କୋଭିଡ୍ ପରିଚାଳନା ପାଇଁ ସରକାରଙ୍କୁ ସାବାସୀ

ରାଜ୍ୟପାଳଙ୍କୁ ସବୁ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ବିଭାଗ, ସମୟୋପଯୋଗୀ ପଦକ୍ଷେପ ନେଇଛି ଓଡ଼ିଶା

ଭୁବନେଶ୍ବର : କରୋନା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ଆସନ୍ତା ୨୬ ତାରିଖରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବେ। ଆଜି କିନ୍ତୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ, ପ୍ରବାସୀ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା, ସରପଞ୍ଚଙ୍କୁ କ୍ଷମତା ପ୍ରଦାନ, କୋଭିଡ୍ ସଂକ୍ରାନ୍ତ ଆବଶ୍ୟକ ସରଞ୍ଜାମ ସଂଗ୍ରହ ଓ ବ୍ୟାପକ ସଚେତନତା କ୍ଷେତ୍ରରେ ଓଡ଼ିଶା ସବୁ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛି ବୋଲି ରାଜ୍ୟପାଳ କହିଛନ୍ତି। ଏହି ପ୍ରକ୍ରିୟା ବଜାୟ ରଖିବାକୁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ପରାମର୍ଶ ବି ଦେଇଛନ୍ତି।

ଆଜି ରାଜଭବନରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅନେକ କ୍ଷେତ୍ରରେ ଓଡ଼ିଶା ଦେଶରେ ଉଚ୍ଚମାନର ପ୍ରଦର୍ଶନ କରିଥିବା ଉଲ୍ଲେଖ କରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଅଭିଜ୍ଞତା ଓ ଦକ୍ଷତାର ଉପଯୋଗ ହୋଇଥିବା କହିଥିଲେ। କୋଭିଡ୍‌ ସହ ବାତ୍ୟା ଓ ପୁରୀ ରଥଯାତ୍ରା ସୁପରିଚାଳନାର ଆହ୍ୱାନକୁ ଦକ୍ଷତାର ସହ ସଂପନ୍ନ କରିଛି ବୋଲି ରାଜ୍ୟପାଳ କହିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିସନର ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଲୋକନାଥ ପାତ୍ର ପ୍ରମୁଖ କୋଭିଡ୍‌ ପରିଚାଳନାର ଉଲ୍ଲେଖନୀୟ ଅନୁଭୂତି ଓ ଉପଲବ୍ଧି ସଂପର୍କରେ ରାଜ୍ୟପାଳଙ୍କୁ ଜଣାଇଥିଲେ। ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜଭବନର ଅଧିକାରୀ ଓ କର୍ମଚାରୀଙ୍କୁ କୋଭିଡ୍‌ ସଂପର୍କରେ ସାଧାରଣ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ରାଜ୍ୟପାଳଙ୍କ ସଚିବ ଡାକ୍ତର ପି.କେ. ମେହେର୍ଦ୍ଦା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର