ସ୍ୱାସ୍ଥ୍ୟ ବିଭାଗ ଜାରିକଲା ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ-୨୦୨୦’ : କରୋନା ପ୍ରତିଷେଧକ ନିର୍ଦ୍ଦେଶାବଳୀ ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ସରକାର କରୋନାକୁ ବିପର୍ଯ୍ୟୟ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି | ଏହି ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ‘ଓଡ଼ିଶା କୋଭିଡ୍ -୧୯ ଅଧିନିୟମ-୨୦୨୦’କୁ କାର୍ଯ୍ୟକାରୀ କରିଛନ୍ତି। ଏହି ଅଧିନିୟମ ଜରିଆରେ କରୋନାକୁ ରୋକିବା ଲାଗି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଡିଏମଇଟି, ଜିଲ୍ଲାପାଳ ଓ ମୁନିସପାଲ କମିସନରଙ୍କୁ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ଲାଗି କ୍ଷମତା ଦିଆଯାଇଛି। ଏହି ଅଧିକୃତ ଅଧିକାରୀମାନେ ନିର୍ଦ୍ଦେଶାବଳୀ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପାଇଛନ୍ତି।

Image Source: The Times of India

‘ଓଡ଼ିଶା କୋଭିଡ୍ -୧୯ ଅଧିନିୟମ-୨୦୨୦’ ଅନୁସାରେ ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା ରହିବ । ସେହିପରି ଘରୋଇ ଲାବୋରୋଟରୀରେ COVID-19 ର ପରୀକ୍ଷା କରାଯାଇପାରିବନି । କେବଳ ରାଜ୍ୟ ଆଇଡିଏସପି ୟୁନିଟ୍ ଜରିଆରେ ପରୀକ୍ଷଣ ପାଇଁ ନମୂନା ପଠା ଯାଇପାରିବ | ଯଦି କେହି ୧୪ଦିନ ମଧ୍ୟରେ କରୋନା ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖ‌ାନରେ ଜଣାଇବେ । ଅଧିକୃତ ଅଫିସର ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିପାରିବେ । କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସ୍ଥାନରେ କଟକଣା ଜାରି କରିପାରିବେ ।

India TV

ସଂକ୍ରମିତ ଅଞ୍ଚଳକୁ ପ୍ରବେଶ ପ୍ରସ୍ଥାନ ଉପରେ କଟକଣା ଲଗାଇ ପାରିବେ | କରୋନା ସନ୍ଦିଗ୍ଧଙ୍କ ଉପରେ କଡା ନଜର ରଖିପାରିବେ ଅଧିକୃତ ଅଫିସର । କୌଣସି ସରକାରୀ କୋଠାକୁ ସନ୍ଦିଗ୍ଧଙ୍କ ରହଣିସ୍ଥଳ ଘୋଷଣା କରିପାରିବେ | ସନ୍ଦିଗ୍ଧଙ୍କୁ ଏକୁଟିଆ ରଖିବାକୁ ବାଧ୍ୟ କରିପାରିବେ ଅଧିକୃତ ଅଫିସର । ନିର୍ଦ୍ଦେଶ ଅମାନ୍ୟ କଲେ ଆଇପିସି ଧାରା-୧୮୮ରେ ଦଣ୍ଡନୀୟ ବ୍ୟବସ୍ଥା କରାଯାଇଛି |

ସେହିପରି କରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ ହୁଏ ତେବେ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ବାସନ୍ଦ କରାଯାଇପାରେ । ଏହି କାରଣ ପାଇଁ ରୋଗୀଙ୍କ ପରିଚୟ ପ୍ରଘଟ କରିବାକୁ ମନା କରାଯାଇଛି।ସୋସିଆଲ ମିଡିଆରେ ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ କରାଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର