ଘରୋଇ ହସ୍ପିଟାଲକୁ ଗାଇଡଲାଇନ୍ ଜାରି କଲା ସ୍ବାସ୍ଥ୍ୟ ବିଭାଗ : ନ ମାନିଲେ ପଞ୍ଜୀକରଣ ବାତିଲ, ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟରେ କରୋନା (କୋଭିଡ-୧୯)ର ମୁକାବିଲା ନେଇ ସମସ୍ତ ଘରୋଇ ହସ୍ପିଟାଲ/କ୍ଲିନିକ୍ ଓ ନର୍ସିଂହୋମ୍‌ ଗାଇଡଲାଇନ୍ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ। ଯଦି ସଂପୃକ୍ତ ହସ୍ପିଟାଲରେ କୌଣସି କୋଭିଡ-୧୯ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସଂପୃକ୍ତ ହସ୍ପିଟାଲ କର୍ତୃପକ୍ଷ କିଭଳି ଢଙ୍ଗରେ ଏହାର ପରିଚାଳନା କରିବେ ତାହା ଗାଇଡଲାଇନ୍‌ରେ ଦର୍ଶାଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି ଘରୋଇ ହସ୍ପିଟାଲ/କ୍ଲିନିକ୍‌ରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବା ଜରୁରୀ। ସଂକ୍ରମିତ ବ୍ୟକ୍ତିଙ୍କୁ ତୁରନ୍ତ ଅଲଗା ରଖିବା ସହିତ ତାଙ୍କୁ ଗୋଟିକିଆ କ୍ୟାବିନ୍‌ ସାଙ୍ଗକୁ ଟଏଲେଟ୍‌ ସୁବିଧା ଥିବା ସ୍ଥାନରେ ରଖାଯିବା ଜରୁରୀ। ଯଦି ସଂପୃକ୍ତ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ରହିଛନ୍ତି, ତେବେ ସେଠାରେ ଥିବା ଅନ୍ୟ ରୋଗୀମାନଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରାଯିବ। ଅନ୍ୟ ରୋଗୀମାନଙ୍କୁ କରୋନା ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବୋଲି ବିବେଚନା କରିବା ସହିତ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ପରୀକ୍ଷଣରେ ରଖାଯିବ। ଏହି ସମୟରେ କୌଣସି ରୋଗୀଙ୍କୁ ଡିସଚାର୍ଜ କରାଯିବ ନାହିଁ। ତୁରନ୍ତ ହସ୍ପିଟାଲର କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ରୁମ୍‌ ଓ ଚଟାଣକୁ ତୁରନ୍ତ ବି‌ଶୋଧନ କରାଯିବା ଉଚିତ। ହସ୍ପିଟାଲର ଯେଉଁ କର୍ମଚାରୀମାନେ ସଂପୃକ୍ତ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ୧୪ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ସଂପୃକ୍ତ ହସ୍ପିଟାଲ କର୍ତୃପକ୍ଷ ହସ୍ପିଟାଲରେ ଅଯଥା ଭିଡ଼କୁ ନିୟନ୍ତ୍ରଣ କରିବା ଦିଗରେ ଧ୍ୟାନ ଦେବା ଜରୁରୀ। ତେବେ ‌ଯଦି ଅତ୍ୟନ୍ତ ଜରୁରୀ ଥାଏ ତେବେ ହସ୍ପିଟାଲ କର୍ତୃପକ୍ଷ କୌଣସି ରୋଗୀଙ୍କୁ ଆଡମିଟ୍ କରିପାରିବେ।

ଏହା ବ୍ୟତୀତ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଇସୋଲେସନ୍ ଗୃହ ସହିତ, କ୍ଲିନିକ୍‌ର ସମସ୍ତ ଅଞ୍ଚଳ, ପରୀକ୍ଷାଗାର ଓ ଯେଉଁ ଯେଉଁ ସ୍ଥାନକୁ ସଂପୃକ୍ତ ସଂକ୍ରମିତ ବ୍ୟକ୍ତି ଯାଇଥିବେ, ମେଡିକାଲ ଯନ୍ତ୍ରପାତିଗୁଡ଼ିକୁ ଏନ୍‌ସିଡିସିର ନିୟମାବଳୀ ଅନୁଯାୟୀ ବିଶୋଧନ କରିବାକୁ ବାଧ୍ୟ। ତେବେ ଯଦି କୌଣସି ହସ୍ପିଟାଲ/କ୍ଲିନିକ୍‌ କୋଭିଡ-୧୯ ସଂପର୍କିତ କୌଣସି ନିୟମାବଳୀକୁ ଉଲ୍ଲଂଘନ କରିଥିବା ନଜରକୁ ଆସେ ତାହାଲେ ସଂପୃକ୍ତ ହସ୍ପିଟାଲର ପଞ୍ଜୀକରଣକୁ ବାତିଲ କରାଯିବ। ଆବଶ୍ୟକ ପଡ଼ିଲେ ସଂପୃକ୍ତ ହସ୍ପିଟାଲ କର୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର