ହାଇକୋର୍ଟରେ ସ୍ବାସ୍ଥ୍ୟ ବିଭାଗର ଷ୍ଟାଟସ୍ ରିପୋର୍ଟ : କରୋନା ଡ୍ୟୁଟିରେ ଅଛନ୍ତି ‌୮,୨୬୩ ଡାକ୍ତର

କଟକ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଏବେ ୮ ହଜାର ୨୬୩ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। କରୋନା ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ଷ୍ଟାଟସ ରିପୋର୍ଟରେ ଏଭଳି କିଛି ତଥ୍ୟ ଦିଆଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡ଼ିଶା ମେଡିକାଲ ହେଲ୍ଧ ସର୍ଭିସେସ୍ କ୍ୟାଡରର ୭ ହଜାର ୨୫୩ ଜଣ ଡାକ୍ତର ଓ ଓଡ଼ିଶା ମେଡିକାଲ ଏଜୁକେସନ୍ କ୍ୟାଡରର ୧ ହଜାର ୧୦ ଜଣ ଡାକ୍ତର ସ୍ବାସ୍ଥ୍ୟ ବିଭାଗ ଅଧୀନରେ ରହିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ୭ ହଜାର ୧୫ ଜଣ ଷ୍ଟାଫ୍ ନର୍ସ, ୨ ହଜାର ୬୮୦ ଜଣ ଫାର୍ମାସିଷ୍ଟ, ୧ ହଜାର ୩୯୭ ଲାବୋରେଟୋରି ଟେକନିସିଆନ୍, ୩୪୨ ଜଣ ରେଡିଓଗ୍ରାଫର, ୪ ହଜାର ୩୩୩ ଜଣ ପୁରୁଷ ସ୍ବାସ୍ଥ୍ୟ କର୍ମୀ (ଏମ୍‌ପିଏଚ୍‌ଡବ୍ଲୁ) ଓ ୧୦ ହଜାର ୩୨୩ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟରତ ଅଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ନିୟମାବଳୀ ଅନୁସାରେ ଡାକ୍ତର ଓ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କୁ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ବିପମେଣ୍ଟ (ପିପିଇ) ଯଥା ସମ୍ଭବ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୦ ଲକ୍ଷ ୨୦ ହଜାର ପିପିଇ ଯୋଗାଇବା ପାଇଁ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ବିଭିନ୍ନ ସଂସ୍ଥାକୁ ଆଦେଶ ଦେଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ୯୦୮, ଦ୍ବିତୀୟ ସପ୍ତାହରେ ୪୪୧, ତୃତୀୟ ସପ୍ତାହରେ ୩୫୨, ଚତୁର୍ଥ ସପ୍ତାହରେ ୧୨୩୬ ପିପିଇ କିଟ୍ ଯୋଗାଇ ଦିଆଯାଇଛି। ଏପ୍ରିଲ ୫ ତାରିଖ ଦିନ ୩ ହଜାର ୨୨୮ଟି ପିପିଇ କିଟ୍ ଷ୍ଟକ୍ ଥିବା କଥା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି। ସେହିଭଳି ଭାବେ ଏପ୍ରିଲ ୫ ତାରିଖ ଦିନ ଏନ-୯୫ ଫେସ୍ ମାସ୍କ ୮୩,୧୨୯, ଟ୍ରିପଲ୍ ଲେୟାର ଫେସ୍ ମାସ୍କ ୬୪,୨୩,୮୨୪, ଅପରେସନ୍ ଗ୍ଲୋଭ୍‌ସ୍ ୭୯,୨୧,୧୮୩, ହ୍ୟାଣ୍ଡ ସାନିଟାଇଜର ୧,୫୫,୦୦୦ ( ୫୦ରୁ ଆରମ୍ଭ କରି ୫୦୦ଏମ୍‌.ଏଲ୍‌. ପର୍ଯ୍ୟନ୍ତ ବୋତଲ) ଷ୍ଟକ ରହିଛି ବୋଲି ହାଇକୋର୍ଟରେ ଉପସ୍ଥାପନ କରାଯାଇଥିବା ଷ୍ଟାଟସ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେହିଭଳି ଭାବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୧୦୮୪୯୭, ଦ୍ବିତୀୟ ସପ୍ତାହରେ ୩୩୨୭୮, ତୃତୀୟ ସପ୍ତାହରେ ୧୦୯୮୧୫ ଓ ଚତୁର୍ଥ ସପ୍ତାହରେ ୩୧୯୧୦୫ଟି ଟ୍ରିପଲ୍ ଲେୟାର ଫେସ୍‌ମାସ୍କ ଯୋଗାଇ ଦିଆଯାଇଛି। ସେହିଭଳି ଭାବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୧୦୪୫୩, ଦ୍ବିତୀୟ ସପ୍ତାହରେ ୧୮୮୯୮, ତୃତୀୟ ସପ୍ତାହରେ ୧୧୯୮୫ ଓ ଚତୁର୍ଥ ସପ୍ତାହରେ ୩୦୮୮୧ଟି ଏନ୍-୯୫ ଫେସ୍‌ମାସ୍କ ଯୋଗାଇ ଦିଆଯାଇଛି ବୋଲି ତଥ୍ୟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର