ସ୍ୱାସ୍ଥ୍ୟଶିକ୍ଷାକୁ ବି କାମଚଳା କରିଦେଲେ!

ଡେପୁଟେସନ୍‌ରେ ଚାଲିଛି ସରକାରୀ ମେଡିକାଲ୍ କଲେଜ
ନିୟମର ଖୋଲା ଉଲ୍ଲଂଘନ; ସମସ୍ତେ ବେଫିକର
ସ୍ୱାସ୍ଥ୍ୟ ସେବା ବିଶ୍ବସ୍ତରୀୟ ହେବ ନା ଭୁଶୁଡି଼ ଯିବ

କଟକ : ଏତେ ଡାକ୍ତର ସୃଷ୍ଟି କରାଯିବ ଯେ ଆଉ କିଛି ବର୍ଷ ପରେ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ୟା ନଥିବ। ଡାକ୍ତର କ୍ଷେତ୍ରରେ ଅଭାବୀ ନୁହେଁ, ବରଂ ବଳକା ରାଜ୍ୟ ହେବ ଓଡ଼ିଶା। ଏମିତି ସ୍ବପ୍ନ ଦେଖାଇବା ସହିତ ରାଜ୍ୟ ସରକାର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ ମେଡିକାଲ କଲେଜ ବା ଏମ୍‌ସ ପ୍ଲସ୍‌ କରିବାକୁ ଯୋଜନା କରିଛନ୍ତି। ଏଥିସହିତ ରାଜ୍ୟରେ ଏବେ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୦ରେ ପହଞ୍ଚିଛି। ଆଗକୁ ଆଉ ୩ଟି ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। କାର୍ଯ୍ୟ ଜାରି ରହିଛି। ହେଲେ ଏସବୁ ମେଡ଼ିକାଲ କଲେଜରେ ଡାକ୍ତର ସୃଷ୍ଟି ହେବେ ନା ଆଉ କଣ? ଏଭଳି ଏକ ପ୍ରଶ୍ନ ଏବେ ଖୋଦ୍ ବିଶେଷଜ୍ଞ ଡାକ୍ତରମାନଙ୍କୁ ଆନ୍ଦୋଳିତ କଲାଣି। ରାଜ୍ୟର ବୁଦ୍ଧିଜୀବୀ ଓ ଏସବୁ ମେଡ଼ିକାଲ କଲେଜରେ ପାଠ ପଢ଼ୁଥିବା ପିଲାମାନଙ୍କ ଅଭିଭାବକଙ୍କୁ ବି।

ଏଭଳି ପ୍ରଶ୍ନ ସୃଷ୍ଟି ପଛର କାରଣ ହେଉଛି- ମେଡ଼ିକାଲ କଲେଜ ଖୋଲାଯାଉଛି, ବିଶାଳ କୋଠା ମଧ୍ୟ ସରକାର ରାତାରାତି ନିର୍ମାଣ କରୁଛନ୍ତି। ହେଲେ ଏସବୁ ଅପେକ୍ଷା ଯେଉଁ କଥାଟି ସବୁଠାରୁ ଗୁରୁତ୍ବପୂର୍ଣ୍ଣ; ସେଥିରେ ସରକାର କାମଚଳା ନୀତି ଅବଲମ୍ବନ କରିଛନ୍ତି। ମେଡ଼ିକାଲ କଲେଜର ମୂଳ ସମ୍ବଳ କୁହାଯାଉଥିବା ବିଶେଷଜ୍ଞ ଡାକ୍ତର ବା ଫାକ୍‌ଲଟି ସଂଖ୍ୟା ଏମିତି ଯେ ସତ ଜାଣିଲେ ହୋସ୍ ଉଡ଼ିଯିବ। ରାଜ୍ୟରେ ମେଡ଼ିକାଲ କଲେଜ ଗୁଡିକ ପାଇଁ ୮୩୪ ଜଣ ଫାକଲ୍‌ଟିର ଆବଶ୍ୟକ ଥିବା ବେଳେ ପାଖାପାଖି ୪୫% ଶିକ୍ଷକଙ୍କୁ ନେଇ କିନ୍ତୁ ଅନୁଷ୍ଠାନଗୁ଼ଡିକ ଚାଲିଛି। ଆହୁରି ସରଳ ଭାବେ କହିଲେ, ୫୫% ଅର୍ଥାତ୍ ୪୫୬ଟି ପଦବି ଖାଲିପଡ଼ିଛି। ସରକାର ଏସବୁକୁ ପୂରଣ କରିବା ଦିଗରେ ଯେଉଁ ତତ୍ପରତା ଦେଖାଇବା କଥା ତାହା ପରିଦୃଷ୍ଟ ହେଉନାହିଁ।

BioSpectrum Asia

ଓଲଟା ଆହୁରି ଏକ ସାଂଘାତିକ କଥା ସାମ୍ନାକୁ ଆସିଲାଣି। ସରକାର ଏବେ ପୁରୁଣା ମେଡିକାଲ କଲେଜରୁ ବରିଷ୍ଠ ଡାକ୍ତର, ପ୍ରଫେସରଙ୍କୁ ନେଇ ନୂଆ ମେଡିକାଲ କଲେଜରେ ଡେପୁଟେସନରେ ରଖି କାମ ଚଳାଉଛନ୍ତି। ରାଜ୍ୟର ଏବେ କୌଣସି ଗୋଟିଏ ବି ମେଡିକାଲ କଲେଜରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ/ଅଧୀକ୍ଷକ ନାହାନ୍ତି। ସମସ୍ତଙ୍କର ଏକାଧିକ ଦାୟିତ୍ବ ରହିଛି। ଏ କ୍ଷେତ୍ରରେ ଏନ୍‌ଏମ୍‌ସି (ନାସନାଲ ମେଡିକାଲ କମିସନ) ଗାଇଡଲାଇନର ଖୋଲା ଉଲ୍ଲଂଘନ ଚାଲିଛି। ମେଡିକାଲ କଲେଜର ଡିନ୍/ଅଧ୍ୟକ୍ଷମାନେ କଲେଜ ଦାୟିତ୍ବ ସହ ନିଜ ବିଭାଗର ବିଭାଗୀୟ ମୁଖ୍ୟ ଥିବା ବେଳେ ହସ୍ପିଟାଲର ଅଧୀକ୍ଷକମାନେ ବି ନିଜ ପଦବି ସହ ବିଭାଗୀୟ ମୁଖ୍ୟ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନିୟମିତ ଡିପିସି ହେଉ ନଥିବାରୁ ବହୁ ଆସିଷ୍ଟାଣ୍ଟ ପ୍ରଫେସର ପଦୋନ୍ନତି ପାଇପାରୁ ନାହାନ୍ତି। ଓପିଏସ୍‌ସି ମଧ୍ୟ ନିୟମିତ ଭାବେ ସ୍ଥାୟୀ ପଦବି ପୂରଣ ପାଇଁ ବିଜ୍ଞାପନ ପ୍ରକାଶ କରୁନାହିଁ। ନାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି) ନିୟମ ମୁତାବକ ମେଡିକାଲ କଲେଜ ଅଧ୍ୟକ୍ଷ/ଡିନ୍ ପଦ ପାଇଁ ୫ ବର୍ଷ ଅଭିଜ୍ଞତା ଥିବା ପ୍ରଫେସର ଆବଶ୍ୟକ ହେଉଥିବା ବେଳେ ଅଧୀକ୍ଷକ ପଦ ପାଇଁ ୧୦ ବର୍ଷ ପ୍ରଶାସନିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇପାରିବ। ସେମାନେ ‘ପୂର୍ଣ୍ଣକାଳୀନ’ ବା ‘ଫୁଲଟାଇମ୍‌ର’ ରହିଲେ ନିର୍ଦ୍ଦିଷ୍ଟ ଭତ୍ତା ପାଇବେ। ହେଲେ ସେମାନେ ଗୋଟିଏ ପଦବିରେ ରହିବେ। କିନ୍ତୁ ବର୍ତ୍ତମାନ କୌଣସି ଗୋଟିଏ ମେଡିକାଲ କଲେଜରେ ‘ପୂର୍ଣ୍ଣକାଳୀନ’ ଅଧ୍ୟକ୍ଷ କିମ୍ବା ଅଧୀକ୍ଷକ ନାହାନ୍ତି।

indianadmissionsguru.com

ତଥ୍ୟ କହୁଛି, ପ୍ରଫେସର ଡାକ୍ତର ଲୁସି ଦାସ ଏବେ ଏସ୍‌ସିବି ମେଡ଼ିକାଲର ଅଧୀକ୍ଷକ ଥିବା ସହ ଏସ୍‌ସିବି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟା ବି ଅଛନ୍ତି। ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଏସ୍‌ସିବି ମେଡିକାଲ କଲେଜ ପ୍ରିନ୍ସିପାଲ/ଡିନ୍ ଥିବା ସହିତ ଏସ୍‌ସିବି ୟୁରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ/ଡିନ୍ ପ୍ରଫେସର ଡାକ୍ତର ଦୀପ୍ତି ପଟ୍ଟନାୟକ ଅଧ୍ୟକ୍ଷ ଦାୟିତ୍ବ ସହ ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଦାୟିତ୍ବ ତୁଲାଉଛନ୍ତି। ପ୍ରଫେସର ଡାକ୍ତର ଏଚ୍.କେ. ମିଶ୍ର ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ରହି ସମାନ୍ତରାଳ ଭାବେ କର୍ଣ୍ଣ, ନାଶା ଓ ଗଳା(ଇଏନ୍‌ଟି) ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧ୍ୟକ୍ଷ ଥିବା ପ୍ରଫେସର ଡାକ୍ତର ଆର.ପି. ବିଶ୍ୱାଳ ମଧ୍ୟ ରଞ୍ଜନରଶ୍ମି (ରେଡିଓଲୋଜି) ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ଏହି ମେଡିକାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ପାଥୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି। ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷ/ଡିନ୍ ପ୍ରଫେସର ଡାକ୍ତର ସବିତା ମହାପାତ୍ର ଫାର୍ମାକୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି ଏବଂ ପ୍ରଫେସର ଡାକ୍ତର ମହେନ୍ଦ୍ର ନାୟକ ନିଶ୍ଚେତକ (ଆନାସ୍‌ଥେସିଆ) ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି।

ଏତିକିରେ ସରିନାହିଁ। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଅଧ୍ୟକ୍ଷ/ଡିନ୍ ପ୍ରଫେସର ଡାକ୍ତର ଆର୍.ଆର୍. ମହାନ୍ତିଙ୍କୁ ଏବେ ଡିଏମ୍‌ଇଟି ଦାୟିତ୍ବ ଦିଆଯାଇଛି। ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର ଡାକ୍ତର ବି.ଏନ. ମହାପାତ୍ର ଅସ୍ଥିଶଲ୍ୟ (ଅର୍ଥୋପେଡିକ୍) ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି। ସେହିପରି ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଅଧ୍ୟକ୍ଷ/ଡିନ୍ ପ୍ରଫେସର ଡାକ୍ତର ରାମଚନ୍ଦ୍ର ଗିରି ଏଠାକାର ଏସ୍‌ପିଏମ୍ ବିଭାଗର ବିଭାଗୀୟ ମୁଖ୍ୟ ଥିବାବେଳେ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଜାତା ମିଶ୍ର ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି। କଟକ ଏସ୍‌ସିବି ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର (ଆର୍‌ଏସ୍ଆଇସି)ର ନିର୍ଦ୍ଦେଶକ ଥିବା ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ଏହି ପଦ ସହ ଏସ‌୍‌ସିବି ଅସ୍ଥିଶଲ୍ୟ ଚିକିତ୍ସା ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି।

କିଛି ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି, ପ୍ରତି ୬ ମାସରେ ଥରେ ଡିପିସି ବସିବାର ନିୟମ ରହିଛି। ହେଲେ ଏହା ନିୟମିତ ବ୍ୟବଧାନରେ କରାଯାଉ ନାହିଁ। ଏଭଳି ବ୍ୟବସ୍ଥାରେ ରାଜ୍ୟର ସ୍ବାସ୍ଥ୍ୟସେବା ବାସ୍ତବରେ କିଭଳି ସୁଧୁରିବ, ଅଥବା ବିଶ୍ବସ୍ତରୀୟ ହେବ, ତାକୁ ନେଇ ଆଶଙ୍କା ପ୍ରକାଶ ପାଇବା ସ୍ବାଭାବିକ। କେବଳ ସେତିକି ନୁହେଁ, ଏମିତି କରି ସରକାର ଏସବୁ ମେଡ଼ିକାଲ କଲେଜରେ ଯେଉଁମାନେ ଡାକ୍ତରୀ ପଢ଼ିବା ପାଇଁ ନାମ ଲେଖାଉଛନ୍ତି, ସେମାନଙ୍କ ଭାଗ୍ୟ ସହ ଖେଳ ଖେଳୁନାହାନ୍ତି କି?

ସମ୍ବନ୍ଧିତ ଖବର