ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏମ୍‌ସ ଗସ୍ତ କରି ଶ୍ରୀ ମଜୁମଦାରଙ୍କ ସ୍ବାସ୍ଥ୍ୟା‌ବସ୍ଥା ସମ୍ପର୍କରେ ଡାକ୍ତର ଓ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ମଜୁମଦାରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏକ ସ୍ବତନ୍ତ୍ର ଟିମ୍‌ ଶ୍ରୀ ମଜୁମଦାରଙ୍କ ଚିକିତ୍ସାରେ ନିୟୋଜିତ କରିବା ଲାଗି ଭୁବନେଶ୍ବର ଏମ୍‌ସର ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସଙ୍କୁ କହିଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ ସହିତ ଆଲୋଚନା କରାଯିବ। ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି ବୋଲି ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି।

Advertisment

ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର
ସରକାର ବହନ କରିବେ ସମସ୍ତ ଚକିତ୍ସା ଖର୍ଚ୍ଚ

ସୂଚନା ଅନୁଯାୟୀ, ଶ୍ରୀ ମଜୁମଦାରଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଥିବାରୁ ସ୍ବ‌ାସ୍ଥ୍ୟାବସ୍ଥାରେ ସୁଧାର ଆସିବାରେ ବିଳମ୍ବ ହେଉଛି। ତେବେ ତାଙ୍କର କିଡ୍‌ନି ଓ ଲିଭର୍‌ର ଅବସ୍ଥ‌ା ସ୍ଥିର ରହିଛି। ସେ ଏବେ ବି କୋମାରେ ରହିଛନ୍ତି। ଗମ୍ଭୀର ନ୍ୟୁରୋଲୋଜି ରୋଗ, ବାଇଲାଟେରାଲ୍‌ ନିମୋନିଆ, ରକ୍ତପ୍ରବାହ ସଂକ୍ରମଣ, ଉଚ୍ଚ ରକ୍ତଚାପ, ହାଇପୋଥାଇରଏଡ୍‌, ଯକୃତ ରୋଗ ଓ ନିମୋନିଆରେ ପୀଡ଼ିତ ଶ୍ରୀ ମଜୁମଦାର ଭେଣ୍ଟିଲେଟର୍‌ ସପୋର୍ଟରେ ଆଇସିୟୁରେ ଚିକତ୍ସିତ ହେଉଛନ୍ତି। ଶରୀରରେ ଭିଟାମିନ୍‌-ଡି ଓ ଫଲିକ୍‌ ଏସିଡ୍‌ର ଅଭାବ ପରିଲକ୍ଷିତ ହୋଇଛି। ଆଇସିୟୁ ଓ ଏକ୍‌ମୋ ବିଶେଷଜ୍ଞ ପ୍ରଫେସର୍‌ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ ଯେ ଶ୍ରୀ ମଜୁମଦାରଙ୍କୁ ଗତ ୪ତାରିଖ ଦିନ କଟକର ଏକ ଘରୋଇ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଆଜି ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ସମେତ ଏକାମ୍ର ବିଧାୟକ ବାବୁ ସିଂ, ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, ଅଭିନେତା ଶ୍ରୀତମ ଦାସ ଏମ୍‌ସ ଯାଇ  ଶ୍ରୀ ମଜୁମ୍‌ଦାରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।