ଭୁବନେଶ୍ବର: ଡାକ୍ତରଙ୍କ ନିଯୁକ୍ତି ଓ ବଦଳି ନୀତି ଅନୁପାଳନ କ୍ଷେତ୍ରରେ ସରକାରଙ୍କ ସବୁ ନିୟମ କାନୁନକୁ ନିଜେ ସ୍ବାସ୍ଥ୍ୟ ବିଭାଗ ମୋଡ଼ି ମକଚି ଦେଇଛନ୍ତି। ହାତଗଣତି କିଛି ଡାକ୍ତର ଓ ମେଡ଼ିକାଲ କଲେଜ ଶିକ୍ଷକଙ୍କ କ୍ଷେତ୍ରରେ ସରକାର ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି, ଯେମିତି ଏମାନେ ସ୍ବାସ୍ଥ୍ୟ ବିଭାଗର ବାକି ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନିୟମ କାନୁନ ଭିତରେ ଆସନ୍ତି ନାହିଁ।

Advertisment

ଏକଥା ଆମେ କହୁ ନାହୁଁ, ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ଇତିମଧ୍ୟରେ ଏକ ମ୍ୟାନେଜମେଣ୍ଟ ଲେଟର ବା ଚିଠି କରି ଯେଉଁ ତଥ୍ୟ ଅବତାରଣା କରିଛନ୍ତି, ସେଥିରୁ ଏମିତି ସଙ୍କେତ ଆସୁଛି। କିଏ ନିଯୁକ୍ତି ପାଇଥିବା ଜିଲ୍ଲାରେ ଅଟକି ଯାଇଛନ୍ତି ତ ଆଉ କିଏ ତିନି ଦଶନ୍ଧି ଧରି ଗୋଟିଏ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। କିଛି ଡାକ୍ତର ନିଜ ଜିଲ୍ଲାରୁ ବାହାରକୁ ଯାଇନାହାନ୍ତି। ଭିମ୍‌ସାର ଓ କଟକ ବଡ଼ ମେଡ଼ିକାଲ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଏକଥା ଯେ ଆଜି ହୋଇଛି ତା ନୁହେଁ। ଗତ ବର୍ଷମାନଙ୍କରେ ଯିଏ ଯେବେ ସ୍ବାସ୍ଥ୍ୟମନ୍ତ୍ରୀ ଆସିଛନ୍ତି, ସେମାନେ ଏହି ଘଟଣାକୁ ଆଖି ବୁଜିଦେଇଛନ୍ତି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ଏହି ରିପୋର୍ଟର ଶେଷରେ ଏକଥା ବି ସୂଚାଇ ଦେବାକୁ ଭୁଲିନାହାନ୍ତି ଯେ ବଦଳି କ୍ଷେତ୍ରରେ ଡାକ୍ତରଙ୍କ କ୍ଲିନିକାଲ୍ ପ୍ରାକ୍ଟିସ୍ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇବା ଆବଶ୍ୟକ।
ଗତ ସାଧାରଣ ନିର୍ବାଚନ ପୂର୍ବର ସମସ୍ତ ତଥ୍ୟକୁ ଏକାଠି କରି ଅଡିଟ୍ ଟିମ୍ ଦେଖିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗ ନିଜ ନିୟମକୁ ଡାକ୍ତରଙ୍କ ବଦଳି ବେଳେ ଭୁଲିଯାଇଛି। କାରଣ ୧୯୯୧ ମସିହାରେ ସାଧାରଣ ପ୍ରଶାସନ ଯେଉଁ ବଦଳି ନୀତି ପ୍ରସ୍ତୁତ କରିଥିଲେ, ସ୍ବାସ୍ଥ୍ୟ ବିଭାଗ ୨୦୧୬ ମସିହା ପର୍ଯ୍ୟନ୍ତ ତାହାର ଅନୁପାଳନ କରୁଥିଲା। କିନ୍ତୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ସେବର୍ଷ ମେ’ରେ ସ୍ଥିର କଲେ ଯେ ଡାକ୍ତରଙ୍କ ବଦଳି କ୍ଷେତ୍ରରେ ଏଣିକି ପୂରା ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଦିଆଯିବ। କେବିକେ ବା ଉପାନ୍ତ ଅଞ୍ଚଳରେ ଡାକ୍ତର ରହୁନଥିବା ଯାଗୁଁ ଚିକିତ୍ସା ସେବା ବ୍ୟାହତ ହେଉଥିବା ସଂପର୍କରେ ବର୍ଷ ବର୍ଷର ଉଦବେଗ ପରେ ସରକାର ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ।

ଏଥିରେ କୁହାଯାଇଥିଲା ଯେ ଜୋନ ଏ’ରେ କେବିକେ ଅଧୀନସ୍ଥ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ରହିବ। ସେହିଭଳି ଏହି ଜୋନ ଅଧୀନରେ କେବିକେ ପ୍ଲସ(କନ୍ଧମାଳ, ବୌଦ୍ଧ ଓ ଗଜପତି) ଏବଂ ଆଦିବାସୀ ଉପଯୋଜନା କାର୍ଯ୍ୟକାରୀ ହେଉଥିବା ଅଞ୍ଚଳ ସାମିଲ ହେବ।
ସେହିଭଳି ଅଣ କେବିକେ, ଅଣ କେବିକେ ପ୍ଲସ ଓ ବଳକା ଅଞ୍ଚଳକୁ ନେଇ ଜୋନ ବି’ ହେବ। ଡାକ୍ତରମାନେ ନିଜେ ଆବେଦନ ବା ଦରଖାସ୍ତ କଲେ ସେମାନଙ୍କ ବଦଳି ସଂକ୍ରାନ୍ତରେ ସରକାର ବିଚାର କରିବେ। ଅନ୍ୟଥା ଯେଉଁମାନେ କିଛି ବର୍ଷ ଧରି ଗୋଟିଏ ଗୋଟିଏ ଅଞ୍ଚଳରେ କାମ କରିସାରିଲେଣି, ରାଜ୍ୟ ସରକାର ନିର୍ଦିଷ୍ଟ ସମୟ ବ୍ୟବଧାନରେ ତାଙ୍କର କାର୍ଯ୍ୟସ୍ଥଳୀ ପରିବର୍ତ୍ତନ କରିବେ। ଏ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗ କହିଲେ ଯେ ଯେଉଁ ଡାକ୍ତର ଓ ସ୍ପେସାଲିଷ୍ଟମାନେ ଜୋନ-ଏ’ରେ ଜୁନିଅର ବ୍ରାଞ୍ଚରେ ତିନି ବର୍ଷ ପୂରଣ କରିଛନ୍ତି ଓ ସିନିୟର ବ୍ରାଞ୍ଚରେ ୨ବର୍ଷ ପୂରଣ କରିଛନ୍ତି, ସେମାନେ ଜୋନ୍ ବି’କୁ ବଦଳି ହୋଇପାରିବେ। ଯେଉଁ ଡାକ୍ତରମାନେ ଜୋନ-ବି’ରେ ଅଛନ୍ତି; ଅଥଚ ଜୋନ-ଏ’ରେ କାର୍ଯ୍ୟ କରିନାହାନ୍ତି, ସେମାନଙ୍କୁ ସେଠାରେ କାମ କରିବାକୁ ହେବ।

publive-image

ଅଡିଟ ଟିମ୍ କିନ୍ତୁ ତର୍ଜମା କରିବା ବେଳେ ଦେଖିଛନ୍ତି ଯେ ୨୭୮ ଜଣ ଡାକ୍ତର ଗୋଟିଏ ଗୋଟିଏ ଜିଲ୍ଲାରେ ୩ରୁ ୩୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ଏମାନଙ୍କ କ୍ଷେତ୍ରରେ ସରକାରଙ୍କ ବଦଳି ନୀତି ପୂର୍ବରୁ ଅକାମୀ ହୋଇଯାଇଥିଲା, ପରେ ବି। ଏମାନଙ୍କ ମଧ୍ୟରୁ ୧୨୭ ଜଣ ଜୋନ ‘ଏ’ରେ ଓ ୧୫୧ଜଣ ଜୋନ ‘ବି’ରୁ ଆଦୌ ବା ଥରୁଟିଏ ବି ବଦଳି ହୋଇନାହାନ୍ତି। ୧୦୩ ଜଣ ଡାକ୍ତର ଗୋଟିଏ ଗୋଟିଏ ଜିଲ୍ଲା ହସ୍ପିଟାଲରେ ୧୫ରୁ ଅଧିକ ବର୍ଷ ହେଲା କାର୍ଯ୍ୟ କରିଛନ୍ତି। ତାଙ୍କର ଆଦୌ ବଦଳି ହୋଇନାହିଁ। ୧୪୨ ଜଣ ଡାକ୍ତର ନିଜ ଜିଲ୍ଲାରେ ୩ରୁ ୩୫ବର୍ଷ ଧରି କାର୍ଯ୍ୟ କରିଛନ୍ତି। ୬୯ ଡାକ୍ତର ଚାକିରି ଆରମ୍ଭରେ ଯେଉଁଠି ଥିଲେ, ସେଇଠି ହିଁ ରହିଯାଇଛନ୍ତି। ଆହୁରି କୌତୂହଳ କଥା ହେଲା, ବଦଳି ନୀତିକୁ ଏଡ଼ାଇ ଯାଇଥିଲେ ହେଁ ସରକାରଙ୍କ ପଦୋନ୍ନତି ପ୍ରକ୍ରିୟାରେ ଏହି ଖିଲାପୀ ଡାକ୍ତରଙ୍କୁ ବି ଅନ୍ୟମାନଙ୍କ ଭଳି ଗୁରୁତ୍ବ ମିଳିଛି। ଗୋଟିଏ ପଟେ ରାଜ୍ୟ ସରକାର କେବିକେ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ୧୦ ହଜାରରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଲୋକଙ୍କ ପାଖରେ ଗୁଣାତ୍ମକ ଚିକିତ୍ସା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଢେର୍ ଉଦ୍ୟମ କରୁଛନ୍ତି। ଏପଟେ କିନ୍ତୁ ବଦଳି କ୍ଷେତ୍ରରେ ବିଭାଗୀୟ ଚଞ୍ଚକତା ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିୟମ ଓ ନିଷ୍ପତ୍ତିର ବଳି ଚଢ଼ିଗଲା। ଏହି କାରଣରୁ କେବିକେ ଜିଲ୍ଲାରେ ମାଳ ମାଳ ଡାକ୍ତର ପଦବି ଖାଲି ପଡ଼ିଛି ବା ଡାକ୍ତର ଯାଉନାହାନ୍ତି ବୋଲି ଅଡିଟ୍ ଟିମ୍‌ର ହୃଦବୋଧ ହୋଇଛି।

ଓଡ଼ିଶା ଡାକ୍ତରୀ ଶିକ୍ଷା ସେବା କ୍ୟାଡର ସ୍ଥିତି ଆହୁରି ଗମ୍ଭୀର। ଅଡିଟ୍ ଟିମ୍ ବୁର୍ଲା ଭିମ୍‌ସାର ସ୍ଥିତି ଅନୁଧ୍ୟାନ କରିବା ବେଳେ ଦେଖିଥିଲା ଯେ ୧୭୦ରୁ ୭୮ଶିକ୍ଷକ ୩ରୁ ୩୦ ବର୍ଷ ଧରି ସେଇଠି ଅଟକି ରହିଛନ୍ତି। କଟକ ମେଡିକାଲ କଲେଜ କ୍ଷେତ୍ରରେ ୨୦୭ରୁ ଏହି ସଂଖ୍ୟା ପାଖାପାଖି ୯୦ ଥିଲା, ଯେଉଁମାନେ ୩ରୁ ୩୪ ବର୍ଷ ପର୍ଯ୍ୟନ୍ତ ସେହିଠାରେ ହିଁ କାର୍ଯ୍ୟ କରିଛନ୍ତି। ଅଡିଟ୍ ଟିମକୁ ଯେଉଁ ରିପୋର୍ଟ ଯୋଗାଇ ଦିଆଯାଇଥିଲା (ଜୁଲାଇ,୨୦୧୮) ସେଥିରୁ ଆହୁରି ଜଣାପଡିଥିଲା ଯେ ଭିମସାରରେ ୩୬ ଜଣ ଓ କଟକ ମେଡ଼ିକାଲରେ ୨୫ ଜଣ ଡାକ୍ତର ସେବେ ସେହି କ୍ୟାମ୍ପସରେ ୧୫ବର୍ଷରୁ ଅଧିକ ଦିନ ହେଲା କାର୍ଯ୍ୟ କରିସାରିଥିଲେ। ସ୍ବାସ୍ଥ୍ୟ ବିଭାଗ ଭିମ୍‌ସାର କ୍ଷେତ୍ରରେ ଅଡିଟ୍ ଟିମକୁ କହିଥିଲେ ଯେ ଏହା ଯେହେତୁ ସ୍ବୟଂଶାସିତ ହୋଇସାରିଛି, ଏଣୁ ଏଠାରେ ବଦଳି ଅନୁମତି ଯୋଗ୍ୟ ନୁହେଁ। କିନ୍ତୁ ଅଡିଟ୍ ଏହି ରିପୋର୍ଟ ଉପରେ ଆପତ୍ତି ଉଠାଇ ପ୍ରଶ୍ନ କରିଛି ଯେ ୨୦୧୪ ଜୁନରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟ ଏହି ଡାକ୍ତରମାନଙ୍କୁ କାହିଁକି ବଦଳି କରାଯାଇନଥିଲା? ସେହିଭଳି ଏସସିବି କ୍ଷେତ୍ରରେ ବଦଳି କମିଟିର ସଫେଇ ଦିଆଯାଇଥିଲା। ଅଡିଟ୍ ଟିମ୍ ଏହା ଉପରେ ବି ଆପତ୍ତି ଉଠାଇଛନ୍ତି। କହିଛନ୍ତି ଯେ ୨୦୧୮ ବର୍ଷରେ ଏହି କମିଟି ମାତ୍ର ଜଣକର ବଦଳି କଥା କହିଛି। ବାକି ୨୫ ଜଣ ଶିକ୍ଷକଙ୍କ ସଂପର୍କରେ କି ନିଷ୍ପତ୍ତି ନେଇଛି। ସ୍ବାସ୍ଥ୍ୟ ବିଭାଗ ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ନିଜ ବଦଳି ନୀତିର ଶତ ପ୍ରତିଶତ ଅନୁପାଳନ କରିବା ଦରକାର ବୋଲି ଅଡିଟ୍ ଟିମ୍ ସୁପାରିସ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ବଦଳି ନୀତି ସଂପର୍କରେ ଏଜିଙ୍କ ରିପୋର୍ଟକୁ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଗ୍ରହଣ କରାଯାଇପାରେ।