ଓମିକ୍ରନ୍‌ ଚିନ୍ତା: ସ୍ୱାସ୍ଥ୍ୟ ବିଭାଗର ଘନ ଘନ ବୈଠକ, ଆରଏମ୍‌ଆରସିରେ ହେବ ଜିନୋମ ସିକ୍ସେନ୍ସିଂ!

ଭୁବନେଶ୍ବର/ଝାରସୁଗୁଡ଼ା : ରାଜ୍ୟରେ ଓମିକ୍ରନ୍ ଓ କୋଭିଡ ସଂକ୍ରମଣ ବଢ଼ିବା ପରେ ସରକାର ତତ୍ପର ହୋଇ ଉଠିଛନ୍ତି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘନ ଘନ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ନମୁନା ପରୀକ୍ଷା, ଶଯ୍ୟା, ଅକ୍ସିଜେନ୍ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଇଛି।

ଓମିକ୍ରନ୍ ସଂକ୍ରମଣ ସମୀକ୍ଷା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ହେବନି। ଶିଶୁଙ୍କ ପାଇଁ ୧,୧୭୯ ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଏହାସହ ୯୩୭ଟି ସାଧାରଣ ଶଯ୍ୟା, ୨୪୨ଟି ଆଇସିୟୁ ଓ ୧୧୦ଟି ଭେଣ୍ଟିଲେଟର ରହିଛି। ଯଦି ଆବଶ୍ୟକ ପଡ଼େ ତାହାଲେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ପ୍ରଶାସନକୁ କୁହାଯାଇଛି। ଓମିକ୍ରନ୍ ସନ୍ଦିଗ୍ଧଙ୍କ ଜିନୋମ ସିକ୍ବେନ୍ସିଂ ଆଉ କେଉଁଠି ହୋଇପାରିବ ସେ ନେଇ ବି ନିର୍ଦେଶ ଦିଆଯାଇଛି। ଏହାସହ ଟିକାକରଣକୁ ଅଗ୍ରଗତି କରିବା କରିବାକୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ଦାସ କହିଛନ୍ତି। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରକେ ଶର୍ମା, ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରାହ୍‌ଣରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୈନିକ ନମୁନା ପରୀକ୍ଷା ବଢ଼ାଇବା ଉପରେ ଜୋର ଦିଆଯାଇଛି। ଦୈନିକ ୭୦ ହଜାର ନମୁନା ପରୀକ୍ଷା ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି।

ଏହାସହିତ କେନ୍ଦ୍ର ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ୮ଟି ଔଷଧ ରାଜ୍ୟ ଔଷଧ ନିଗମରେ ମହଜୁଦ୍‌ ଅଛି ବୋଲି ବିଭାଗ ପକ୍ଷରୁ ଜଣାଇ ଦିଆଯାଇଥିଲା। ଏହାପରେ ମନ୍ତ୍ରୀ ଶ୍ରୀ ଦାସ ଖୁବ୍‌ଶୀଘ୍ର ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେଉଁ ଔଷଧ ଏବଂ କେଉଁ ଜରୁରୀ ସାମଗ୍ରୀକୁ ମହଜୁଦ୍‌ ରଖାଯିବ ସେ ନେଇ ରାଜ୍ୟ ଔଷଧ ନିଗମକୁ ସୁପାରିସ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଅପରପକ୍ଷରେ ଓମିକ୍ରନ୍ ଚିହ୍ନଟ ପାଇଁ ରାଜ୍ୟରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌) ରହିଛି। ମାତ୍ର ଏହା ଉପରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ନିର୍ଭରଶୀଳ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆର୍‌ଟି-ପିସିଆର ପଜିଟିଭ୍ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦେଶ ଦିଆଯାଇଛି। ଯାହାଫଳରେ ଆଇଏଲଏସ୍‌ ଉପରେ ଚାପ ବଢ଼ିବା ସ୍ପଷ୍ଟ ହୋଇଛି। ତେବେ ଆରଏମ୍‌ଆରସି ଭୁବନେଶ୍ବର ମଧ୍ୟ ଜିନୋମ ସିକ୍ବେନ୍ସିଂ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଅନୁମତି‌ ଲୋଡ଼ିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରଏସ୍‌ଆରସିକୁ ଅନୁମତି ଦିଆଯାଏ, ତାହାଲେ ରାଜ୍ୟର ଦ୍ବିତୀୟ ଅନୁଷ୍ଠାନ ଭାବେ ଏହା ଜିନୋମ ସିକ୍ବେନ୍ସିଂରେ ସାମିଲ ହେବ। ଯାହାଫଳରେ ଆଗକୁ ଆଇଏଲଏସ୍‌ ଉପରେ ପଡ଼ୁଥିବା ଚାପ ଅନେକ ମାତ୍ରାରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର