାଜିକ ଦାୟିତ୍ବବୋଧ ପାଣ୍ଠି ସହାୟତାରେ କ୍ୟାପିଟାଲ ହସ୍ପିଟାଲ ଓ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିକାଶ କରାଯିବ। କ୍ୟାପିଟାଲ ହସ୍ପିଟାଲକୁ ବିମାନବନ୍ଦର କର୍ତ୍ତୃପକ୍ଷ ୪ କୋଟି ୭୪ ଲକ୍ଷ ଟଙ୍କା ଯୋଗାଇ ଦେବେ। ଏହି ଅର୍ଥରେ ହସ୍ପିଟାଲରେ ଦୁଇଟି ମଡ୍ୟୁଲାର ଅପରେସନ ଗୃହ (ଓଟି) ସହିତ ଆଉ ଗୋଟିଏ ସାଧାରଣ ଅସ୍ତ୍ରୋପଚାର ଗୃହ ନିର୍ମାଣ ହେବ। ସେହିପରି ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୋଠାର ସମ୍ପ୍ରସାରଣ କରାଯିବ। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ଯୋଗାଣ ସହିତ ଏଠାରେ ନୂତନ ମହିଳା ଓ ଶିଶୁ ଗୃହ ନିର୍ମାଣ କରିବାକୁ ରାଜିନାମା ସ୍ବାକ୍ଷର ହୋଇଛି। ଏଥିପାଇଁ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୬ କୋଟି ୭୪ ଲକ୍ଷ ଟଙ୍କା ବିମାନ ନ୍ଦର କର୍ତ୍ତୃପକ୍ଷ ପ୍ରଦାନ କରିବେ। ଏହି ରାଜିନାମା ସ୍ବାକ୍ଷର ଅବସରରେ ବିଭାଗର ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମହାପାତ୍ର, ଯୁଗ୍ମ ସଚିବ ସ୍ମିତା ବିଶ୍ବାଳ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, କଟକ ସିଡିଏମଓଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର