ଭୁବନେଶ୍ବର: କୋଭିଡ୍-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ନେଇ ସମଗ୍ର ବିଶ୍ବ ଚିନ୍ତିତ ଅଛନ୍ତି। ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇସାରିଛନ୍ତି। ଓଡ଼ିଶାରେ ପୁଣି ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ଓମିକ୍ରନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।
ରାଜ୍ୟରେ ୫ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ୫ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା। ସମସ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ମଧ୍ୟରେ। ଏମାନଙ୍କ ଭିତରୁ ଜଣେ କତାରରୁ ଆସିଛନ୍ତି। ଜଣେ କଙ୍ଗୋରୁ ଆସି ଥିବା ବେଳେ ଅନ୍ୟ ଜଣେ ୟୁଏଇରୁ ଆସିଛନ୍ତି। ୪ ଜଣ ଆକ୍ରାନ୍ତଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ଅଛି। କିନ୍ତୁ ପଞ୍ଚମ ବ୍ୟକ୍ତିଙ୍କର ଯାତ୍ରା ବିବରଣୀ ନାହିଁ। ସେ କିଛି ଦିନ ପୂର୍ବରୁ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ। ସମସ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ସରିଛି। ଜଣଙ୍କର କଣ୍ଟାକ୍ଟ ଟ୍ରେସିଂରେ ପଜିଟିଭ୍ ଆସିଛି ଏବଂ ତାଙ୍କର ରିପୋର୍ଟକୁ ଜେନମ ସ୍ବୀକେନ୍ସିଂ ପାଇଁ ପଠାଯାଇଛି । ଦୁଇ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ନେଗେଟିଭ ଆସିଛି। ଆଉ ଦୁଇ ଜଣଙ୍କର ଏପର୍ଯ୍ୟନ୍ତ ରିପୋର୍ଟ ଆସିନି। ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଦୁଇ ଜଣ ହସ୍ପିଟାଲରେ ଅଛନ୍ତି।