ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ କିଣାହେବ ପିପିଇ କିଟ୍‌: ମନ୍ତ୍ରୀସ୍ତରୀୟ କମିଟିର ଅନୁମୋଦନ

ବୁର୍ଲା, ଆଇଜିଏଚ୍‌,ଏମ୍‌କେସିଜି ଓ ରାୟଗଡ଼ାରେ ହେବ ନମୁନା ପରୀକ୍ଷା, ୩୦ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ଘରେ ଖାଦ୍ୟ ବଣ୍ଟନ

ଭୁବନେଶ୍ବର: କରୋନା ରୋଗୀମାନଙ୍କ ଚିକିତ୍ସା ସେବାରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ପାରାମେଡିକାଲ କର୍ମଚାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଣାଯିବ। ଏଥିପାଇଁ ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ଲୋକସେବା ଭବନରେ ଅନୁଷ୍ଠିତ କୋଭିଡ-୧୯ ସଂକ୍ରାନ୍ତ ମନ୍ତ୍ରୀସ୍ତରୀୟ କମିଟି ପିପିଇ କିଣା ନେଇ ମଞ୍ଜୁରି ଦେଇଛି। ଏହା ସହିତ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ୍‌, ରାଉରକେଲା ଆଇଜିଏଚ୍‌ ହସ୍ପିଟାଲ, ବ୍ରହ୍ମପୁରର ଏମ୍‌କେସିଜି ଓ ରାୟଗଡ଼ା ମେଡିକାଲ୍‌ କଲେଜରେ ରୋଗୀଙ୍କ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ରାଜ୍ୟରେ ବର୍ତ୍ତମାନ ଆର୍‌ଏମ୍‌ଆର୍‌ସି, ଏମ୍‌ସ୍‌ ଓ ଏସ୍‌ସିବିରେ କରୋନା ରୋଗର ପରୀକ୍ଷା ହୋଇପାରୁଛି।

ଆସନ୍ତା ଦିନରେ ଏହାକୁ ଆଉ ୪ଟି ଜିଲ୍ଲା ଯଥା ସମ୍ବଲପୁର, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ ଜିଲ୍ଲାରେ ଥିବା ମୁଖ୍ୟ ମେଡିକାଲ କଲେଜଗୁଡ଼ିକରେ ଆରମ୍ଭ କରାଯିବ। ଧୀରେ ଧୀରେ ସବୁ ଜିଲ୍ଲାରେ କୋଭିଡ଼୍‌ ହସ୍ପିଟାଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବ କମ୍‌ ଦିନ ଭିତରେ ଭୁବନେଶ୍ବର ହାଇଟେକ୍‌ ମେଡିକାଲ୍‌ କଲେଜ୍‌ରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼୍‌ ହସ୍ପିଟାଲ୍‌ ଖୋଲାଯିବ। ଏବେ ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନଙ୍କ ଖାଦ୍ୟ ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କ ଘରେ ପହଞ୍ଚାଉଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ଜେନା କହିଥିଲେ। କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର